କୋଭିସିଲ୍ଡ ଡୋଜ୍ ଗ୍ୟାପ୍ କୁ ନେଇ କେଉଁ ଟା ଠିକ?: ଜୟରାମ ରମେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବାକୁ NTAGI ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି । ପୂର୍ବରୁ ଏହା ୬ରୁ ୮ ସପ୍ତାହ ମଧ୍ୟରେ ରହିଥିଲା।  ତେବେ କୋଭିସିଲ୍ଡ ଡୋଜ୍ ଗ୍ୟାପ୍ କୁ ନେଇ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସମାଲୋଚନା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ” ପ୍ରଥମେ ଦ୍ୱିତୀୟ ଡୋଜ୍‌ ନେବାର ସମୟ ୪ ସପ୍ତାହ ଥିଲା। ଏହାପରେ ଏହାକୁ ୬ରୁ ୮ ସପ୍ତାହ ଓ ଏବେ ଏହା ୧୨ରୁ ୧୬ ସପ୍ତାହ ହୋଇଯାଇଛି। କ’ଣ ଟିକାର ଷ୍ଟକ ନଥିବାରୁ ଏଭଳି ପରିବର୍ତ୍ତନ କରାଯାଉଛି ନା ପ୍ରଫେସନାଲ ସାଇଣ୍ଟିଫିକ କାରଣ ପାଇଁ ଏମିତି ହେଉଛି? ଆମେ ମୋଦି ସରକାରଙ୍କ ପାଖରୁ ଏ ବିଷୟରେ କିଛି ସ୍ୱଚ୍ଛତା ଆଶା କରିପାରିବା କି?”

ପ୍ରଥମେ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର କୋଭିସିଲ୍ଡ ଟିକାର ଦୁଇ ଡୋଜ୍‌ ମଧ୍ୟରେ ଗ୍ୟାପ୍ କୁ ୨୮ ଦିନରୁ ୬ରୁ ୮ ସପ୍ତାହକୁ ବୃଦ୍ଧି କରିବାକୁ କହିଥିଲେ। ବର୍ତ୍ତମାନ ୬ରୁ ୮ ସପ୍ତାହ ମଧ୍ୟରେ ଟିକା ଦିଆଯାଉଥିଲା। କିନ୍ତୁ ଆଜି ସରକାରୀ ପ୍ୟାନେଲ୍ ନ୍ୟାସନାଲ୍ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (NTAGI) ପ୍ରସ୍ତାବ କ୍ରମେ ଏହାକୁ ୧୨ରୁ ୧୬ ସପ୍ତାହ କରି ଦିଆଯାଇଛି। ଏହାସହ ଗର୍ଭବତୀଙ୍କୁ ନିଜ ଇଚ୍ଛା ଅନୁସାରେ ଟିକା ନେବାକୁ ଅନୁମତି ଦିଆଯାଉ ବୋଲି ପ୍ୟାନେଲ ପକ୍ଷରୁ କୁହାଯାଇଛି । ଯେଉଁ କରୋନା ଆକ୍ରାନ୍ତଙ୍କୁ ମୋନୋକୋଲନାଲ ଆଣ୍ଟିବଡି କିମ୍ବା କୋନଭାଲସେଣ୍ଟ ପ୍ଲାଜମା ଦିଆଯାଇଛି, ସେମାନେ ସୁସ୍ଥ ହେବାର ୩ ମାସ ପରେ ଟିକା ନେବାକୁ ଏହି ସଂସ୍ଥା ପରାମର୍ଶ ଦେଇଛି । ଏତଦ୍ ବ୍ୟତୀତ ଅଲଗା ରୋଗ ଅଲଗା ରୋଗରୁ ସୁସ୍ଥ ହେଉଥିବା ବ୍ୟକ୍ତି ମାନେ ୪ରୁ ୮ ସପ୍ତାହ ପରେ କରୋନା ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି। 

Related Posts