ନୂଆଦିଲ୍ଲୀ: ପୁଣି ଥରେ ମହାନତାର ପରିଚୟ ଦେଇଛି ଭାରତ। ଗୃହଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଉତ୍କଟ ମାନବୀୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ସାହାଯ୍ୟର ହାତ ବଢ଼ାଇଛି । ଜରୁରୀ ସହାୟତା ଯୋଗାଇ ଦେଇଛି। ଏହି ଯୋଗାଣ ଶୃଙ୍ଖଳାରେ ଭାରତ ଠାରୁ 13 ତମ ବ୍ୟାଚରେ ପ୍ରାୟ 45 ଟନର ସହାୟତା ସାମଗ୍ରୀ ଗ୍ରହଣ କରିଛି ଆପଗାନିସ୍ତାନ । ଏଥିପାଇଁ ଆପଗାନିସ୍ତାନ ଦୂତାବାସ ପକ୍ଷରୁ ନୂଆଦିଲ୍ଲୀକୁ ଧନ୍ୟବାଦ ଦିଆଯାଇଛି ।
ଏହି 13 ତମ ବ୍ୟାଚରେ ପଠାଯାଇଥିବା ସହାୟତା ସାମଗ୍ରୀ ମଧ୍ୟରେ ମେଡିକାଲ ସାମଗ୍ରୀ, 5 ଲକ୍ଷ କୋଭିଡ ଟିକା, ଜରୁରୀ ଔଷଧ ସମେତ 40 ହଜାର ମେଟ୍ରିକ ଟନର ଗମହ ମଧ୍ୟ ରହିଛି । ଏହି ସହାୟତା ରାଶି ରାଜଧାନୀ କାବୁଲରେ ଥିବା ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ । ପରେ ସେଠାରୁ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳରେ ଏହାକୁ ବିତରଣ କରାଯିବ ।ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ଗୃହଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଥିଲା । ଦେଶର ତତ୍କାଳୀନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାୟନ କରିଥିବା ବେଳେ ପ୍ରବଳ ହିଂସା ଓ ଅସ୍ଥିରତା ମଧ୍ୟରେ ଶାସନ କ୍ଷମତା ହାତକୁ ନେଇଥିଲା ମୌଳବାଦୀ ସଂଗଠନ ଆଫଗାନିସ୍ତାନ । ଏବେ ମଧ୍ୟ ସେଠାରେ ଉତ୍କଟ ମାନବୀୟ ସଙ୍କଟ ଜାରି ରହିଛି । ଖାଦ୍ୟ, ଶକ୍ତି, ଇନ୍ଧନ ଓ ମେଡିକାଲ ସାମଗ୍ରୀର ଉତ୍କଟ ଅଭାବ ଆଫଗାନିସ୍ତାନବାସୀଙ୍କ ଦୁର୍ଦ୍ଦଶାକୁ ବଢାଇଛି । ଏହାରି ମଧ୍ୟରେ ଅନ୍ୟ ଦେଶମାନେ ଆଫଗାନିସ୍ତାନକୁ ସହଯୋଗ କରିବା ପାଇଁ ଜାତିସଂଘ ମଧ୍ୟ ଅପିଲ କରିଥିଲା । ଭାରତ ସଙ୍କଟ ଆରମ୍ଭରୁ ନିଜର ସହଯୋଗ ଜାରି ରଖିଛି ।
ଏହି କ୍ରମରେ ନୂଆଦିଲ୍ଲୀ ଠାରୁ 13ତମ ପର୍ଯ୍ୟାୟରେ ସହୟତା ଗ୍ରହଣ କରିଛି କାବୁଲ । ତାଲିବାନ କ୍ଷମତାକୁ ଆସିବେ ପରେ ବିଭିନ୍ନ ଦେଶ ଆଫଗାନିସ୍ତାନ ରାଜଧାନୀ କାବୁଲରୁ ନିଜ ଦୂତାବାସ ବନ୍ଦ କରିବା ସହ କୂଟନୈତିକ ଅଧିକାରୀଙ୍କୁ ଅପସାରଣ କରି ନେଇଥିଲେ । ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ପୁଣି ବିଭିନ୍ନ ଦେଶ ନିଜର ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟ ପୁନଃ ଆରମ୍ଭ କରିଛନ୍ତି । ଭାରତ ମଧ୍ୟ ଜୁନରେ କାବୁଲରେ ପୁଣି ନିଜ ଦୂତାବାସ କାର୍ଯ୍ୟକ୍ଷମ କରିବା ସହ ଦ୍ବିପାକ୍ଷିକ ସେବା ଆରମ୍ଭ କରିଛି
