ଓଡିଶାକୁ ବ୍ୟାପିଲା ହେଟ୍ କ୍ରାଇମ୍ !

ସତ୍ୟପାଠ ବ୍ୟୁରୋ : ୨୦୦୮ ପର ଠାରୁ କାଁ ଭାଁ କେବଳ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ଛାଡିଦେଲେ ଓଡିଶାରେ ଧର୍ମକୁ ନେଇ କୌଣସି ହିଂସାକାଣ୍ଡ ଘଟିନଥିବା ଜଣାଯାଏ । କିନ୍ତୁ ଗତ କିଛି ଦିନ ଧରି ଯେଭଳି ଭାବେ ବିହାର, ଆସାମ, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ହିନ୍ଦୁତ୍ୱ ନାଁରେ ଇସଲାମ ଯୁବକଙ୍କୁ ମାରପିଟ କରାଯାଉଥିବା ଖବର ମିଳିଛି ତାର ଏକ ଚିତ୍ର ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରୁ ମିଳିଥିବା ଏହି ଭିଡିଓଟି ଅତ୍ୟନ୍ତ ଚିନ୍ତାଜନକ ଏବଂ ଉଦବେଗଜନକ । ଯେଉଁଥିରେ ଜଣେ ମୁସଲିମ ଯୁବକକୁ କିଛି ହିନ୍ଦୁ ଯୁବକ ବଜରଙ୍ଗ ଦଳ ଓ ଆରଏସଏସ ନାଁରେ ଆକ୍ରମଣ କରୁଛନ୍ତି ଓ ଶାରିରୀକ ଆଘାତ ଦେଉଛନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ଯାହାକୁ ଅନୁଧ୍ୟାନ କରି ସତର୍କତାମୂଳକ ପଦକ୍ଷେପ ନେବା ଏବେ ଜରୁରୀ ହୋଇଛି । ନଚେତ ଏହି ଛୋଟିଆ ଘା’ ଆସନ୍ତାକାଲି କ୍ୟାନସରର କାରଣ ହୋଇପାରେ ।

ଭିଡିଓଟି କେଉଁ ସ୍ଥାନରେ ସୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ ସେମାନଙ୍କ କଥାବାର୍ତ୍ତାରୁ ମୁସଲିମ ଯୁବକ ଜଣକ ନୟାଗଡର ବୋଲି ଜଣାପଡୁଛି । କଥାବାର୍ତ୍ତାରୁ ଯାହା ବୁଝା ପଡୁଛି ସଂପୃକ୍ତ ଯୁବକ ଜଣକ ଜଣେ ହିନ୍ଦୁ ଯୁବକକୁ ମାଡ ମାରିଥିଲା । ପରେ ମାଡ ଖାଇଥିବା ଯୁବକ ଓ ତାର ସାଙ୍ଗମାନେ ତାକୁ କୌଣସି ଏକ ବଜାରରେ ଏ ନେଇ ପଚାରିଛନ୍ତି ଓ ଚାପୁଡା ମାରିଛନ୍ତି । ପରବର୍ତ୍ତୀ ସମୟରେ ତାକୁ ଏକ ଅଜଣା ସ୍ଥାନକୁ ନେଇ ରାଗ ଶୁଝାଇବାକୁ ଚାହିଁଛନ୍ତି । ଯାହାକି ସେମାନଙ୍କୁ ମଧ୍ୟରୁ କେହି ମୋବାଇଲରେ ସୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛି ।

ସେମାନଙ୍କ କଥାବାର୍ତ୍ତାର କିଛି କିୟଦଂଶ ଆମେ ଏଠାରେ ଉପସ୍ଥାପନା କରୁଛୁ… ଅଶାଳୀନ ଭାଷାର ପ୍ରୟୋଗ ଯୋଗୁଁ ଭିଡିଓକୁ ଯଥାସମ୍ଭବ ସତ୍ୟପାଠ ଟିମ୍ ସତର୍କତାର ସହ ତର୍ଜମା କରିଛି ।

ଆମ ହିନ୍ଦୁ ଭାଇଙ୍କୁ ବାଡେଇବୁ ତୁ… ହିନ୍ଦୁସ୍ତାନ କାହାର ? କହ ହିନ୍ଦୁସ୍ତାନ ହିନ୍ଦୁ ମାନଙ୍କର… ଯୋ ରାମ କୀ ନେହିଁ ବୋ କିସି କାମ କି ନାହିଁ… ଜୟ ଶ୍ରୀରାମ କହିବୁ ନହେଲେ ତୋ ଘରେ ପଶିକି ପିଟା ହେବ… ଭାରତ ମାତାକୀ ଜୟ କହ.. କହ ବନ୍ଦେ ମାତରମ୍… ପାକିସ୍ତାନ ମୁର୍ଦ୍ଦାବାଦ… ହିନ୍ଦୁସ୍ତାନ ଜିନ୍ଦାବାଦ… କହ ମୁଁ ଏବେ ହିନ୍ଦୁ ହେବି.. ମୁସଲିମ୍ ଧର୍ମକୁ ମୁଁ ଘୃଣା କରେ…

ବଜରଙ୍ଗ ଦଳ କଣ ଜାଣିଛୁ .. ଆରଏସଏସ୍ ମାନେ କଣ ଜାଣିଛୁ.. ବେଡିଂ ପତ୍ର ଧର ପାକିସ୍ତାନ ଯା.. ହିନ୍ଦୁସ୍ତାନରେ ରହିବାକୁ ହେଲେ ହିନ୍ଦୁ ହେବାକୁ ପଡିବ.. ଜୟ ଶ୍ରୀରାମ କହିବାକୁ ପଡିବ… ଛେପ ପକା, ନାକ ଘଷ… କହ ଭାରତ ମାତାକୀ ଜୟ..

