ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ପ୍ରସଙ୍ଗ: ଭାରତର ନିଷ୍ପତ୍ତିକୁ ସମର୍ଥନ କଲା ଚୀନ୍

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନଠୁ ଦେଶରେ ଅନେକ ସାମଗ୍ରୀର ଦର ବଢିବାକୁ ଲାଗିଛି | ଯାହାର ପ୍ରଭାବ ଗୋଟିଏ ପରେ ଗୋଟିଏ ସାମଗ୍ରୀ ଉପରେ ପଡୁଛି | ଫଳରେ ଦେଶରେ ଦରଦାମ ବୃଦ୍ଧି ପାଉଛି | ସେପଟେ ବଢୁଥିବା ଦରଦାମ କୁ ନେଇ ଦେଶରେ ଅଶାନ୍ତି ଲାଗି ରହିଛି |

ଅନ୍ୟପଟେ ବଢୁଥିବା ଦରଦାମ କୁ ଦୃଷ୍ଟିରେ ରଖି ସରକାର ଗହମ ରପ୍ତାନୀ ନିଷିଦ୍ଧ କରିଛନ୍ତି । ରପ୍ତାନୀ ଉପରେ କଟକଣା ତତ୍‌କ୍ଷଣାତ ଲାଗୁ ହୋଇଥିବା ଶୁକ୍ରବାର ଏକ ବିଜ୍ଞପ୍ତି ଜରିଆରେ ସରକାର ସୂଚନା ଦେଇଛନ୍ତି । କେବଳ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁମତିରେ ଗହମ ରପ୍ତାନୀ ହୋଇପାରିବ । ଯାହା ସାରା ବିଶ୍ୱରେ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି ।

ଗହମ ରପ୍ତାନୀ ଉପରେ ଭାରତ ସରକାରଙ୍କ କଟକଣା ନିଷ୍ପତିକୁ ଜି-୭ ଦେଶ ଗୁଡିକ ସମାଲୋଚନା କରିଛନ୍ତି । ଭାରତ ପରି ଅନ୍ୟଦେଶ ଗୁଡିକ ମଧ୍ୟ ଯଦି ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତି ନିଅନ୍ତି କିମ୍ବା ସେମାନଙ୍କ ବଜାରକୁ ବନ୍ଦ କରନ୍ତି ତେବେ ଏହି ସମସ୍ୟା ଆହୁରି ଜଟିଳ କରିଦେବ ବୋଲି ଜର୍ମାନୀର କୃଷି ମନ୍ତ୍ରୀ ସେମ ଓଜଡେମିର ଷ୍ଟଡଗାର୍ଡ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ |

କିନ୍ତୁ ଭାରତର ଏହି ନିଷ୍ପତିକୁ ଚୀନ୍ ସମର୍ଥନ କରିଛି | ଚୀନ୍‌ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ କହିଛି ଯେ ଆମର ଦୋଷ କ’ଣ? ବାସ୍ତବରେ ଜି-୭ ଦେଶ ଏହି ରପ୍ତାନି ଉପରେ ଭାରତକୁ ସମାଲୋଚନା କରିଛନ୍ତି। ଚୀନ୍ କହିଛି ଯେ, ‘ଜି -୭ ଦେଶର କୃଷି ମନ୍ତ୍ରୀମାନେ ଭାରତ ଗହମ ରପ୍ତାନି ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଦାବି କରୁଛନ୍ତି। କାହିଁକି ସେହି ଦେଶମାନେ ଖାଦ୍ୟ ବଜାରକୁ ସ୍ଥିର କରିବାକୁ ଚେଷ୍ଟା କରନ୍ତି ନାହିଁ’?

ଚୀନ୍ କହିଛି, ଭାରତ ବିଶ୍ୱର ଦ୍ଵିତୀୟ ବୃହତ ଗହମ ଉତ୍ପାଦନକାରୀ ଦେଶ ହୋଇଥିବାବେଳେ ଭାରତ ବହୁତ କମ ଗହମ ରପ୍ତାନି କରିଥାଏ | ଯେତେବେଳେ କି ଆମେରିକା, କାନାଡା ଏବଂ ଅଷ୍ଟ୍ରେଲିଆ ଭଳି ଦେଶ ଅଧିକ ଗହମ ରପ୍ତାନି କରୁଥିଲେ | ପ୍ରଶ୍ନ ଉଠିଛି ଯେ ଏହି ଦେଶ ଗହମ ରପ୍ତାନି କାହିଁକି କମାଇଦେଇଛନ୍ତି ?

ଚୀନ୍ ଗଣମାଧ୍ୟମ ଖୋଲାଖୋଲି ଭାବେ ଭାରତର ପକ୍ଷ ନେଇ କହିଛି ଯେ ଯେଉଁ ଦେଶ ନିଜ ଲୋକଙ୍କୁ ଗହମ ଯୋଗାଇବାକୁ ଚେଷ୍ଟା କରୁଛି ତାହାକୁ କାହିଁକି ସମାଲୋଚନା କରାଯାଉଛି। ଗ୍ଲୋବାଲ ଟାଇମ୍ସ ଆହୁରି ମଧ୍ୟ କହିଛି ଯେ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ଏହି ସଙ୍କଟର କାରଣ। ଏହି କାରଣରୁ ଖାଦ୍ୟ ଶସ୍ୟର ମୂଲ୍ୟ ବୃଦ୍ଧି ପାଇଛି | ଚୀନ୍ କହିଛି ଯେ ଭାରତକୁ ଦାୟୀ କରିବା ଦ୍ୱାରା ଖାଦ୍ୟ ସମସ୍ୟା ଦୂର ହେବ ନାହିଁ।

Related Posts