ଡିସକଭରୀ ଚାନେଲକୁ ସୁଟିଂର ବିବରଣୀ ମାଗିଲା କଂଗ୍ରେସ

ସତ୍ୟପାଠ ବ୍ୟୁରୋ : ଏପଟେ ପୁଲୱାମାରେ ଚାଲିଥିଲା ବିସ୍ଫୋରଣ, ସେପଟେ ଜଙ୍ଗଲ ସଫାରୀ କରୁଥିଲେ ପ୍ରଧାନମନ୍ତ୍ରୀ । ଜଣକ ପରେ ଜଣେ ହୋଇ ୪୦ ଯବାନ ସହୀଦ ହେଉଥିବା ବେଳେ ସେପଟେ କିନ୍ତୁ ଡିସକଭରୀ ଚାନେଲର ‘ମ୍ୟାନ ଭର୍ସେସ୍ ୱାଇଲ୍ଡ’ ପାଇଁ ସୁଟିଂ କରୁଥିଲେ ମୋଦି । ଏହି ଲୋକପ୍ରିୟ ଟିଭି ସୋରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସୁଥିବା ଏକ ପ୍ରୋମୋ ଭିଡିଓ ଆଉଟ୍ ହେବା ପରେ କଂଗ୍ରେସର ପୁରୁଣା ଅଭିଯୋଗ ପୁଣି ଦାନା ଧରିଛି । ଫେବୃଆରୀ ୨୦ ତାରିଖରେ ଏହି ଅଭିଯୋଗ ଆଣିଥିଲା ଦଳ । ଆଉ ଏବେ ଏହାକୁ ପ୍ରମାଣିତ କରିବାକୁ କଂଗ୍ରେସ ତରଫରୁ ଡିସକଭରୀ ଚାନେଲକୁ ସୁଟିଂର ସଂପୂର୍ଣ୍ଣ ବିବରଣୀ ଦେବାକୁ କୁହାଯାଇଛି ।

ଫେବ ୃଆରୀ ୧୪ ତାରିଖରେ ପୁଲୱାମା ଆକ୍ରମଣରେ ୪୦ ଯବାନ ସହିଦ ହେଲେ । ସେହି ସମୟରେ ହିଁ ଡିସକଭରୀ ଚାନେଲର ‘ମ୍ୟାନ ଭର୍ସେସ୍ ୱାଇଲ୍ଡ’ ସୋ ପାଇଁ ମୋଦି ସୁଟିଂ କରୁଥିଲେ । ସୋ’ର ହୋଷ୍ଟ ବିୟର ଗ୍ରୀଲ୍ସଙ୍କ ସହ କାରବେଟ୍ ଜାତୀୟ ପାର୍କ ରେ ସେହିଦିନ ସଂଧ୍ୟା ସାଢ଼େ ୬ଟା ଯାଏ ସୁଟିଂ ଚାଲିଥିଲା । ଆଉ ସଂଧ୍ୟା ୬ ଟା୪୫ ସମୟରେ ସେ ଚା ଓ ସ୍ନାକ୍ସ ଖାଇଥିଲେ । ହମଲାର ପ୍ରାୟ ୪ଘଂଟା ଯାଏ ଦେଶର ପ୍ରଧାନମନ୍ତ୍ରୀ ଚା, ସ୍ନାକ୍ସ ସହ ନିଜର ଫଟୋସୁଟ ଓ ବ୍ରାଣ୍ଡିଂରେ ବ୍ୟସ୍ତ ରହିବା ନେଇ ଫେବୃଆରୀ ୨୦ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲା କଂଗ୍ରେସ ।

କୁହାଯାଉଛି, ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ୍ ଏ ବାବଦରେ କୁଆଡେ ମୋଦିଙ୍କୁ ସଠିକ୍ ସମୟରେ ଖବର ଦେଇ ନଥିଲେ । ଯେଉଁଥିପାଇଁ ତାଙ୍କ ଉପରେ ମୋଦି ନାଖୁସ ଥିବା ଜାତୀୟ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଖବର ପ୍ରସାରଣ ସମୟର ସ୍କ୍ରିନସଟ୍ କୁ ଟୁଇଟ୍ କରିଥିଲେ ବରିଷ୍ଠ ସାମ୍ବାଦିକା ନିସ୍ତୁଲା ହେବାର । ଯାହାକୁ ଆଉ ଏକ ପ୍ରମାଣ ସ୍ୱରୂପ ମଧ୍ୟ ନିଆଯାଉଛି ।

ଏ ଖବରକୁ ଅଧିକ ରୋଚକ କରିଛି ବିୟର ଗ୍ରୀଲଙ୍କ ଟୁଇଟ୍ । ଜାନୁଆରୀ ୨୬ରେ ସେ ଭାରତରେ ଥିବା ଓ କିଛି ସ୍ପେଷିଆଲ ସୁଟ୍ କରୁଥିବା ନେଇ ଟୁଇଟ କରିଥିଲେ । ତେବେ ଫେବୃଆରୀ ୧୨ ତାରିଖରେ ବିମାନରେ ଭାରତରୁ ବିଦାୟ ନେଉଥିବାର ଏକ ସେଲ୍ଫି ସହ ଟୁଇଟ କରିଥିବା ‘ଇଣ୍ଡିଆନ ଏକ୍ସପ୍ରେସ୍’ ରିପୋର୍ଟ କରିଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଉଭୟ ଟୁଇଟ ଡିଲିଟ୍ କରିଦିଆଯାଇଛି ।

ତେବେ କିଛି ଫଟୋ ସହ ଫେବୃଆରୀ ୨୧ରେ ରାହୁଲ ଗାନ୍ଧୀ ଟୁଇଟ କରି ଲେଖିଥିଲେ ଯେ, ଯେଉଁଦିନ ପୁଲୱାମା ଆକ୍ରମଣ ହୋଇଥିଲା, ତାହାର ତିନି ଘଂଟା ଯାଏ ମୋଦିଜୀ ଫଟୋସୁଟରେ ବ୍ୟସ୍ତ ଥିଲେ । ଯାହାକୁ ରି-ଟୁଇଟ କରି ଏହାକୁ ଫେକ୍ ନ୍ୟୁଜ୍ ଓ ରାଜନୀତିକରଣ କରାଯାଉଛି ବୋଲି ବିଜେପି କହିଛି ।

ଅଗଷ୍ଟ ୧୨ ତାରିଖ ରାତି ୯ଟା ବେଳେ ଡିସକଭରୀ ଚାନେଲରେ ଏହାର ଫୁଲ ଏପିସୋଡ ପ୍ରସାରିତ ହେବ ବୋଲି ଡିସକଭରୀ ପକ୍ଷରୁ କୁହାଯାଇଛି ।

Related Posts