ରବି ନାରାୟଣ କର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଯାଜପୁରଜିଲ୍ଲା ଖଣି ଅଞ୍ଚଳରେ ଜଳ ଯନ୍ତ୍ରଣା । ଗୋଟିଏ କୂଅରେ ଲାଗିଛି ୨୨ ପମ୍ପ, ୭୦ ପରିବାରକୁ ଭରସା ଗୋଟିଏ ଖୋଲା କୂଅ । ତେବେ ଗୋଟିଏ ଖୋଲା ‌କୂଅରେ ଝୁଲି ରହିଛି ୨୦ରୁ ୨୨ଟି ପାଣି ମୋଟର (ପମ୍ପ୍ ସେଟ୍‌)। ଗୋଟିଏ ପମ୍ପ୍‌ରୁ ଉଠୁଥିବା ପାଣିକୁ ନେଇ ୩ ରୁ ୫ ପରିବାର ଚଳିଥା’ନ୍ତି। ଏବେ ୭୦ ରୁ ଅଧିକ ପରିବାର ଏହି ଗୋଟିଏ କୂଅ ପାଣି ଉପରେ ନିର୍ଭର କରୁଛନ୍ତି। ମାସିକ ଶହେ ଟଙ୍କା ହିସାବରେ ସେମାନେ ବିଦ୍ୟୁତ୍‌ ବିଲ୍‌ ପୈଠ କରିଥା’ନ୍ତି। ୬୧ ବର୍ଷ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ରାଁସୋଳ ପଞ୍ଚାୟତର ୬ ଓ ୭ ନମ୍ବର ୱାର୍ଡର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏହି କୂଅଟି ଲୋକଙ୍କ ଶୋଷ ମେଣ୍ଟାଇ ଆସୁଛି। ବର୍ତ୍ତମାନ ଏଠାରେ ୫ଫୁଟ ଗଭୀରର ପାଣି ରହିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ଏହି କୂଅ ସେମାନଙ୍କ ଏକମାତ୍ର ଭରସା ବୋଲି ବସ୍ତିବାସିନ୍ଦା କହିଛନ୍ତି। ତେବେ ଶିଳ୍ପ ସମୃଦ୍ଧ ଜିଲ୍ଲାର ଜଳକଷ୍ଟର ଏହି ବିକଳ ଦୃଶ୍ୟ ସମସ୍ତଙ୍କୁ ଚିକିତ କରିଛି।

ହଜାର ହଜାର କୋଟିର ପାନୀୟଜଳ ପ୍ରକଳ୍ପ, ଖଣିଜ ପାଣ୍ଠିରୁ ଖର୍ଚ୍ଚ ହେଉଥିବା ବିପୁଳ ଅର୍ଥ କାହା କାମରେ ଲାଗିଛି ତାକୁ ନେଇ ପ୍ରଶ୍ନ ଉଠିଛି। ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍‌ଆର୍‌ଡିଏସ୍), ସୁକିନ୍ଦା ଶାଖା ପକ୍ଷରୁ ଏହି କୂଅ ଖୋଳାଯାଇଥିଲା। ଜଳସ୍ତର ବର୍ଷକୁ ବର୍ଷ କମୁଥିବାରୁ ପ୍ରତି ୫ରୁ ୭ ବର୍ଷରେ ପୁନରୁଦ୍ଧାର ଆବଶ୍ୟକ ପଡ଼ିଥାଏ। ୨୦୧୯ ଏପ୍ରିଲ ମାସରେ ଏହି କୂଅର ପାଣି ପ୍ରାୟ ଶୁଖିଯାଇଥିଲା। ବସ୍ତିବାସିନ୍ଦାଙ୍କ ଉଦ୍ୟମରେ ଖନନ ଓ ପୁନରୁଦ୍ଧାର କରାଯାଇଥିଲା। ପୂର୍ବରୁ ଟିଏସ୍‌ଆର୍‌ଡିଏସ୍ ପକ୍ଷରୁ ନିୟମିତ ବର୍ଷାଦିନେ ଏହି କୂଅକୁ ବିଶୋଧନ କରାଯାଇଥାଏ।

ସଂସ୍ଥାର ପାରିପାର୍ଶ୍ବିକ ଉନ୍ନୟନ ସେବା ବନ୍ଦ ହେବା ପରେ ବସ୍ତିବାସିନ୍ଦା ନିଜ ଉଦ୍ୟମରେ ସଫେଇ କରୁଛନ୍ତି। କିନ୍ତୁ ଏହି କୂଅଟି ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ଦୃଷ୍ଟି ଆଢ଼ୁଆଳ‌ରେ ରହିଛି। ସୁକିନ୍ଦା ବୃହତ୍‌ ପାନୀୟଜଳ ପ୍ରକଳ୍ପରୁ ବିଶୁଦ୍ଧ ପାଣି ଯୋଗାଣରେ ଅନିୟମିତତା ଦେଖା ଦେଉଥିବାରୁ ଏହି କୂଅ ହିଁ ଆମକୁ ବଞ୍ଚାଇ ରଖିଛି ବୋଲି ବସ୍ତିବାସିନ୍ଦା ମତ ରଖିଛନ୍ତି।