‘୫-ଟି’ର ପରୀକ୍ଷା ! ହକଦାର ପ୍ରମିଳା ହତାଦର କାହିଁକି

ସତ୍ୟପାଠ ବ୍ୟୁରୋ : ଓଡିଶା ଲୋକସେବା ଭବନରେ ଥିବା ‘୫-ଟି’ ସାର୍ ଏ ଫଟୋ ଓ ଏ ଖବରକୁ ଦେଖିଲେ ଜାଣିପାରିବେ ପ୍ରକୃତରେ ପରୀକ୍ଷାଟି କଣ । ନୂଆପଡା ଜିଲ୍ଲାରୁ ଆସିଥିବା ଏହି ଖବର ସରକାର ଦୋହଲାଇ ଦେଇ ନପାରେ କିନ୍ତୁ ହୃଦୟ ଥିବା ହୃଦୟବାନ ମଣିଷର ଛାତି ଚହଲାଇ ଦେଇପାରେ । ସବୁ ସରକାରୀ ସୁବିଧା ପାଇବାର ହକଦାର ହୋଇ ବି ସେ କିଛି ପାଇନି । ଲାଗୁଛି ସରକାରଙ୍କ ପଞ୍ଚ ସୂତ୍ରୀ ‘୫-ଟି’ ଏଇ ବଂଚିତ ହିତାଧିକାରୀ ପାଖରେ କାମ ଦେଇନି ।

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଲେନବସା ଗାଁର ପ୍ରମିଳା ରାଉତ । ଗଲା ୫ବର୍ଷ ହେଲା ଅଜଣା ରୋଗରେ ଆକ୍ରାନ୍ତ । ହାତ ଗୋଡ ଦୁର୍ବଳ ହୋଇ ତାଙ୍କୁ ଏକ ପ୍ରକାର ପଙ୍ଗୁ କରି ସାରିଲାଣି । ପ୍ରମିଳାଙ୍କୁ ବଡ ଡାକ୍ତରଖାନା ନେବାକୁ ଡାକ୍ତର କହୁଛନ୍ତି । ହେଲେ ଜଣେ ଦିନ ମଜୁରୀଆ ମଙ୍ଗଳ ସି, ପତ୍ନୀର ଚିକିତ୍ସା କରାଇବାକୁ ସମର୍ଥ ହେଉନି । ଯେଉଁଥିପାଇଁ ସରକାରୀ ସହାୟତା ଉପରେ ନିର୍ଭର କରି ଅପେକ୍ଷା କରିଛନ୍ତି ପତିପତ୍ନୀ ।

ଏପଟେ ସରକାର ‘୫-ଟି’ କଥା କହୁଛନ୍ତି । ଏହାର ମୁଖ୍ୟ ବି ବାଛୁଛନ୍ତି । ସଚିବାଳୟର ନାଁ ବଦଳାଇ ଲୋକସେବା ଭବନ ରଖୁଛନ୍ତି । କିନ୍ତୁ ତଳସ୍ତରରେ ସରକାରୀ ଯୋଜନା ଓ ସୁବିଧାକୁ ପହଂଚାଇବାର ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ବୁଝୁ ନାହାଁନ୍ତି ଗରୀବର ଦୁଃଖ । ଯେଉଁଥିପାଇଁ ପ୍ରମିଳାଙ୍କ ଭଳି ଲୋକ ସରକାରୀ ସୁବିଧାରୁ ବାଦ ପଡୁଛି ।

ଆଶା କରିବୁ, ଲୋକସେବା ଭବନରେ ବସିଥିବା ‘୫-ଟି’ ସାର୍ ପ୍ରମିଳାଙ୍କ କଥା ବୁଝିବେ । ‘୫-ଟି’ର ଅସଲ ଟେଷ୍ଟ ପ୍ରମିଳାଙ୍କ ପାଖରୁ ଆରମ୍ଭ ହେଉ । ଏ ସୁବିଧା ତାଙ୍କୁ ‘ଟାଇମ୍’ରେ ମିଳିଯିବା ଦରକାର । ‘ଟେକ୍ନୋଲୋଜୀ’ ବ୍ୟବହାର କଲେ ଏ କାର୍ଯ୍ୟ ଯଥାଶୀଘ୍ର ହୋଇପାରିବ । ଆଉ ଏଥିପାଇଁ ‘ଟିମ୍-ୱାର୍କ’ ନିହାତି ଦରକାର । ଖାଲି ସେତିକି ନୁହେଁ ସବୁ କିଛି ‘ଟ୍ରାନ୍ସପରେନ୍ସି’ରେ ମିଳିବା ଦରକାର । ସବୁଠୁ ବଡକଥା ହେଲା, ସରକାରୀ ସୁବିଧା ପାଇବା ପରେ ପ୍ରମିଳାଙ୍କର କ୍ଷେତ୍ରରେ ‘ଟ୍ରାନ୍ସଫରମେସନ’ ହେଉଛି କି ନାହିଁ ତାହା ବି ଦେଖାଯିବା ଦରକାର । ଯଦି ଏଇଠି ‘୫-ଟି’ ପ୍ରକୃତରେ କାମରେ ଲାଗିବ ତେବେ ଯାଇ ଜଣାପଡିବ ସତରେ କାମ କରୁଛି ‘୫-ଟି’ ।

Related Posts