ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଏହା ମଧ୍ୟରେ କିଛି ଦିନ ହେଲା ରୁଷ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରୁଷ। ତେବେ କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ, ଆମର ଏକ ସାଧାରଣ ସୁରକ୍ଷା ନୀତି ରହିଛି। ଏହି ନୀତି ଅନୁଯାୟୀ ଯେତେବେଳେ ଦେଶର ଅସ୍ତିତ୍ବ ପ୍ରତି ବିପଦ ଆସିବ, ସେତେବେଳେ ଆମେ ବିପଦକୁ ଦୂର କରିବା ପାଇଁ ଆମେ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ। ଅନ୍ୟପକ୍ଷରେ ଏକ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ରୁଷ୍ ୟୁକ୍ରେନ୍ର ମାନବୀୟ ପଥ ଉପରେ ଆକ୍ରମଣ ଯୋଜନା କରୁଛି। ରୁଷ୍ର ଆକ୍ରମଣ ଯୋଜନା ପାଇଁ ୟୁକ୍ରେନ୍ ମାନବୀୟ କରିଡର୍ ବନ୍ଦ ରଖିଛି ବୋଲି ଦାବି କରିଛି। ୟୁକ୍ରେନ୍ ଉପପ୍ରଧାନମନ୍ତ୍ରୀ ଏକ ବିବୃତି ଜାରି କରି ଏହା କହିଛନ୍ତି। ୟୁକ୍ରେନ୍ର ବନ୍ଦର ସହର ମାରିୟୁପୋଲ୍ରେ ଅତି ଭୟଙ୍କର ସ୍ଥିତି ଉପୁଜିଛି।
ମାରିୟୁପୋଲ୍ ଦଖଲ ପାଇଁ ରୁଷ୍ ଆକ୍ରମଣ ଜାରି ରଖିଛି। ମାରିୟୁପୋଲ୍ରେ ୯୦ ପ୍ରତିଶତ ଘର ଧ୍ବଂସ ହୋଇଯାଇଛି। ୬୦ ପ୍ରତିଶତ ଘର ଉପରେ ସିଧାସଳଖ ଆକ୍ରମଣ ହୋଇଛି। ସହରରେ ୭ଟି ହସ୍ପିଟାଲ୍ ନଷ୍ଟ ହୋଇଯାଇଛି। ଏଥି ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି। ୩ଟି ମାଟର୍ନିଟି ହସ୍ପିଟାଲ୍, ୫୭ ସ୍କୁଲ୍ ଏବଂ ୭୦ କିଣ୍ଡରଗାର୍ଟେନ୍ ଧ୍ବଂସ ହୋଇଛି। ମାରିୟୁପୋଲ୍ ମେୟର ଆଜି ଏକ ବିବୃତି ଜାରି କରି ମାରିୟୁପୋଲ୍ରେ ଜାରି ରହିଥିବା ଶୋଚନୀୟ ସ୍ଥିତି ସଂକ୍ରାନ୍ତରେ କହିଛନ୍ତି। ମାରିୟୁପୋଲ୍ ମେୟର କହିଛନ୍ତି, ଏବେ ଆମ ହାତରେ ଆଉ କିଛି ନାହିଁ। ଆମେ ଏବେ ରୁଷ୍ ସୈନିକଙ୍କ କବ୍ଜାରେ। ମାରିୟୁପୋଲ୍ରୁ ସମ୍ପୂର୍ଣ୍ଣ ଉଦ୍ଧାର କାର୍ୟ୍ୟ ପାଇଁ ସେ ଅନୁରୋଧ କରିଛନ୍ତି। ମେୟରଙ୍କ ଅନୁଯାୟୀ ମାରିୟୁପୋଲ୍ରେ ଏବେ ପ୍ରାୟ ୧୬୦,୦୦୦ ଲୋକ ଫସି ରହିଛନ୍ତି। ବିନା ଖାଦ୍ୟ , ପାଣି ଏବଂ ବିଜୁଳିରେ ଏଠାରେ ବଞ୍ଚିବା ଅସମ୍ଭବ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।