ସୋ ଚୁହା ଖାକେ ବିଲି ହଜ୍ କୋ ଚଲି… ସଫା କଲା ପରେ ଶପଥ !

ଓଡ଼ିଆରେ ଏକ ଚରିତ୍ର ଅଛି ବିରାଡ଼ି ବୖଷ୍ଣବ, ଯାହାର ଏକ ହିନ୍ଦି ସଂଳାପ ଅଛି ତାହା ହେଲା ‘ସୋ ଚୁହା ଖାକେ ବିଲି, ହଜ୍‌କୋ ଚଲି’। ଏହାକୁ ହିନ୍ଦି ଫିଲ୍ମଠାରୁ ଆରମ୍ଭ କରି ମାର୍କେଟର ଖଟିରେ ସବୁଠାରେ ବହୁଳ ଭାବେ ବ୍ୟବହାର କରାଯାଏ । ଏବେ ସରକାରୀ ଦପ୍ତରକୁ ଦେଖିଲେ ଏହି କଥାଟି ଏକ୍‌ଦମ ପ୍ରଜୁର୍ଯ୍ୟ ଲାଗୁଛି । ଏବେ ଭିଜିଲା୍ସ ସପ୍ତାହ ପାଳନ ଅବସରରେ ବିଭିନ୍ନ ବିଭାଗର ସଚିବଠାରୁ ଆରମ୍ଭ କରି କର୍ମଚାରୀ ଯାଏ ସମସ୍ତଙ୍କର ଚାଲିଛି ଶପଥ ପାଠ । ଶପଥ ପାଠ କଣ ନା ଆଉ ଦୁର୍ନୀତି କରିବୁ ନାହିଁ, ତାହା ପୁଣି କ୍ୟାମେରା ସାମ୍ନାରେ । ଶପଥ କରିବା ଲୋକ ସେହିମାନେ ଯେଉଁମାନେ କି ଦଶନ୍ଦି ଦଶନ୍ଦି ଧରି ପିସି ଖାଇ ଖାଇ ପୁରା ରାଜକୋଷକୁ ତଳିତଳାନ୍ତ କରିଦେଇଛନ୍ତି ।
ନୀବନ ବାବୁଙ୍କ ସରକାରରେ ଦୀର୍ଘ ୨୦ ବର୍ଷ ଭିତରେ ପିସି ଦିଆନିଆ ଆଉ ଖିଆପିଆ ଏକ ମହାମାରି ଭଳି ହୋଇଛି। ଯାହାକୁ କି ନିଜେ ମୁଖ୍ୟମନ୍ତ୍ରୀ 2 ବର୍ଷ ତଳେ ଜିଲ୍ଲାପାଳଙ୍କ ସମ୍ମିଳନୀରେ ସ୍ୱୀକାର କରିଥିଲେ। ପ୍ରଶାସନରେ PC ସବୁଠୁ ବଡ଼ ବିପଦ ହୋଇ ଦେଖାଦେଇଛି। ବିକାଶର ବଡ ପ୍ରତିବନ୍ଧକ ହୋଇଥିବାରୁ PCକୁ ରୋକାଯାଉ ବୋଲି ନବୀନ କହିଥିଲେ। ଏବେ ଲୋକଙ୍କ ସାମ୍ନାରେ ଭାବମୂର୍ତି ବଞ୍ଚାଇବା ପାଇଁ ଏଇ ଶପଥ ପାଠ ଚାଲିଛି, ଯାହା ନାଟକ ଭଳି ଲାଗୁଛି। କାରଣ ଥାନା, କଚେରୀ, ଡାକ୍ତରଖାନା, ରାସ୍ତାଘାଟ, ପୋଲ, ବିଧବା ଭତ୍ତା, ବାର୍ଦ୍ଦକ୍ୟ ଭତ୍ତା, ଇନ୍ଦିରା ଆବାସ, ରାଜୀବ ଆବାସ, ପ୍ରଧାନମନ୍ତ୍ରୀ ଆବାସ ସବୁ ଖାଇଗଲେ । ଏତେ ପିସି ଖାଇଲେ ଯେ ଏବେ ତାକୁ ଶପଥ କରି ଛଡ଼େଇବାକୁ ଚେଷ୍ଟା କରାଯାଉଛି । କଥାରେ ଅଛି ସୋ ଚୁହା ଖାକେ ବିଲି ହଜ୍‌କୋ ଚଲି । ଅର୍ଥାତ ସବୁ ସଫା କରିବା ପରେ ଏବେ ବାବୁମାନେ ଦୁର୍ନୀତି ନକରିବାକୁ ଶପଥ ନେଉଛନ୍ତି । ମହାପ୍ରଭୁଙ୍କ ଧଣ୍ଡାରେ ହାତ ରଖି କହିଲା ଭଳି 2 ଧାଡି କାଗଜ ପଢ଼ିଦେଲେ, ଯେ ଆଉ ଦୁର୍ନୀତି କରିବେନି। ଯେତେବେଳେ ଜଣେ ଚାକିରୀରେ ଜଏନ କରେ ସେତେବେଳେ ଏହି ସର୍ତ ଏବଂ ଶପଥଟି ଅପଣାଛାଏଁ ଥାଏ। ନିଷ୍ଠାର ସହ ବିନା ଦିର୍ନୀତି ଆଉ ପକ୍ଷପାତିତା କରିବେନି ବୋଲି ଜଣେ ଲେଖିକି ଚାକିରୀ କରିଥାଏ। ଏହାକୁ ନମାନି PC ଖାଇଲେ, ଏବେ କାଗଜ ପଢି ଦୁର୍ନୀତି ନକରିବାକୁ ଶପଥ ନେବା କେବଳ ଧର୍ମକୁ ଆଖିଠାର ଭଳି ମନେ ହେଉଛି।

