ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ଥଳଭାଗ ଛୁଇଁବ ପରେ ଦୁର୍ବଳ ହେଉଛି ବାତ୍ୟା ସିତ୍ରାଙ୍ଗ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ସିତ୍ରାଙ୍ଗ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଙ୍ଗାଲାଦେଶରେ ସ୍ଥଳଭାଗ ଛୁଇଁଛି। ଏହାପରେ ବାତ୍ୟା ଅବପାତରେ ପରିଣତ ହୋଇଛି । ପରବର୍ତ୍ତୀ ୬ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି।ଏହା ପ୍ରଭାବରେ ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ମେଘାଳୟ ଓ ତ୍ରିପୁରାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି।

ବର୍ତ୍ତମାନ ପ୍ରଶାସନ ପକ୍ଷରୁ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ୟପଟେ ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ । ସମୁଦ୍ର ମଧ୍ୟରେ ପବନର ବେଗ ବିଶେଷ ନଥିବାରୁ ମତ୍ସ୍ୟ ଜିବିଙ୍କ ପାଇଁ ଆଜିଠୁ ସତର୍କ ସୂଚନା ହଟିବା ନେଇ ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରାଜ୍ୟରେ ଆଗାମୀ ଦୁଇରୁ ୩ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି । ଆଉ ୩ ଦିନ ପରେ ତାପମାତ୍ରା କମିବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଧୀରେ ଧୀରେ ଶୀତ ବଢିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।