ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ ବଡ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ପ୍ରତି ଘରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ ସୋମବାର ଜିଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମଙ୍ଗଳବାର ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏକ ବାଇକ୍ ରାଲିରେ ସହର ପରିକ୍ରମା କରିବା ପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ତେବେ ବିଦ୍ୟୁତ୍ ଶୁଳ୍କ ଛାଡ୍ ବ୍ୟତୀତ ଜିଲାରେ ଥିବା ପର୍ଯ୍ୟଟନ ଶିଳ୍ପ, ବେକାରୀ ସମସ୍ୟା ଓ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କଠାରେ ସେ ଦାବି କରିଛନ୍ତିି। ଏହା ସହିତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ବୈଠକରେ ଜିଲା କଂଗ୍ରେସ ସଭାପତି ହେମନ୍ତ ଦାସ, ନଗର ସଭାପତି ଶାନ୍ତନୁ ପାଲ, ସୁସ୍ମିତା ଘୋଷାଲଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
