ପୋଲିସ୍‌ ଟିମ୍‌କୁ ଆକ୍ରମଣ, ଅଭିଯୁକ୍ତ ଫେରାର

ସତ୍ୟପାଠ ବ୍ୟୁରୋ : ସାଦା ପୋଷାକ ଏବେ ପୋଲିସ ବାବୁଙ୍କ ପାଇଁ ଅଡ଼ୁଆ ସାବ୍ୟସ୍ତ ହୋଇଛି । ଅଭିଯୁକ୍ତକୁ ଧରିବାକୁ ସାଦା ପୋଷାକରେ ଯାଇଥିବା ପୋଲିସକୁ ଲୋକମାନେ ନିର୍ଧୁମ ମାଡ଼ ମାରିଛନ୍ତି । ଘଟଣାଟି ଘଟିଛି ଆଠଗଡ଼ ଅନ୍ତର୍ଗତ ଗୁରୁଡ଼ିଝାଟିଆ ଥାନା ଅଧୀନସ୍ଥ କପୁରସିଂ ଗ୍ରାମରେ । ଲୋକଙ୍କ ମାଡ଼ରେ ଜଗତପୁର ଥାନା ଆଇଆଇସି ପ୍ରଦୀପ ନାୟକଙ୍କ ସମେତ 5 ଜଣ ପୋଲିସ ଆହତ ହୋଇଛନ୍ତି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଜଗତପୁର ଥାନା ପୋଲିସ ଏକ ମାମଲାରେ ଜଡ଼ିତ ଜଣେ ଅଭିଯୁକ୍ତ ଗିରଫ କରିବାକୁ କପୁରସିଂ ଗାଁକୁ ଯାଇଥିଲେ । ଥାନା ଆଇଆଇସି ପ୍ରଦୀପ୍ତ ନାୟକଙ୍କ ସମେତ ଏକ ପୋଲିସ ଟିମ୍‌ ସାଦା ପୋଷାକ କପୁରସିଂ ଗାଁକୁ ଯାଇଥିଲେ । ଏହି ସମୟରେ ଗ୍ରାମବାସୀ ପୋଲିସ ଉପରକୁ ଆକ୍ରମଣ କରିଥିଲେ ।

ଏହି ମଉକା ଦେଖି ଅଭିଯୁକ୍ତ ଫେରାର ହୋଇଯାଇଛି । ଗୁରୁଡ଼ିଝାଟିଆ ପୋଲିସ ଘଟଣା ସ୍ଥଳରେ ପହଁଚି ସମସ୍ତ ପୋଲିସ ଟିମ୍‌କୁ ଉଦ୍ଧାର କରିଛି ।

ତେବେ ଗାଁ ଲୋକ ସତରେ ଜାଣି ପାରି ନ ଥିଲେ ନାଁ ଅଭିଯୁକ୍ତକୁ ଫେରାର କରାଇ ଦେବାକୁ ଏଭଳି ଆକ୍ରମଣ କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି । ଗୁରୁଡ଼ିଝାଟିଆ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts