ନିକଟରେ ଟିଭି ସୋ ‘କଫି ୱିଥ୍ କରନ’ରେ ମହିଳାଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ ଦେବା ପାଇଁ ଟିମ୍ ଇଣ୍ଡିଆର ଅଲ୍ରାଉଣ୍ଡର ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ବ୍ୟାଟସମ୍ୟାନ୍ କେ. ଏଲ୍ ରାହୁଲଙ୍କୁ ବିସିସିଆଇ ନିଲମ୍ବିତ କରିଦେଇଛନ୍ତି । ଏହା ପରେ ଏବେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି ।
ସୋସିଆଲ୍ ମିଡିଆରେ ଫ୍ୟାନ୍ ମାନଙ୍କ ମଧ୍ୟରେ ଏକ ନୂଆ ତର୍କ ଆରମ୍ଭ ହୋଇଯାଇଛି । ଯେଉଁଥିରେ ଏକଥାକୁ ନେଇ ଚର୍ଚ୍ଚା ହେଉଛି ଯେ ପାଣ୍ଡ୍ୟା ଓ ରାହୁଲଙ୍କୁ ସସ୍ପେଣ୍ଡ କରିବା ଠିକ୍ ନା ଭୁଲ । ଜଣେ ୟୁଜର ବିରାଟ କୋହଲିଙ୍କର ଏକ ପୁରୁଣା ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ବିରାଟ କୋହଲି ନିଜର କୌଣସି ଡେଟିଂ ବାବଦରେ କହୁଛନ୍ତି ।
ଭିଡ଼ିଓକୁ ପୋଷ୍ଟ କରି ଏହି ଟ୍ବିଟର ବ୍ୟବହାରକାରୀ BCCIକୁ ପ୍ରଶ୍ନ କରୁଛନ୍ତି ଯେ ଏହି ମନ୍ତବ୍ୟ ପାଇଁ ବିରାଟ କୋହଲିଙ୍କୁ କେତେ ଦିନର ବ୍ୟାନ୍ ଲାଗିବ । ଏହି ସାକ୍ଷାତକାରରେ ବିରାଟ କୋହଲି ଜଣେ ମହିଳା ସାମ୍ବାଦିକଙ୍କ ସହ ନିଜର ଏକ ଡେଟିଂ ବାବଦରେ ଆଲୋଚନା କରୁଛନ୍ତି । ସାମ୍ବାଦିକା କୋହଲିଙ୍କୁ ପ୍ରଶ୍ନ କରିବାରେ ବିରାଟ ତାଙ୍କୁ ଜବାବ୍ ଦେଇ କହୁଛନ୍ତି, ‘ମୁଁ ଗୋଟିଏ ଡେଟ୍ରେ ଯାଇଥିଲି, ମାତ୍ର ତାହା କେବଳ 5 ମିନିଟ୍ ପାଇଁ ଥିଲା । କାରଣ ସେ ଝିଅ ଖୁବ୍ ଅସୁନ୍ଦରୀ ଥିଲା । ଯୁବତୀ ସୁନ୍ଦର ନ ଥିଲା, ସେଥିପାଇଁ ମୁଁ ସେଠାରୁ ଖସି ଆସିଲି । ’
ଆପଣଙ୍କୁ କହିରଖୁଛୁ ଯେ ଟିଭି ସୋ’ରେ ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପାଇଁ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ କେ.ଏଲ୍ ରାହୁଲଙ୍କୁ ସସ୍ପେଣ୍ଡ କରିଦେଇଛି ବିସିସିଆଇ । ଏ ଦୁହିଁଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।