ଟିକା ନେବା ପରେ କରୋନାରେ ପ୍ରାଣ ହରାଇଛନ୍ତି ୯୮ ଜଣ ରେଳ କର୍ମଚାରୀ : ରେଳ ବିଭାଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍ ମହାମାରୀ କାରଣରୁ ସାରା ଦେଶ ଲକଡାଉନ ଥିବା ବେଳେ ରେଲୱେ ସେଵା ଜାରି ରହିଥିଲା। ରେଲୱେ କର୍ମଚାରୀ ମାନେ ମହାମାରୀ ସମୟରେ ନିରନ୍ତର କାର୍ଯ୍ୟ କରିଥିଲେ। ଏହି ସମୟରେ ଅନେକ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସରକାର ଦେଇଥିବା ସୂଚନା ମୁତାବକ ରେଳ ବିଭାଗରେ ୨,୯୫୨ ଜଣ କର୍ମଚାରୀ କରୋନାରେ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ୯୮ ଜଣ ଟିକା ନେଇଥିଲେ। 

ଶୁକ୍ରବାର ଲୋକସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ତିନି ଜଣ ସାଂସଦ ଏ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଲିଖିତ ଉତ୍ତରରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆରଟିପିସିଆର ଟେଷ୍ଟ କରାଇବା ପରେ ମୋଟ୍ ୧,୫୭,୪୯୬ ଜଣ ରେଲୱେ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨,୯୫୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି। 

ସରକାର ସଦନରେ ଦେଇଥିବା ସୂଚନା ଅନୁଯାୟୀ ମୋଟ୍ ମୃତକଙ୍କ ମଧ୍ୟରୁ ୯୮ ଜଣ କୋଭିଡ୍ ଟିକା ନେଇଥିଲେ। ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଡ୍ୟୁଟି ସମୟରେ ପ୍ରାଣ ହରାଉଥିବା କିମ୍ବା ଅସୁସ୍ଥତା କାରଣରୁ କର୍ମଚାରୀଙ୍କର ମୃତ୍ୟୁ ଘଟିଲେ ସରକାରଙ୍କ ତରଫରୁ ତାଙ୍କ ପରିବାର ଲୋକଙ୍କୁ ଚାକିରି ଦିଆଯିବାର ପ୍ରାବଧାନ ରହିଛି। ଏତଦ୍ ବ୍ୟତୀତ ସେମାନଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ନିୟମ ରହିଥିବା ମନ୍ତ୍ରାଳୟ ଉତ୍ତରରେ କହିଛି। 

ତେଣୁ ଯେଉଁମାନେ କୋଭିଡରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଆଧାରରେ ସାମିଲ୍ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରେଳ ବିଭାଗ କରୋନାରେ ପ୍ରାଣ ହରାଇଥିବା ୨,୯୫୨ ଜଣଙ୍କ ମଧ୍ୟରୁ ୨,୮୫୭ ଜଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ନେଇ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ସେହିପରି ମୃତକଙ୍କ ପରିବାରର ୧,୯୩୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Related Posts