ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତାମିଲନାଡୁରେ ବଢୁଛି ବିଜୟଙ୍କ ଶକ୍ତି । ୩ AIDMK ବିଧାୟକ ଦଳ ଛାଡି TVKରେ ସାମିଲ । ତେବେ ଏହି ତିନି ଜଣ ବିଧାୟକ ସି.ଭି. ଶାନମୁଗମ ଏବଂ ଏସ.ପି. ଭେଲୁମଣିଙ୍କ ନେତୃତ୍ୱାଧୀନ ବିଦ୍ରୋହୀ ଗୋଷ୍ଠୀର ଅଂଶ ଥିଲେ। ସୋମବାର ସେମାନେ ତାମିଲନାଡୁ ବିଧାନସଭା ବାଚସ୍ପତି ଜେସିଡି ପ୍ରଭାକରନଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହି ତିନି ଜଣ ବିଧାୟକ ଏବେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦଳ ‘ତାମିଜାଗା ଭେଟ୍ଟ୍ରି କାଝାଗମ’ (ଟିଭିକେ)ରେ ଯୋଗ ଦେଇଛନ୍ତି।

ଇସ୍ତଫା ଦେଇଥିବା ବିଧାୟକମାନଙ୍କ ମଧ୍ୟରେ ମଦୁରନ୍ତକମର ମାରାଗାଥମ କୁମାରଭେଲ, ଧରାପୁରମର ସତ୍ୟବାମା ଏବଂ ପେରୁଣ୍ଡୁରାଇର ଜୟକୁମାର ସାମିଲ ଅଛନ୍ତି। ଏହି ତିନି ଜଣ AIADMK ଟିକେଟରେ ସେମାନଙ୍କର ବିଧାନସଭା ଆସନ ଜିତିଥିଲେ। ସଚିବାଳୟରେ ବାଚସ୍ପତିଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିବା ପରେ, ତିନି ଜଣ ବିଧାୟକ ଟିଭିକେ କାର୍ଯ୍ୟକର୍ତ୍ତା ଆଧବ ଅର୍ଜୁନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବାକୁ ଯାଇଥିଲେ।

ବିଧାନସଭା ବାଚସ୍ପତି ପ୍ରଭାକରନ ତିନି ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଥିଲେ।ଏହି ଇସ୍ତଫା ଗ୍ରହଣ ହେବା ସହିତ ରାଜ୍ୟର ଚାରୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ମଦୁରନ୍ତକମ, ଧରାପୁରମ ଏବଂ ପେରୁଣ୍ଡୁରାଇ ଆସନ ସହିତ ତ୍ରିଚି ପୂର୍ବ ଆସନ ମଧ୍ୟ ଅନ୍ତର୍ଭୁକ୍ତ। ମୁଖ୍ୟମନ୍ତ୍ରୀ ବିଜୟ ଦୁଇଟି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିଥିବାରୁ ତ୍ରିଚି ପୂର୍ବ ଆସନ ଖାଲି କରିଥିଲେ। ଏହି ଇସ୍ତଫା ଫଳରେ AIADMKର ବିଧାୟକ ସଂଖ୍ୟା ୪୭ରୁ ୪୪କୁ ହ୍ରାସ ପାଇଛି।