
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କୋଭିଡ ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ଆମେ ପାଣ୍ଡେମେସିଟିରୁ ଏଣ୍ଡେମେସିଟି ଆଡ଼କୁ ଯାଉଛେ। ଏହା ଭିତରେ ଏମିତି ଗୋଟେ ଗୋଟେ ସ୍ପାଇକ ଆସିବ। ଏଥିପାଇଁ ଆତଙ୍କିତ ହେବାର ନାହିଁ। ଏ ଭାଇରସ କୁଆଡ଼େ ଯିବନି, କିନ୍ତୁ ତାର ରୋଗ କରିବା କ୍ଷମତା କମିଯିବ। ଯଦି ସଂଖ୍ୟା ବଢ଼ିବ, ଏହାର ମୁକାବିଲା ପ୍ରସ୍ତୁତି ପାଇଁ ଆମକୁ ବିଶେଷ ଅସୁବିଧା ହେବନି। କାରଣ ଆମର ଅଭିଜ୍ଞତା ଅଛି, ଭିତ୍ତିଭୂମି ଅଛି, ଔଷଧ ଅଛି। ଏବେ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ହେଉଛି, ଏଭିଡ଼େନ୍ସ ବେସଡ ଡିସିସନ ମେକିଙ୍ଗ। ଅର୍ଥାତ ଯେଉଁଠି ବଢ଼ୁଛି, ସେଇଠି ପଦକ୍ଷେପ ନିଅ।
ତେଣୁ ସେଇ ଆଧାରରେ ପଦକ୍ଷେପ ନିଆଯିବ । ଏବେ ରାଜ୍ୟର ଦୈନିକ ସଂକ୍ରମଣ ୧୫ ତଳେ ରହିଛି । ମାତ୍ର ୫-୬ଟି ଜିଲ୍ଲାରେ ନୂଆ ମାମଲା ଆସୁଛି। ଆକ୍ଟିଭ କେସ ସଂଖ୍ୟା ୧୦୦ତଳେ ଅଛି। ଡାକ୍ତରଖାନାରେ କୌଣସି ରୋଗୀ ନାହାନ୍ତି। ଏଣୁ ଏବେଠୁ ଆତଙ୍କିତ ହେବାର ନାହିଁ। ଯଦି ସଂଖ୍ୟା ବଢ଼ିବ, ତା ପାଇଁ ପ୍ରସ୍ତୁତି ଅଛି। ତୁରନ୍ତ ବନ୍ଦୋବସ୍ତ ହୋଇପାରିବ। ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି, ସେମାନେ କଣ୍ଟିନଜେନ୍ସି ପ୍ଲାନ କରି ପ୍ରସ୍ତୁତ ରହିବେ। ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି ଅଧିକ ବଢ଼ିବ, ରାଜ୍ୟସ୍ତରରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ତେବେ ଲୋକମାନଙ୍କୁ ଅନୁରୋଧ କୋଭିଡ ନିୟମ ମାନନ୍ତୁ। ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ରଖନ୍ତୁ ବୋଲି କହିଛନ୍ତି ।