ପାକିସ୍ତାନରେ ଦେଖାଦେଇଛି ରାଜନୈତିକ ସଙ୍କଟ । ହଟଚମଟ ମଧ୍ୟରେ ରବିବାର ସଂସଦ ଭଙ୍ଗ ହୋଇଥିବା ବେଳେ, ଆସନ୍ତା ୯୦ ଦିନ ଭିତରେ ନିର୍ବାଚନ ହେବ। ସେପଟେ ଏନେଇ ଆଜି ପାକିସ୍ତାନ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବାର ଥିଲା। ମାତ୍ର ଏହା ପୂର୍ବରୁ ଉପ ବାଚସ୍ପତି ବିଦେଶୀ ଷଡଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଛନ୍ତି। ଯାହାର ବିରୋଧ କରିଛନ୍ତି ବିରୋଧି । ଏନେଇ ଏହାର ପ୍ରତିବାଦରେ ବିରୋଧୀ ଦଳ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି।
ପାକିସ୍ତାନ ପ୍ରଧାନ ବିଚାରପତି ମାମଲାର ଶୁଣାଣି ପାଇଁ ସ୍ଵତନ୍ତ୍ର ପୀଠ ଗଠନ କରିଛନ୍ତି। ଇମ୍ରାନ ସରକାର ସମ୍ବିଧାନକୁ ପାଦରେ ଦଳି ଦେଇଥିବା କହିଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ନେତା ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀ। ବିଲାଓ୍ଵଲ କହିଛନ୍ତି, ପାକିସ୍ତାନକୁ ଜଣା ଯେ, ବିରୋଧୀ ନିକଟରେ ସଂଖ୍ୟାବଳ ଥିଲା। ଶେଷ ମୁହୂର୍ତ୍ତରେ ବାଚସ୍ପତି ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି। ପାକିସ୍ତାନର ସମ୍ବିଧାନକୁ ଭାଙ୍ଗିବାକୁ ଉଦ୍ୟମ କରାଯାଇଛି। ୟୁନାଇଟେଡ୍ ଅପୋଜିସନ ନିଷ୍ପତ୍ତି ନେଇଛି ଯେ ପର୍ଯ୍ୟନ୍ତ ସାମ୍ବିଧାନିକ ଅଧିକାର ମିଳିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନର ସଂସଦ କୁହାଯାଉଥିବା ନ୍ୟାସନାଲ ଆସେମ୍ବଲିରେ ଧାରଣା ଦେବେ।
ଜର୍ଦ୍ଦାରୀ କହିଛନ୍ତି ଇମ୍ରାନ ଖାନ ବାଚସ୍ପତିଙ୍କ ବିରୋଧରେ ଷଡଯନ୍ତ୍ର କରି ତାଙ୍କର ଅଧିକାର ଛଡାଇ ନେଇଛନ୍ତି। ଏହା ଇମ୍ରାନଙ୍କ ପିଲାଳିଆମି। ଏମିତି ହୀନ କାମ କରି ସେ ନିଜର ପ୍ରକୃତ ପରିଚୟ ଦେଇ ଦେଇଛନ୍ତି। ଯଦି ଇମ୍ରାନ ଖାନ ଗଣତନ୍ତ୍ର ସହ ଅଛନ୍ତି ତେବେ କ୍ଷମତା ଚାଲିଯିବାକୁ ଏତେ ଭୟ କାହିଁକି କରୁଛନ୍ତି। ଇମ୍ରାନ ଖାନ ନିଜର ଭାଷଣରେ କହିଥିଲେ, ସେ ରାଷ୍ଟ୍ରପତି ଅଲଭିଙ୍କୁ ସଂସଦ ଭଙ୍ଗ କରିବାକୁ ପରାମର୍ଶ ଦେଇଥିଲେ। ଏହାର କିଛି ସମୟ ପରେ ଧାରା ୫ର ଉଲ୍ଲେଖ କରି ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଛନ୍ତି।