‘ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କର’ : ବିଜେପିକୁ ମୌର୍ଯ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପୂର୍ବରୁ ଯୋଗୀ ଆଦିିତ୍ୟନାଥଙ୍କ ସରକାରରେ ଅସ୍ଥିରତା ଦେଖାଦେଇଛି । ବିଶେଷକରି ଓବିସି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା କଥା ସାମ୍ନାକୁ ଆସିବା ପରେ । ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାରର ଆଗମୀ କଣ ରଣନୀତି ରହିବ, ଏହା ଉପରେ ସାରା ଦେଶର ନଜର ବର୍ତ୍ତମାନ ରହିଛି । କାହିଁକିନା ୟୁପି ନିର୍ବାଚନ ଆରମ୍ଭ ହେବାକୁ ୩୦ ଦିନରୁ କମ ସମୟ ଥିବାବେଳେ ମୌର୍ଯ୍ୟଙ୍କ ଇସ୍ତଫା ଦେବା ବିଜେପି ପାଇଁ ଏକ ବଡ଼ ପ୍ରତିବନ୍ଧକ ବୋଲି ବିବେଚନା କରାଯାଉଛି । ସେପଟେ ସ୍ୱାମୀଙ୍କର ଇସ୍ତଫା ଦେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ କଳ୍ପନା ଜଳ୍ପନା ଚାଲିଛି । ଏହା ମଧ୍ୟରେ ଏନେଇ ସ୍ୱାମୀ ମୁହଁ ଖୋଲିଥିବାର ଦେଖିବାକୁ ମିଳିଛି ।

ତେବେ ସମସ୍ତ ଉତ୍ତର ଜାନୁଆରୀ ୧୪ରେ ମିଳିବ ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସ୍ପଷ୍ଟ କରିଛନ୍ତି । ଏହା ସହ ପଛୁଆ ବର୍ଗର ସମସ୍ୟା ନେଇ ବିଜେପି ବଧିର ଅଟେ । ଦଳ ମୋତେ ମନ୍ତ୍ରୀ କରି କୌଣସି ଅନୁକମ୍ପା ଦେଖାଇ ନାହିଁ । ଏପରିକି ୨୦୧୭ ମସିହାରେ ଜିତି ବିଜେପି ତାର ୧୪ ବର୍ଷର ବନବାସ ପୂରଣ କରିଛି । ତେଣୁ ବିଜେପି ତାଙ୍କୁ କୃତଜ୍ଞତା ଜଣାଇବା ଉଚିତ ବୋଲି ସ୍ୱାମୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ମୁଁ କୁଆଡ଼େ ଯିବି, କୁଆଡ଼େ ଯିବିନି ଏନେଇ ଜାନୁଆରୀ ୧୪ରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସ୍ୱାମୀ ଗଚ୍ଚମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ସହିତ ଅତି କମରେ ୪ ଜଣ ବିଧାୟକଙ୍କୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ନେଇପାରିବେ ବୋଲି ଅନୁମାନ କରାଯାଉଛି ।

ପାଞ୍ଚ ଥର ବିଧାୟକ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପରୋକ୍ଷରେ ବିଜେପିକୁ ଧମକ ଦେଇଛନ୍ତି । ଗତ ଦୁଇଟି ବିଧାନସଭା ନିର୍ବାଚନ ପୂର୍ବରୁ ସେ ତାଙ୍କ ବିଜେତା ଦଳ ବାଛିବା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ତେବେ ମୁଁ ବହୁଜନ ସମାଜ ପାର୍ଟି ଛାଡ଼ିବା ପୂର୍ବରୁ ଏହା ୟୁପିରେ ଏକ ନମ୍ବର ଥିଲା । କିନ୍ତୁ ବର୍ତ୍ତମାନ ୟୁପିରେ ବିଏସପି କୌଣସି ସ୍ଥାନରେ ନାହିଁ । ମୁଁ ଯେତେବେଳେ ବିଜେପିରେ ଯୋଗ ଦେଲି, ସେତେବେଳେ ବିଜେପିର ୧୪ ବର୍ଷ ବନବାସ ସମାପ୍ତ ହେଲା ଏବଂ ସଂଖ୍ୟାଗରିଷ୍ଠତାର ଏକ ସରକାର ଗଠନ କଲା । ଏପରିକି ମୁଁ ଇସ୍ତଫା ଦେବା ପରେ ବିଏସପି ଭୁଶୁଡ଼ି ପଡ଼ିଛି । ମୋ ପାଇଁ ଉତ୍ତରପ୍ରଦେଶରେ ବିଜେପିର ଲୋକପ୍ରିୟତା ବଢ଼ିଛି ।

ମୋତେ ମନ୍ତ୍ରୀ କରି ଭାରତୀୟ ଜନତା ପାର୍ଟି କୌଣସି ଅନୁକମ୍ପା ଦେଖାଇ ନାହାନ୍ତି । ବିଜେପିର ଉତ୍ତରପ୍ରଦେଶରେ ଶେଷ ଖେଳ ଆରମ୍ଭ ହୋଇଛି ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟ କହିଛନ୍ତି । ସେପଟେ ବିଜେପି ନିଜର ଦଳକୁ ଶକ୍ତିଶାଳୀ କରିବା ପାଇଁ ଅନେକ ରଣନୀତି ଆପଣାଉଛି । ହେଲେ ଜଣେ ପରେ ଜଣେ ନେତାଙ୍କର ଇସ୍ତଫା ଦେବା ଘଟଣା ବିଜେପିକୁ ଚିନ୍ତାରେ ପକାଇଛି । ଏପରିସ୍ଥିତିରେ ବିରୋଧୀ ଦଳ କଣ ରଣନୀତି ଆପଣାଉଛନ୍ତି ତାହା ଦେଖିବାର ବିଷୟ ।

Related Posts