ନିର୍ବାଚନ ଆଚରଣବିଧୀ ଉଲ୍ଲଘଂନ କଲେ ମୋଦି !

ସତ୍ୟପାଠ ବ୍ୟୁରୋ : ନିର୍ବାଚନୀ ସଭାରେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି! “ଘରମେଁ ଘୁସକର ମାରନେ କି, ୟୈହି ରୀତିନୀତି ଆପକୋ ପସନ୍ଦ ହୈ ? ଇସ ରୀତିନୀତି କେ ଲିୟେ ହି ଦେଶ କମଲ ଖିଲା ରହା ହୈ…” କୁଶୀନଗର ଠାରେ ନିର୍ବାଚନ ରାଲିରେ ମୋଦିଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସିଧା କହିବାକୁ ଗଲେ ଏମିତି କହି ପାକିସ୍ତାନର ବାଲାକୋଟ ଏୟାରଷ୍ଟ୍ରାଇକ ପାଇଁ ବିଜେପିକୁ ଭୋଟ ମାଗିଛନ୍ତି ମୋଦି । ଦେଶର ପ୍ରଧାନମନ୍ତ୍ରୀ ଦେଶର ସେନାର କାର୍ଯ୍ୟକଳାପକୁ ନେଇ ଭୋଟ ମାଗିବା ହୁଏତ ପ୍ରଥମ ଘଟଣା ହୋଇପାରେ । ଗତ ୧୨ ତାରିଖରେ ଉତ୍ତରପ୍ରଦେଶ କୁଶୀନଗର ଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଏଭଳି ବୟାନ ଦେଇ ଆଚରଣ ବିଧୀର ଉଲ୍ଲଂଘନ ବୋଲି କୁହାଯାଉଛି ।

ଦେଶର ସୁରକ୍ଷା ଓ ଜାତୀୟତାକୁ ନେଇ ମୋଦି ଦେଇଥିବା ସେହି ବୟାନକୁ ଆମେ ଓଡିଆରେ ରୂପାନ୍ତର କରୁଅଛୁ । “ଘରମେଁ ଘୁସକର ମାରନେ କି, ୟୈହି ରୀତିନୀତି ଆପକୋ ପସନ୍ଦ ହୈ ? ଇସ ରୀତିନୀତି କେ ଲିୟେ ହି ଦେଶ କମଲ ଖିଲା ରହା ହୈ…” ଅର୍ଥାତ ଘରେ ପସି ମାରିବା ଆପଣଙ୍କୁ ଭଲ ଲାଗେ କି ? ଏହି କାମ ପାଇଁ ତ ଦେଶରେ ପଦ୍ମ ଫୁଟୁଛି । ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ସେନାକୁ ପଛରେ ରଖି ଦେଶର ପ୍ରଧାନମନ୍ତ୍ରୀ ନିଜ ଦଳକୁ ଏହାର କ୍ରେଡିଟ୍ ଦେବାକୁ ଚାହିଁଛନ୍ତି । କଥାରେ କଥାରେ ନିର୍ବାଚନୀ ରାଲିରେ ଭାରତୀୟ ଜନତା ପାର୍ଟିର ଜଣେ ନେତା ଭାବେ ଭାଷଣ ଦେଉଥିବା ନରେନ୍ଦ୍ର ମୋଦି ଦେଶର ସେନାର କାର୍ଯ୍ୟକୁ ନିଜ ଦଳର କାର୍ଯ୍ୟ ଭାବେ ଅଭିହିତ କରାଇବାକୁ ଚାହିଁଛନ୍ତି । ବାଲାକୋଟରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକୁ ନେଇ ଯେ ମୋଦି ଏଭଳି କହିଛନ୍ତି ଏହା ସମସ୍ତେ ଜାଣନ୍ତି ।

ଏହା ପୂର୍ବରୁ ମହାରାଷ୍ଟ୍ରର ଲାଟୁର ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ମଧ୍ୟ ସେନାକୁ ନେଇ ମନ୍ତବ୍ୟ ଦେଇଥିଲେ ମୋଦି । ଏପ୍ରିଲ ୯ ତାରିଖରେ ଅନୁଷ୍ଠିତ ସେହି ସଭାରେ ସେ କହିଥିଲେ, “ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଉଥିବା ଭୋଟରଙ୍କ ଭୋଟ ଦେଶର ବୀର ଜବାନଙ୍କ ପାଇଁ ସମର୍ପିତ ହେବ କି ଯେଉଁମାନେ ବାଲାକୋଟରେ ଏୟାରଷ୍ଟ୍ରାଇକ କରିଛନ୍ତି ? ଆପଣଙ୍କ ପ୍ରଥମ ଭୋଟ ପୁଲୱାମା ସହୀଦଙ୍କ ପାଇଁ ସମର୍ପିତ ହେବ କି ?”

ଅବଶ୍ୟ ଏହାକୁ ନେଇ ସେତେବେଳେ କ୍ଲିନଚିଟ୍ ଦେଇଥିଲେ ନିର୍ବାଚନ କମିଶନ । ମୋଦି ନିଜ ପାର୍ଟି ପାଇଁ ସିଧାସଳଖ ଭୋଟ ମାଗି ନଥିବାରୁ ଏହା ଆଚରଣବିଧୀର ଉଲ୍ଲଘଂନ ନୁହେଁ ବୋଲି ନିର୍ବାଚନ କମିଶନ କହିଥିଲେ । ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଭାରତୀୟ ନିର୍ବାଚନ କମିଶନ ସେନାକୁ ନେଇ ରାଜନୀତି ନ କରିବାକୁ ଗାଇଡଲାଇନ ଜାରୀ କରିଥିବା ବେଳେ ଖୋଦ ଦେଶର ପ୍ରଧାନମନ୍ତ୍ରୀ ଏହାକୁ କିଭଳି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Related Posts