ଡିଏସ୍‌ପିଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଘଟଣା: ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର୍‌କୁ ଏନ୍‌କାଉଣ୍ଟର୍‌

ନୂଆଦିଲ୍ଲୀ : ଡିଏସ୍‌ପିଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଘଟଣାରେ ପୋଲିସ୍‌ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର୍‌କୁ ଏନ୍‌କାଉଣ୍ଟର୍‌ କରିଛି ପୋଲିସ । ବେଆଇନ୍‌ ପଥର ଖାଦାନରେ ଚଢ଼ାଉ ବେଳେ ଅଭିଯୁକ୍ତ ଡିଏସ୍‌ପିଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ, ଏନେଇ ପୋଲିସ୍‌ ଆକ୍ସନ ମୁଡ୍ ରେ ଆସି ଅଭିଯୁକ୍ତ କୁ ଗିରଫ କରିବା ପାଇଁ ଜୋର୍ ଦାର ଉଦ୍ୟମ କରିଥିବା ବେଳେ ଏଥିରେ ସଫଳତା ମିଳିଥିଲା । ଏନ୍‌କାଉଣ୍ଟରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି ।

ଅଭିଯୁକ୍ତର ନାମ ଇକ୍କାର । ପଥର ଗାଡ଼ିକୁ ଅଟକାଇବା ପାଇଁ ଡିଏସ୍‌ପି ପ୍ରୟାସ କରିଥିବା ବେଳେ ଇକ୍କାର ତାଙ୍କୁ ଧକ୍କା ଦେଇ ପଳାଇଥିଲା । ପୋଲିସ୍‌ ଖୋଜାଖୋଜି କରି ଅଭିଯୁକ୍ତକୁ କାବୁ କରିବା ପାଇଁ ତା ଉପରକୁ ଗୁଳି ଚଳାଇଥିଲା । ଇକ୍କାର ଆଣ୍ଠୁରେ ଗୁଳି ବାଜିଥିବା ବେଳେ ତାକୁ ନିଲ୍‌ହାର ମେଡିକାଲ୍‌ କଲେଜ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନା ଥାଉକି ହରିୟାଣାରେ ଜମି ଓ ପଥର ମାଫିଆମାନେ ଜଣେ ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା କରିଥିଲେ । ଚଢଉ ପାଇଁ ପୋଲିସ ଅଧିକାରୀଜଣଙ୍କ ଘଟଣାସ୍ଥଳକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା ।ପ୍ରାଣ ହରାଇଥିବା ଅଧିକାରୀ ହେଲେ ସୁରେନ୍ଦ୍ର ବିଶ୍ରାଇ ।

ସୁରେନ୍ଦ୍ର ବିଶ୍ରାଇ ହରିୟାଣା ନୁହୁ ନିକଟବର୍ତ୍ତୀ ଏକ ପାହାଡ ନିକଟକୁ ପଥର ଚୋରି ରୋକିବା ପାଇଁ ଯାଇଥିଲେ । ଚଢଉ ବେଳେ ସେ ଏକ ପଥର ବୋଝେଇ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ମାଫିଆମାନେ ତାଙ୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

କୁହାଯାଉଛି ଯେ, ସକାଳ ସାଢେ ୧୧ଟାରେ ବେଆଇନ ପଥର ଖନନ ନେଇ ସୂଚନା ମିଳିବା ପରେ ସୁରେନ୍ଦ୍ର ଟିମ୍ ନେଇ ସେଠାକୁ ଯାଇଥିଲେ । ପୋଲିସକୁ ଦେଖି ମାଫିଆମାନେ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଡିଏସପିଙ୍କୁ ଧକ୍କା ଦେଇଥିଲେ ।

Related Posts