ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବାକୁ ନେଇ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଛି । ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା ଙ୍କୁ ଭୋଟ ଦେବାକୁ ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ ସମସ୍ତ ଦଳୀୟ ବିଧାୟକଙ୍କୁ କହିଥିଲେ ମଧ୍ୟ ମୋକିମ କିନ୍ତୁ ଶରତଙ୍କ କଥାକୁ ନମାନି ଦ୍ରୌପଦୀ ଙ୍କୁ ଭୋଟ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ମୋକିମଙ୍କ ଏହି କାର୍ଯ୍ୟକଳାପ ବିଷୟରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରାଇବୁ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଏହା ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା । ଏହି ଘଟଣାରୁ ସ୍ପଷ୍ଟଭାବେ ଜଣାପଡ଼ୁଛି ସେ ମୋକିମ କଂଗ୍ରେସରେ ଅସନ୍ତୁଷ୍ଟ ଅଛନ୍ତି । ଦ୍ରୌପଦୀଙ୍କୁ ଭୋଟ ଦେବା ତାଙ୍କ ଅସନ୍ତୁଷ୍ଟତାର ଏକ ପ୍ରମାଣ । ତାଙ୍କର ଭୋଟ ଦାନ ଦଳର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ଉଠାଇଛି।
ସୂଚନା ଅନୁସାରେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯୋଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ପରିବର୍ତ୍ତେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଭୋଟେ ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମାଟିର ଝିଅଙ୍କୁ ମୁଁ ଭୋଟ ଦେଇଛି । ଜଣେ ଓଡ଼ିଆ ହିସାବରେ ଏହା ମୋର ନିଷ୍ପତ୍ତି । ମୋ ନିଜ ବିବେକକୁ ପଚାରି ମୁଁ ଭୋଟ ଦେଇଛି । ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ତେବେ ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନମାନି ଦ୍ରୌପଦି ମୁର୍ମୁଙ୍କୁ ଭୋଟ ଦେବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ଦ୍ରୌପଦୀଙ୍କ ବିଜୟରେ ମୋ ଭୋଟ ଖଣ୍ଡିକ ମିଶିଲେ ମୁଁ ଗର୍ବିତ ହେବି । ମୁଁ ବିଜେଡି ଓ ବିଜେପିର ରାଜନୀତିରେ ପଶିବାକୁ ଚାହୁଁନି । ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ହୁଇପ ନଥାଏ, ତେଣୁ ମୁଁ ମୋ ବିବେକ ଅନୁସାରେ ଜଣେ ଓଡ଼ିଆ ଝିଅଙ୍କୁ ଭୋଟ ଦେଇଛି ।
