ଧାମନଗର NACର ୬ଟି ବୁଥ୍ ରେ ଭୋଟ ଗଣତି ଶେଷ: ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭଦ୍ରକ : ଧାମନଗର NACର ୬ଟି ବୁଥ୍ ରେ ଗତକାଲି ମତଦାନ ହୋଇଥିବା ବେଳେ, ଆଜି ଭୋଟ ଗଣତି ହୋଇଥିଲା | ତେବେ ସରିଛି ଭୋଟ ଗଣତି । ବିଜେଡି ହାତକୁ ଯାଇଛି ଧାମନଗର ଏନ୍ଏସି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ। ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇଲେ ନିବେଦିତା । ଏନ୍ଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟି ବିଜେପି ହାତକୁ ଯାଇଛି।

ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍‌ଏସି ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ଭୋଟ୍‌ ଗଣତିକୁ ବନ୍ଦ କରାଯାଇଥିଲା। ତା’ ସହିତ ଧାମନଗର ଏନ୍‌ଏସିର ୨ ନମ୍ବର ୱାର୍ଡର ୩ ନଂ ବୁଥ୍, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍‌ରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ ଗତକାଲି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଗଣତି।

ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଗଣତି କେନ୍ଦ୍ର ପାଖରେ ଲାଗୁ ହୋଇଛି ୧୪୪ ଧାରା।

ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ବିଜୟ ଶୋଭାଯାତ୍ରାକୁ ମଧ୍ୟ ନିଷେଧ କରାଯାଇଛି । ଏହି ସମୟରେ ମଧ୍ୟ କୌଣସି ସଭାସମିତି ଓ ଶୋଭାଯାତ୍ରା ଇତ୍ୟାଦି କରାଯାଇ ପାରିବ ନାହିଁ ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ମଧ୍ୟ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।

Related Posts