ନନ୍ଦନକାନନ ପହଞ୍ଚିଲେ ବାଲେଶ୍ୱରରୁ ଉଦ୍ଧାର ୫ ଓରାଙ୍ଗଉଟାନ September 9, 2026 | 6:50 AMSatya Pathaବଡ ଖବରମୁଖ୍ୟ ଖବରରାଜ୍ୟ ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲେ ବାଲେଶ୍ୱରରୁ ଉଦ୍ଧାର ୫ଟି ଓରାଙ୍ଗଉଟାନ । ମଙ୍ଗଳବାର ରାତିରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି । ବନ ବିଭାଗ, ସ୍ୱତନ୍ତ୍ର ପଶୁଚିକିତ୍ସକ ଦଳ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଏହି ଦୁର୍ଲଭ ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ଭାବେ ନନ୍ଦନକାନନରେ ପହଞ୍ଚାଯାଇଛି । ସେଠାରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟିନ୍ ଓ ଡାକ୍ତରୀ ନିରୀକ୍ଷଣର ବ୍ୟବସ୍ଥା କରାଯାଇଛି । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ବ୍ଲକ୍ ବିଚିତ୍ରପୁର ଜଙ୍ଗଲରୁ ଏହି ୫ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲେ । ଓରାଙ୍ଗଉଟାନ ଭାରତର ସ୍ୱାଭାବିକ ବନ୍ୟପ୍ରାଣୀ ନୁହେଁ; ସେମାନେ ପ୍ରଧାନତଃ ଇଣ୍ଡୋନେସିଆର ବୋର୍ନିଓ ଓ ସୁମାତ୍ରା ଦ୍ୱୀପରେ ବାସ କରନ୍ତି । ତେଣୁ ଓଡ଼ିଶାରେ ସେମାନଙ୍କ ଉପସ୍ଥିତି ବନ ବିଭାଗ ପାଇଁ ଏକ ବଡ଼ ରହସ୍ୟ ସୃଷ୍ଟି କରିଛି । ପ୍ରାଥମିକ ତଦନ୍ତରେ ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟର ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ନନ୍ଦନକାନନରେ ପହଞ୍ଚିବା ପରେ ପ୍ରତ୍ୟେକ ଓରାଙ୍ଗଉଟାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେମାନଙ୍କ ଖାଦ୍ୟ, ଆଚରଣ ଓ ଶାରୀରିକ ସ୍ଥିତି ଉପରେ ବିଶେଷଜ୍ଞ ଦଳ ନଜର ରଖିବେ। ବନ ବିଭାଗ ଏହି ଘଟଣାର ସମସ୍ତ ଦିଗରେ ତଦନ୍ତ ଜାରି ରଖିଥିବା ବେଳେ, ଏହି ଦୁର୍ଲଭ ପ୍ରଜାତି କିପରି ଓଡ଼ିଶାରେ ପହଞ୍ଚିଲା ଏବଂ ଏହା ପଛରେ କେଉଁ ରାକେଟ୍ କାର୍ଯ୍ୟ କରୁଥିଲା, ସେନେଇ ଖୋଳତାଡ଼ ଚାଲିଛି ।
ଓଡ଼ିଶାରେ ଉଚ୍ଚଗୁଣବତ୍ତା ସମ୍ପନ୍ନ ସ୍ୱତନ୍ତ୍ର କିସମ ଧାନର ପ୍ରସାର ପାଇଁ ‘ଇରି’ର ସହଯୋଗ September 9, 2026 | 6:29 AM