ସହ୍ୟ କରାଯିବନି ଦୁର୍ନୀତି: ୫ଜଣ ସରକାରୀ ଅଧିକାରୀଙ୍କ ଉପରେ ପଡିଲା ମୁଖ୍ୟମନ୍ତ୍ରୀଙ୍କ ଛାଟ

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ପୁଣି ଥରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ | ୫ ଜଣ ସରକାରୀ ଅଧିକାରୀଙ୍କ ଉପରେ ପଡିଛି ମୁଖ୍ୟମନ୍ତ୍ରୀଙ୍କ ଛାଟ | ସମସ୍ତ ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ବିଭିନ୍ନ କ୍ଷେତ୍ରରେ ଅଧିକାରୀ, ଯଥା – ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡୀ ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହି ୫ ଜଣଙ୍କ ମଧ୍ୟରୁ ମୟୂରଭଂଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏ ର ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ସନ୍ତୋଷ କୁମାର ଦାସଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ତାଙ୍କ ବିରୋଧରେ ୨.୮୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଆୟ ବହିର୍ଭୁତ ସମ୍ପତ୍ତି ମଧ୍ୟରେ ୪୧.୭୭ ଲକ୍ଷ ଟଙ୍କା ତାଙ୍କ ଘରୁ ନଗଦ ଜବତ କରାଯାଇଥିଲା । ତାଙ୍କର ଭୁବନେଶ୍ବର ବରଗଡରେ ଏକ ଦୁଇତାଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ ବିଲ୍ଡିଂ ରହିଛି । ଏହା ସହିତ ବାଲେଶ୍ବରରେ ୩ଟି ପ୍ଲଟ୍ ମଧ୍ୟ ଅଛି । ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ସରଳା ଦେଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ୨୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ଦୁର୍ନୀତି ନିବାରଣ ବିଭାଗର ଅନୁସଂଧାନରୁ ଜଣାଯାଇଛି ଯେ ତାଙ୍କର ଭୁବନେଶ୍ବରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ପ୍ଲଟ ଓ ଜଗତସିଂହପୁରରେ ଦୁଇଟି ପ୍ଲଟ ରହିଛି । ତା ସହିତ ଜଗତସିଂପୁରରେ ଗୋଟିଏ ଦୁଇତାଲା ବିଲ୍ଡିଂ ଅଛି । ଏହାସହିତ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ପ୍ରତିମା ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନ୍‌ସପେକ୍ଟର ଶ୍ରୀ ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର ଶ୍ରୀ ହୃଦାନନ୍ଦ ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବୀ କରି ଗ୍ରହଣ କରୁଥିବା ବେଳେ, ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ । ଅସାଧୁ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ମୋ ସରକାର ତଥା ଅନ୍ୟ ସୂତ୍ରରୁ ମିଳିଥିବା ଫିଡବ୍ୟାକକୁ ମଧ୍ୟ ବିଚାରକୁ ନିଆଯାଇ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ନିକଟରେ ଜଣେ ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ଓ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Related Posts