ଭଙ୍ଗାଘରେ ଗଢ଼ା ହେଉଛି ଓଡିଶାର ଭବିଷ୍ୟତ

ସତ୍ୟପାଠ ବ୍ୟୁରୋ : ସଚିବାଳୟର ନାଁ ବଦଳି ଲୋକସେବା ଭବନ ହେଉଛି । ‘୫-ଟି’ର ଥିଓରୀ ଚାଲୁଛି । ବିକାଶ ହେଉଛି ବିକାଶ ହେଉଛି ବୋଲି ପ୍ରଚାର ଚାଲିଛି । ହେଲେ ଗ୍ରାଉଣ୍ଡରେ ଏସବୁର ସ୍ଥିତି କଣ ତାହା କିଏ ଦେଖୁଛି କି ନାହିଁ ? କିନ୍ତୁ ଆଜି ବି ରାଜ୍ୟର ପ୍ରତି ପଡା ଗାଁରେ ଅଙ୍ଗନୱାଡି କେନ୍ଦ୍ର ନାହିଁ ବା ଯେଉଁଠି ରହିଛି ସେଠାରେ ସବୁ କେନ୍ଦ୍ରର ନିଜସ୍ୱ ଘର ନାହିଁ । କେଉଁଠି ସ୍କୁଲ ବାରଣ୍ଡାରେ ତ ଆଉ କେଉଁଠି ଗଛମୂଳେ ଚାଲୁଛି ପାଠପଢ଼ା । ଉପାନ୍ତ ଅଂଚଳରେ ଏହି ଅଙ୍ଗନୱାଡି କେନ୍ଦ୍ରର ହାଲତ କେମିତି ରହିଛି, ଭାତହାଣ୍ଡିରୁ ଗୋଟିଏ ହେଉଛି ନୂଆପଡା ଜିଲ୍ଲା କୋମନା ବ୍ଳକ କଣ୍ଟାପାଲି ଗାଁ ।

କଣ୍ଟାପାଲି ଗାଁର ସବରପଡା, ବାରିକପଡା ଓ ବସ୍ତିପଡା, ତିନିଟି ଯାକ ପଡାରେ ଅଙ୍ଗନୱାଡି କେନ୍ଦ୍ର ତ ଅଛି ହେଲେ ଘର ନାହିଁ । କୁନି କୁନି ପିଲାଙ୍କୁ ପାଠ ପଢ଼ିବାକୁ କେଉଁ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ତାର କିଛି ଫଟୋ ଦିଆଯାଇଛି । ଯେଉଁଠି ଶିଶୁର ବୌଦ୍ଧିକ ବିକାଶ ହେବା କଥା ସେଇଠି ସେ ବିପଦର ସାମ୍ନା କରୁଛି ।

ତିନିଟି ଯାକ କେନ୍ଦ୍ରର ଦୁରାବସ୍ଥା ନହିବା ଭଲ । କେଉଁଠି ଭଙ୍ଗା ଚାଳଘରେ ପିଲାଏ ପଢ଼ୁଛନ୍ତି ଯେ, ପାଠ ଅପେକ୍ଷା ଚାଳ ମାଡି ବସିବାର ଭୟ ଅଧିକ ମନକୁ ଆସୁଛି । ପୁଣି ଏ ଅପନ୍ତରା ଅର୍ଦ୍ଧନିର୍ମିତ ଘରେ ତ କେତେବେଳେ କଣ ଅଘଟଣ ଘଟିବ ତାହା ବି ଭାବି ହେଉନି । ଆଉ ଏଠି ଭଙ୍ଗା ଟାଇଲ ଘରେ ଦେଶର ଭବିଷ୍ୟତକୁ ଗଢ଼ିବାକୁ ଚାଲିଛି ପ୍ରୟାସ । ୨୦୧୪ରେ ଠିକାଦାର ଘର କାମ କରିବାକୁ କାର୍ଯ୍ୟାଦେଶ ନେଇଥିଲା ହେଲେ ୫ବର୍ଷ ପରେ ବି ନା କାମ ସରୁଛି ନା ଠିକାଦାରର ଦେଖା ମିଳୁଛି ।

ନୂଆ ନୂଆ ମନ୍ତ୍ରୀ ହୋଇଥିବା ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କୁ ରିପୋର୍ଟ କାର୍ଡରେ ଫାଷ୍ଟ ଡିଭିଜନ ମାର୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଏ ଖବର ଦେଖିବା ପରେ ମନ୍ତ୍ରୀ ଟୁକୁନି ସାହୁ କେତେ ମାର୍କ ପାଇବେ ନିଜ ଆଡୁ କହିବେ କି ? ଆଉ ଲୋକସେବା ଭବନରେ ବସି ‘୫-ଟି’ର ସମୀକ୍ଷା କରୁଥିବା ଭି କେ ପାଣ୍ଡିଆନ କହିପାରିବେ କି ଏହା ତାଙ୍କ ‘୫-ଟି’ରେ ଆସୁଛି କି ନାହିଁ ?

ଆଶା କରିବୁ, କୋମଳମତି ଛୁଆ ମାନଙ୍କୁ ଆଉ ହଇରାଣ ନ କରନ୍ତୁ ସରକାର । ଶୀଘ୍ର ଅଙ୍ଗନୱାଡି ଗୃହ ନିର୍ମାଣ କରି ସତରେ ପିଲାଙ୍କ ବୌଦ୍ଧିକ ବିକାଶରେ ଭାଗିଦାରୀ ହୁଅନ୍ତୁ ।

Related Posts