କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କାର୍ଯ୍ୟନୁଷ୍ଠାନ। ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ ହୋଇଛନ୍ତି । ସୋମବାର ରାତିସାରା ପଚରାଉଚରା ପରେ ଆଜି ସକାଳୁ ବିଧାୟକଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଆଜି ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ମାଣିକ ଭଟ୍ଟଚାର୍ଯ୍ୟ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଥିଲେ । ପୂର୍ବରୁ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ମମତା ସରକାରଙ୍କ ପୂର୍ବତନ ବିଭାଗୀୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରି ସାରିଛି ତଦନ୍ତକାରୀ ସଂସ୍ଥା ।

ସୂଚନା ଅନୁଯାୟୀ, ମାଣିକ ଭଟ୍ଟାଚାର୍ଯ୍ୟ ନଦିଆ ଜିଲ୍ଲା ପଲାସିପାରା ବିଧାୟକ ଅଟନ୍ତି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରୀ ପରେ ସେ ହେଉଛନ୍ତି ଦ୍ବିତୀୟ ତୃଣମୂଳ କଂଗ୍ରେସ ନେତା ।

ଗତ ଜୁଲାଇରେ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ କୋଟି କୋଟି ଟଙ୍କା ଜବତ ହେବାପରେ ପୂର୍ବତନ ମନ୍ତ୍ରୀ ପାର୍ଥଙ୍କ ଚାଟାର୍ଜୀ ଗିରଫ ହୋଇଥିଲେ ।ଏହି ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି କହିଛି ଯେ, ଲାଞ୍ଚ ସଂଗ୍ରହରେ ଭଟ୍ଟଚାର୍ଯ୍ୟଙ୍କ ସମ୍ପୃକ୍ତି ଥିବା ତାଙ୍କ ହ୍ବାର୍ଟ୍ସଆପ ଚାର୍ଟ ଏବଂ କଥାବାର୍ତ୍ତାରୁ ଜଣାପଡିଛି । ଏନେଇ ଦୀର୍ଘ ସମୟ ଜେରା ପରେ ତାଙ୍କୁ ଗିରଫ କରାଯାଇଛି ।