ରୋଡ ସୋ ପାଲଟିଲା ରଣକ୍ଷେତ୍ର : ବାଜିଲା ପଥର, ଜଳିଲା ନିଆଁ

ସତ୍ୟପାଠ ବ୍ୟୁରୋ : ପଶ୍ଚିମବଙ୍ଗରେ ଉଗ୍ରରୂପ ନେଇଛି ଟିଏମସି-ବିଜେପି କଳି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସଭାସ୍ଥଳରେ ପୁଲିସ ପହଂଚି ଅନୁମତିପତ୍ର ମାଗିବା ପରେ ଏବେ ରୋଡ ସୋରେ ପଥରମାଡ ହେବା ଘଟଣା ବଙ୍ଗ ରାଜନୀତିକୁ ରକ୍ତାକ୍ତ କରିଛି । ଶାହାଙ୍କ ରୋଡ ସୋରେ ଗଣ୍ଡଗୋଳ ପାଇଁ ସିଧାସିଧା ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି ଶାହା । ଏପରିକି ଏହି ସମୟରେ ବଙ୍ଗ ପୁଲିସ ନୀରବ ରହିଥିବା ଅଭିଯୋଗ କରି ବିଜେପିର ହେଭିୱେଟ ନେତାମାନେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦୁଆର ବାଡେଇଛନ୍ତି ।

ପଶ୍ଚିମବଙ୍ଗ ବିଦ୍ୟାସାଗର କଲେଜ ପାଖରେ ଅମିତ ଶାହାଙ୍କ ରୋଡ ସୋ ଚାଲିଥିବା ବେଳେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଟ୍ରକ ଉପରକୁ କେହି ଜଣେ ବାଡି ଖଣ୍ଡେ ଫିଙ୍ଗିଥିଲା । ଏହାପରେ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ । ରୋଡ ସୋକୁ ରଣକ୍ଷେତ୍ର କରି ତୁହାକୁ ତୁହା ପଥରମାଡ ହୋଇଥିଲା । ରାଜରାସ୍ତାରେ ବାଇକ ଜାଳିଥିଲେ ଗଣ୍ଡଗୋଳକାରୀ । ଢ଼େର ସମୟ ଯାଏ ଏଭଳି କାରନାମା ଚାଲିଥିବା ବେଳେ ପୁଲିସ ଲାଠିଚାର୍ଜ କରିଥିଲା । ଏହି ଗଣ୍ଡଗୋଳରେ କିଛି ବିଜେପି କର୍ମୀ ଆହତ ହୋଇଥିବା କୁହାଯାଉଛି ।

ଏହାକୁ ନେଇ ଶାହାଙ୍କ ନିଶାନାରେ ଦିଦି । ରୋଡ ସୋକୁ ଭଣ୍ଡୁର କରିବାକୁ ଚାହୁଁଥିବା ମମତା ହିଁ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅମିତ ଶାହା । ବିଜେପି ନେତା ମୁଖତାର ଆବାସ ନକଭୀ, ନିର୍ମଳା ସୀତାରମଣ ଓ ଜିତେନ୍ଦ୍ର ସିଂ ପ୍ରମୁଖ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟି ଘଟଣା ବାବଦରେ ଅବଗତ କରାଇଛନ୍ତି । ଏହି ହିଂସାକାଣ୍ଡର ତଦନ୍ତ କରି ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ଦାବୀ କରିଛି ।

Related Posts