ଜଳୁଛି ପଶ୍ଚିମ ଓଡ଼ିଶା: ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୩ ଡିଗ୍ରି ପାର୍‌

ଓଡିଶା; ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ | ଜଳୁଛି ପଶ୍ଚିମ ଓଡ଼ିଶା | ଲଗାତର କିଛି ଦିନ ହେବ ଦିନର ତାପମାତ୍ରା ବଢିବାକୁ ଲାଗୁଚି | ଫଳରେ ଗତକାଲି ଟିଟିଲାଗଡ଼ ସବୁଠୁ ଉତପ୍ତ ସହର ପାଲଟିଥିଲା । ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୩ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଟିଟିଲାଗଡ଼ ପଛକୁ ପଶ୍ଚିମ ଓଡ଼ିଶାର ଆଉ ୭ ସହର ରହିଥିଲା ।

ବଲାଙ୍ଗୀରରେ ୪୨ ଦଶମିକ ୪ ଡିଗ୍ରୀ, ବୌଦ୍ଧରେ ୪୧ ଡିଗ୍ରୀ, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୪୦ ଦଶମିକ ୫ ଡିଗ୍ରୀ, ସୋନପୁରରେ ୪୦ ଦଶମିକ ୪ ଡିଗ୍ରୀ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର ତାଳଚେରରେ ମଧ୍ୟ ଦିନ ତାପମାତ୍ରା ୪୦ ଦଶମିକ ୨ ଡିଗ୍ରୀ ରହିଥିଲା । ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା ନାହିଁ ବୋଲି ଜଣାପଡ଼ିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ ୪ ଡିଗ୍ରୀ ଯାଏ ଅଧିକ ରହିବ । ଏଣୁ ମଧ୍ୟାହ୍ନରେ ପଦାକୁ ନ ବାହାରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ଅନ୍ୟପଟେ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ଶୀତଳ ପବନ ପ୍ରବାହିତ ହେଉଛି। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଆଜି ୩୪.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବାଲେଶ୍ବ‌ରରେ ୩୬ ଡିଗ୍ରି, କଟକରେ ୩୩.୬ ଡିଗ୍ରି, ପୁରୀରେ ୩୨.୪ ଡିଗ୍ରି ଓ ଗୋପାଳପୁରରେ ୨୯.୭ ଡିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି। ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ଥଣ୍ଡା ବାୟୁ ଉପକୂଳ ଓଡ଼ିଶାକୁ ପ୍ରବାହିତ ହେଉଥିବାରୁ ଉପକୂଳରେ ଆହୁରି ୨ରୁ ୩ ଦିନ ଯାଏ ଏଭଳି ପାଗ ଲାଗି ରହିବ। ଆସନ୍ତା ୩ ଓ ୪ ତାରିଖ ଆଡ଼କୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ପରେ ପାଗରେ ପରିବର୍ତ୍ତନ ହେବ। ୫ ତାରିଖ ଆଡ଼କୁ ଉପକୂଳରେ ମଧ୍ୟ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Related Posts