ଭୁବନେଶ୍ବର: ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଉପରୁ ପରଦା ଉଠିଥିଲେ ମଧ୍ଯ ଆଉ କିଛି ତଥ୍ୟ ଉପରୁ ପରଦା ଉଠିବା ବାକି ରହିଯାଇଛି । ଯେଉଁ ମେମୋରି ଚିପ୍ ପାଇଁ ମାନସ କୁ ହତ୍ୟା କରାଯାଇଥିଲା ତାହା ଉପରୁ ପରଦା ଉଠିବା ବାକି ରହିଛି। ତେବେ ଏହାରି ମଧ୍ୟରେ ଅଭିଯୁକ୍ତ ମାନଙ୍କ ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ, କ୍ରାଇମବ୍ରାଞ୍ଚ୍ ଆଜି ପୁଣି ଅଭିଯୁକ୍ତ ମାନକୁ ରିମାଣ୍ଡ ରେ ନେବା ପାଇଁ ଅନୁରୋଧ କରିଚି । ତେବେ ଏହି ଯୁକ୍ତି କରି ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ସୂଚନାଯୋଗ୍ୟ ଯେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ପୁଣି ରିମାଣ୍ଡ ଅନୁମତି ମିଳିଛି । ପୂର୍ବରୁ ନିରଞ୍ଜନ, ରଞ୍ଜନ, ଝୁନା ଓ ଶର୍ମିଷ୍ଠାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ୫ ଦିନ ରିମାଣ୍ଡ ଅନୁମତି ମିଳିଥିଲା । ରିମାଣ୍ଡ ଅବଧି ସରିବା ପରେ ଆଜି ଦିନ ୨ ଟା ୩୦ ମିନିଟରେ ଚାନ୍ଦବାଲି jmfcଙ୍କ ନିକଟରେ ହାଜର କରିଥିଲେ ।
କାଗଜପତ୍ର ଓ ରିମାଣ୍ଡ ଆବେଦନ ପ୍ରକ୍ରିୟା ପରେ ଦିନ ପ୍ରାୟ ୩ ଟା ୩୦ ମିନିଟ ପରେ ମାନ୍ୟବର ବିଚାରପତିଙ୍କ ନିକଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ପୁଣି ତଦନ୍ତର ଆବଶ୍ୟକତା ନେଇ ଯୁକ୍ତି ରଖି ପୁଣି ୪ ଜଣଙ୍କୁ ୫ ଦିନର ରିମାଣ୍ଡ ଅନୁମତି ମାଗିଥିଲେ । ମାତ୍ର ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ପରେ ମାନ୍ୟବର ବିଚାରପତି ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣି ୩ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । କେତେକ ସର୍ତ୍ତ ଆଧାରରେ ଆସନ୍ତା ୭ ତାରିଖ ଦିନ ୧ ସୁଦ୍ଧା କୋର୍ଟରେ ହାଜର ପାଇଁ ଅନୁମତି ଦେଇଥିଲେ ।
ତେବେ ୪ ଜଣଙ୍କୁ କୋର୍ଟରେ ହାଜର ବେଳେ ଚାନ୍ଦବାଲି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋର୍ଟର ଦୁଇ ଗେଟକୁ ବନ୍ଦ କରାଯିବା ସତ୍ତ୍ୱେ ଲୋକେ ଗେଟ ବାହାରୁ ହୋ ହାଲ୍ଲା କରିଥିଲେ ।





