ଭୁବନେଶ୍ୱର,୩/୧୦(ସତ୍ୟପାଠ ବ୍ୟୁରୋ): ଆଜି ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନ୍ଟିସିଏ ଦ୍ୱାରା ଫେବୃଆରୀରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୨ରେ ରାଜ୍ୟରେ ୫୬୮ ଓ ୨୦୧୮ରେ ୭୬୦ କଲରାପତରିଆ ବାଘ ଥିଲେ।
ତେବେ ପ୍ରଥମଥର ବନ ବିଭାଗ ପକ୍ଷରୁ ନିଜସ୍ବ କଲରାପତରିଆ ଗଣନା କରାଯାଇଛି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଉଠିଥିବା ୨୮୪ଟି ବାଘର ଫଟୋ, ଫୁଟ୍ ପ୍ରିଣ୍ଟ୍ ଆଦିରୁ ବାଘସଂଖ୍ୟା ଜଣାପଡ଼ିଥିବା ସୂଚନା ଦିଆଯାଇଛି।
ସୂଚନା ଅନୁସାରେ, ଏନଟିସିଏ ରିପୋର୍ଟରେ ବାଘ ସଂଖ୍ୟା କମିବା ପରେ ବନ ବିଭାଗ ବାଘ ଗଣନା କରିବା ପାଇଁ ନିଷ୍ପତି ନେଇଥିଲା। ଏନଟିସିଏ ରିପୋର୍ଟ ତର୍ଜମା କରାଯାଉଛି, ସେଥିରେ ତ୍ରୁଟି ଥିବା ଜଣାପଡ଼ୁଛି ବୋଲି ପିସିସିଏଫ୍ କହିଥିଲେ। ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ ବୋଲି ପିସିସିଏଫ୍ କହିଥିଲେ। ବହୁତ କମ୍ ଅଞ୍ଚଳ କଭର କରିଥିବାରୁ ଆକଳନ ଏକପାଖିଆ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବର୍ତ୍ତମାନ ସ୍ପଷ୍ଟ ହୋଇଛି।