ଠିକ୍‌ ଏତିକି ବେଳେ ଆସିଛି NCRB ରିପୋର୍ଟ । ଯାହା ରାଜ୍ୟରେ ସରକାରୀ କଳରେ ଥିବା ଦୁର୍ନୀତିର ମୁଖା ଖୋଲିଛି । ଦୁର୍ନୀତି ହଟାଇବା ନାଁରେ 5-ଟି କାର୍ଯ୍ୟକ୍ରମ କେବଳ ଏକ ଡ୍ରାମା ବୋଲି ପ୍ରମାଣିତ ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ଦୁର୍ନୀତି ନିବାରଣ ସପ୍ତାହ ପାଳନ କରୁଥିବା ବେଳେ ସାମ୍ନାକୁ ଆସିଛି ରାଜ୍ୟର ଏ ଦୁର୍ଭାଗ୍ୟଜନକ ଚିତ୍ର। ଯାହା ପ୍ରମାଣିତ କରୁଛି, ଦୁର୍ନୀତି ନିବାରଣ କ୍ଷେତ୍ରରେ କିଭଳି ଫେଲ୍ ମାରିଛନ୍ତି ରାଜ୍ୟ ସରକାର । ଏନ୍‌ସିଆର୍‌ବି (NCRB) ରିପୋର୍ଟ କହୁଛି, ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତିରେ ଓଡ଼ିଶାର ସ୍ଥାନ ଦ୍ବିତୀୟ । ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର, ତୃତୀୟରେ ରାଜସ୍ଥାନ, ଚତୁର୍ଥରେ ମଧ୍ୟପ୍ରଦେଶ ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ଝାଡ଼ଖଣ୍ଡ । ରାଜ୍ୟରେ ସରକାରୀ ଦୁର୍ନୀତି ଏବଂ ତଦନ୍ତର ସ୍ଥିତି କହୁଛି ୨୦୧୫ରେ ରାଜ୍ୟରେ ସରକାରୀ ସ୍ତରରେ ଦୁର୍ନୀତି ନେଇ ୪୫୬ଟି ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ୨୦୧୬ରେ ଏ ସଂଖ୍ୟା ବୃଦ୍ଧି ପାଇଥିଲା ୫୭୯କୁ । ୨୦୧୭ରେ ଭିଜିଲାନ୍ସ ରୁଜୁ କରିଥିଲା ୪୯୪ଟି ମାମଲା । ତେବେ ଏପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ୧୧୧୯ଟି ଦୁର୍ନୀତି ମାମଲାର ଚାର୍ଜସିଟ ଦାଖଲ ହୋଇପାରି ପାରିନାହିଁ । କୋର୍ଟରେ ବିଚାରାଧୀନ ରହିଛି ୩୩୮୨ଟି ମାମଲା । ଭିଜିଲାନ୍ସ ରୁଜୁ କରୁଥିବା ମାମଲାଠାରୁ ଯଥେଷ୍ଟ ଅଧିକ ଦୁର୍ନୀତି ହେଉଛି । ଦୁର୍ନୀତିର ଏ ଉଦ୍‌ବେଗଜନ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ମୋ ସରକାର ଏବଂ 5-ଟି କାର୍ଯ୍ୟକ୍ରମ କେବଳ ବିଫଳତାକୁ ଲୁଚେଇ ଏକ ଭଲ ଭାବମୂର୍ତ୍ତି ବନେଇ ବାକୁ ରାଜ୍ୟ ସରକାରଙ୍କ ଏକ ଭଲ ନାଟକବାଜି ବୋଲି କହିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ଅନ୍ୟପଟେ ସରକାରଙ୍କ ପକ୍ଷରୁ ଦୁର୍ନୀତି ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି । ଖାଲି ନିଲମ୍ବନ ନୁହେଁ, ଏମିତିକି ଚାକିରିରୁ ବାଧ୍ୟତାମୂଳକ ଅବସର ଓ ବରଖାସ୍ତ କରାଯାଉଥିବା ବିଜେଡି କହିଛି । ବିଜେଡିର ଏଭଳି ପ୍ରତିକ୍ରିୟାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ସରକାରୀ କାର୍ଯ୍ୟାଳୟରେ ଯଦି ସରକାରୀ ଅଧିକାରୀ ଦୁର୍ନୀତି କରୁନାହାନ୍ତି ତ କରୁଛି କିଏ ?

ପିସି ଖାଉଛି କିଏ ସରକାରୀ ବାବୁ ନା ଆଉ କିଏ ?

ସାଧାରଣ ଲୋକ ତ ସରକାରୀ କାର୍ଯ୍ୟାଳୟରୁ ପିସି ଖାଇପାରିବେ ନାହିଁ ?

୨୦ ବର୍ଷ ପରେ ଦୁର୍ନୀତି ରୋକିବାକୁ ଶପଥ କରାଇବା ଅର୍ଥ ସରକାରଙ୍କ ଜାଣତରେ ଦୁର୍ନୀତି ଏବଂ ପିସି କାରବାର ଚାଲିଥିଲା ?

ସରକାର ଜାଣି ବି କାହିଁକି ଏତେ ଦିନ ଚୁପ ରହିଥିଲେ ?

ଏବେ ଯେଉଁ ଜିରୋ ଟଲରାନ୍ସ କଥା କୁହାଯାଉଛି ତାହା କେବଳ ଧୂଆଁବାଣ ନୁହେଁ ତ ଆଉ କ’ଣ ?

Related Posts