ଆଜିକୁ ୮ମ ଦିନରେ ପହଁଚିଛି ଋଷ-ୟୁକ୍ରେନ ଯୁଦ୍ଧ। ଉଭୟଙ୍କ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ୠଷର ପ୍ରଚଣ୍ଡ ଆକ୍ରମଣର କଡ଼ା ଜବାବ ଦେବାରେ ଲାଗିଛି ୟୁକ୍ରେନ । ଋଷ ସେନା ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧିନକୁ ନେବାକୁ ଲାଗିଛନ୍ତି ।ତେବେ ଏହାଭିତରେ ଚେର୍ନିହିବ ସହରରେ ଥିବା ତେଲ ଡିପୋକୁ ଟାର୍ଗେଟ କରିଛି ଋଷ ସେନା । ମିଜାଇଲ ମାଡରେ ଧ୍ୱସଂ ହୋଇଯାଇଛି ଅଏଲ ଡିପୋ । ପ୍ରଚଣ୍ଡ ବିସ୍ଫୋରଣ ପରେ ଜଳିଯାଇଛି ତେଲ ଡିପୋ ।
ତେବେ ଏସବୁ ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯେ, ଋଷର ମେଜର ଜେନେରାଲଙ୍କର ୟୁକ୍ରେନରେ ମୃତ୍ୟୁ ହୋଇଛି । ନ୍ୟୁଜ୍ ଏଜେନ୍ସି ନେକ୍ସଟା ପକ୍ଷରୁ ଯେଉଁ ଦାବି କରାଯାଇଛି ସେଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ୟୁକ୍ରେନରେ ଯୁଦ୍ଧ ଭିତରେ ଋଷର ମେଜର ଜେନେରାଲ ଆନ୍ଦ୍ରେଇ ସୁଖୋବସ୍ତକିଙ୍କର ମୃତ୍ୟୁ ହୋଇଛି । ଏହାଛଡା ଋଷ ସେନାର ଅନେକ ଯୁଦ୍ଧାସ୍ତ୍ର ନଷ୍ଟ କରିଥିବା ନେଇ ୟୁକ୍ରେନ ଦାବି କରିଛି । ଯୁଦ୍ଧର ଅଷ୍ଟମ ଦିନରେ ଋଷର ୩୦ଟି ବିମାନ, ୩୧ ହେଲିକପ୍ଟର, ୨୧୭ ଟ୍ୟାଙ୍କ ସମେତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରକୁ ମଧ୍ୟ ନଷ୍ଟ କରାଯାଇଛି । ଏପରିକି ୟୁକ୍ରେନ୍ କହିଛି ଏଯାବତ୍ ଋଷର ୯୦୦୦ ସୈନିକଙ୍କୁ ମାରିଛୁ ।
ଏସବୁ ଭିତରେ ଆଲୋଚନା ମାଧ୍ୟମରେ ଯୁଦ୍ଧ ସମାପ୍ତ କରିବାକୁ ମସ୍କୋ ପ୍ରସ୍ତୁତ ଥିବା କହିଛନ୍ତି ଋଷ ବୈଦଶିକ ମନ୍ତ୍ରୀ । କିନ୍ତୁ ୟୁକ୍ରେନର ମିଲିଟାରୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବାରୁ ଋଷ ହଟିବନି ବୋଲି ଚେତାଇ ଦେଇଛି ।
ସେପଟେ ୟୁକ୍ରେନ ରାଷ୍ଟ୍ରପତି ଋଷ କୁ ଚେତାବନୀ ଦେଇଛନ୍ତି ।