କହ ମୁଁ ଆଜିଠୁ ମୁସଲିମ୍ ଧର୍ମରୁ ବିତାଡିତ ହେଲି.. ମୋତେ ମୁସଲିମ ଧର୍ମ ପସନ୍ଦ ନୁହେଁ.. ମୁସଲିମ୍ ମାନେ ସମସ୍ତେ … କହ ହିନ୍ଦୁ କେବେ ଠୁ ହେବୁ .. ଆଜି ଠୁ ହେବୁ…

ଏଥିଲା ମୁସଲିମ୍ ଯୁବକକୁ ହିନ୍ଦୁ ଯୁବକଙ୍କୁ ଜବାବ । ତେବେ ଏଠାରେ କହି ରଖିବାକୁ ଚାହୁଁ ଯେ, ନିଜକୁ ହିନ୍ଦୁ ବୋଲି କହି ବଜରଙ୍ଗ ଦଳ ଓ ଆରଏସଏସର ମୌଳିକତା ବୁଝାଉଥିବା ଏହି ଯୁବକମାନେ ପ୍ରକୃତରେ କଣ ତାହା କେହି ଜାଣନ୍ତି ନାହିଁ । କିନ୍ତୁ ଏକଥା ସତ ଯେ, ଗୋଟିଏ ଦର୍ମର ଯୁବକଙ୍କୁ ଯେଭଳି ଭାବେ ଆକ୍ରମଣ କରାଯାଇଛି ତାହା ନିନ୍ଦନୀୟ । ବଡ କଥା ହେଉଛି ହିନ୍ଦୁ ଧର୍ମରେ ପିଲାଟି ବେଳୁ ସର୍ବଧର୍ମ ସମନ୍ୱୟ ଓ ବସୁଧୈବ କୁଟୁମ୍ବକମ୍ ଭଳି ଶବ୍ଦର ଅର୍ଥ ବୁଝା ଯାଇଯାଇଥିଲେ ବି ତାହାର ଗୁରୁତ୍ୱ ରହୁନାହିଁ । ଯାହାର ପରିଣାମ ଏଭଳି କିଛି ଚିତ୍ର ସାମ୍ନାକୁ ଆଣୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଜରଙ୍ଗ ଦଳ ଓ ଆରଏସଏସ ନାଁରେ କିଛି ଅସାମାଜିକ ବ୍ୟକ୍ତି ଏଭଳି ହିଂସା ଭିଆଉଛନ୍ତି । ଯେଉଁଥିପାଇଁ ସଂପୃକ୍ତ ସଂସ୍ଥା , ବ୍ୟକ୍ତି ବା ଅନୁଷ୍ଠାନ ନିନ୍ଦିତ ହେଉଛନ୍ତି । ଭାରତରେ ରହିବାକୁ ହେଲେ ଜୟ ଶ୍ରୀରାମ ଓ ଭାରତ ମାତା କୀ ଜୟ କହିବା ସହ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପଡିବ ବୋଲି ଭାରତରେ କିଛି ନିର୍ଦ୍ଦିଷ୍ଟ ସାମ୍ବିଧାନିକ ନିୟମ ବା କଟକଣା ନାହିଁ । ସବୁ ଜାତି ଓ ସବୁ ଧର୍ମକୁ ଭାରତୀୟ ସମ୍ବିଧାନ ସମ୍ମାନ ଦେଇଛି । ଏହାକୁ ମଧ୍ୟ ବୁଝିବାକୁ ପଡିବ ।

ଜରୁରୀ ସୂଚନା : ସତ୍ୟପାଠ କୌଣସି ଜାତି, ଧର୍ମ ବା ସଂପ୍ରଦାୟିକ ହିଂସାକୁ ପ୍ରୋତ୍ସାହନ ଦିଏନାହିଁ । ସତ୍ୟପାଠରେ ଏହି ଭିଡିଓଟି ହସ୍ତଗତ ହେବା ପରେ ଅନେକ ବିଚାର ବିମର୍ଷ ଓ ଆଲୋଚନା କରି ଆମେ ଏହି ଖବର ପ୍ରସାରଣ କରୁଅଛୁ । ରାଜ୍ୟରେ ଧର୍ମ ଓ ଜାତିକୁ ନେଇ କୌଣସି ସାମ୍ପ୍ରଦାୟିକ ସ୍ଥିତି ସୃଷ୍ଟି ହେବା ପୂର୍ବରୁ ରାଜ୍ୟ ସରକାର, ଗୃହ ବିଭାଗ, ପୁଲିସ ଡିଜି ସମସ୍ତେ ଏହି ଭିଡିଓକୁ ଅନୁଧ୍ୟାନ କରି ଆଶୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ମନେ କରି ସତ୍ୟପାଠ ଏହି ଭିଡିଓକୁ ଖବର ଆକାରରେ ପ୍ରସାରଣ କରୁଅଛି । ଏହାକୁ ନେଇ କୌଣସି ମତଭେଦ ବା ଅସନ୍ତୋଷ ସୃଷ୍ଟି ନକରିବାକୁ ସତ୍ୟପାଠ ଅନୁରୋଧ କରୁଅଛି ।
Related Posts