ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗରର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ଆଜି ବିଧାୟକ ପଦର ଶପଥପାଠ କରିଛନ୍ତି। ବିଧାନସଭାରେ ବାଚସ୍ପତି ବିକ୍ରମ ଆରୁଖ ତାଙ୍କୁ ଶପଥପାଠ କରାଇଛନ୍ତି। ବିଧାନସଭାକୁ ଯିବା ପୂର୍ବରୁ ସୁରଜ ପ୍ରଥମେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲ। ସେଠାରେ ବିଜେପିର କର୍ମୀ ଏବଂ ନେତାମାନେ ସୂରଜଙ୍କୁ ଶୁଭେଚ୍ଛା ଜଣାଥିଲେ।
ତେବେ ଏହାରି ମଧ୍ୟରେ ଦଳ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଛି। ଆଗାମୀ ପଦ୍ମପୁର ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ସୂର୍ଯ୍ୟବଂଶୀ। ଧାମନଗର ନିର୍ବାଚନରେ ଶାସକ ଦଳକୁ ମାତ୍ ଦେଇ ବିଜୟ ହାସଲ କରିଥିବାରୁ ତାଙ୍କୁ ପଦ୍ମପୁରରେ ଦଳ ବ୍ୟବହାର କରିବ। ଏ ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।
ତେବେ ପଦ୍ମପୁର ଉପନିର୍ବାଚନ ପାଇଁ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ଉପନିର୍ବାଚନ ଦାୟିତ୍ୱରେ ରହିଛନ୍ତି।
ତେବେ ଏନେଇ ଜୟ ନାରାୟଣ କହିଛନ୍ତି ଯେ, ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେପି ଜୋରସୋରରେ ଲଢ଼େଇ କରିବ। ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ବିଧାନସଭାରେ ଆମେ ୨୩ ବିଧାୟକ ନିର୍ବାଚିତ ହୋଇଥିଲୁ। ବାଲେଶ୍ଵର ଉପନିର୍ବାଚନରେ ହାରିବା ଏବଂ ଧାମନଗରରେ ଜିତିବା ପରେ ଆମର ସଂଖ୍ୟା ୨୨ ହୋଇଛି। ପଦ୍ମପୁରରେ ଜିତି ଆମେ ଏହି ସଂଖ୍ୟାକୁ ପୁଣି ୨୩ରେ ପହଞ୍ଚାଇବୁ। ଆଉ ୨୦୨୪ରେ ଦୁଇ ତୃତୀୟଂଶ ସିଟ ନେଇ ଆମେ ସରକାର ଗଢିବୁ ବୋଲି କହିଛନ୍ତି ଜୟ ନାରାୟଣ ମିଶ୍ର।
ସେପଟେ ବିଜେଡି କହିଛି ଯେ, ପଦ୍ମପୁର ଆମର ଥିଲା ଆମର ହିଁ ରହିବ। ଆମେ ନିଶ୍ଚିତ ବିଜୟ ହାସଲ କରିବୁ। ଯେଉଁମାନେ କହୁଛନ୍ତି ସେମାନେ କେବଳ ପ୍ରଚାର ପାଇଁ କହୁଛନ୍ତି। ଧାମନଗର ନିର୍ବାଚନ ଫଳାଫଳ ଆସିବା ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି।
ତେବେ ଧାମନଗର ଉପନିର୍ବାଚନରେ ପରାଜୟ ପରେ ଆଗାମୀ ପଦ୍ମପୁର ଉପନିର୍ବାଚନ ପାଇଁ ପୁରୁଣା ନେତାଙ୍କୁ ପୁଣି ଥରେ ଖୋଜିଛି ବିଜେଡି। ପୁରୁଣା ନେତାଙ୍କ ନେତୃତ୍ୱରେ ପଦ୍ମପୁର ଉପନିର୍ବାଚନ ଲଢ଼ିବାକୁ ଦାୟୀତ୍ୱ ବାଣ୍ଟିଛି ଦଳ। ଦଳର ନିଷ୍ପତ୍ତି ଅନୁସାରେ ପଦ୍ମପୁର ଉପନିର୍ବାଚନ ପ୍ରଚାରର ମଙ୍ଗ ଧରିବେ ପ୍ରସନ୍ନ ଆଚାର୍ଯ୍ୟ। ନିର୍ବାଚନମଣ୍ଡଳୀ ପରିଚାଳନା ଦାୟିତ୍ୱରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ୩ ବ୍ଲକ ଦାୟିତ୍ୱରେ ରହିବେ ୩ ଜଣ ମନ୍ତ୍ରୀ। ପଦ୍ମପୁର ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ ବ୍ଲକ ଦାୟିତ୍ୱର ମନ୍ତ୍ରୀ ନବ ଦାସ, ଝାରବନ୍ଧ ଦାୟିତ୍ୱରେ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ରହିବେ। ଜୋନ ଦାୟିତ୍ୱରେ ମଧ୍ୟ ପଶ୍ଚିମ ଓଡ଼ିଶାର ନେତା ରହିବେ। ମନ୍ତ୍ରୀ ଟୁକୁନି ସାହୁ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗୀନ ଛୁରିଆ, ରିତା ସାହୁ, ସରୋଜ ମେହେର, ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ଜୋନ ଦାୟିତ୍ୱରେ ରହିବେ।
