ଏସପି କ୍ଷମତାକୁ ଆସିଲେ ୟୁପି ଓ ପଶ୍ଚିମବଙ୍ଗ ଏକାଠି କାମ କରିବେ: ଅଖିଳେଶ ଯାଦବ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛିଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ୟୁପିରେ ଏସପି ସରକାର ଗଠନ ହେଲେ ପଶ୍ଚିମବଙ୍ଗ ଏବଂ ୟୁପି ମିଳିତ ଭାବେ କାର୍ଯ୍ୟ କରିବେ । ଆମେ ସାମ୍ପ୍ରଦାୟିକ ଏବଂ ମିଥ୍ୟା ରାଜନୀତିକୁ ଚାଲିବାକୁ ଦେବୁ ନାହିଁ । ଆମେ ରୋଜଗାର ବୃଦ୍ଧି କରିବୁ । ରାଜ୍ୟରେ ଶିଳ୍ପ ଉଦ୍ୟୋଗ ବଢ଼ାଇବୁ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ କରିବୁ । ବିଶ୍ୱବିଦ୍ୟାଳୟକୁ ସଂଯୋଗ କରି ଆମେ ଶିକ୍ଷା କ୍ଷେତ୍ରରେ ବିକାଶ କରିବୁ ବୋଲି ଅଖିଳେଶ ଯାଦବ କହିଛନ୍ତି । ଏହା ସହ କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସେ କହିଛନ୍ତି ଯେ ମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଉଛନ୍ତି । ତେଣୁ ପ୍ରଥମେ କ୍ଷମା ମାଗନ୍ତୁ। ବର୍ତ୍ତମାନ କେବଳ ତିନୋଟି ବିଲ ଫେରାଇନେଇଛନ୍ତି ।

ଯଦି ସେମାନେ ପୁଣି ଜିତିବି ଆହୁରି ନୁଆ ବିଲ ଆଣିବେ । ବିଜେପି ଦେଶ ପାଇଁ ବିପଦ। ଏହି ବିପଦକୁ ବର୍ତ୍ତମାନ ସାମ୍ନା କରିବାକୁ ପଡିବ । ମାତା ଓ ଭଉଣୀମାନଙ୍କୁ ଆଗକୁ ଆସିବାକୁ ପଡିବ । ପଶ୍ଚିମବଙ୍ଗରେ ମହିଳାମାନଙ୍କୁ ସାହାଯ୍ୟ କରାଯାଉଛି । ଛାତ୍ରମାନଙ୍କୁ ସାହାଯ୍ୟ କରାଯାଉଛି । ବଙ୍ଗଳା ସରକାର ଛାତ୍ରମାନଙ୍କୁ ସ୍ମାର୍ଟ କାର୍ଡ ଦିଅନ୍ତି। କୋଚିଂ ଫି ପ୍ରଦାନ କରେ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଯୋଜନା ଦେଇଥିବାବେଳେ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି, ତେବେ ଏହି ଯୋଜନା ବିଜେପିରେ କେମିତି ହେଲା ବୋଲି ଅଖିଳେଶ ଯାଦବ ପ୍ରଶ୍ନ କରିଛନ୍ତି । ଯଦି ଏଥର ସମାଜବାଦୀ ପାର୍ଟି କ୍ଷମତାକୁ ଆସେ ତାହାଲେ ପଶ୍ଚିମବଙ୍ଗ ଓ ୟୁପି ରାଜ୍ୟର ବିକାଶ ପାଇଁ ଏକାଠି କାମ କରିବେ ବୋଲି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ।

Related Posts