କୁଆଡେ ଗଲେ ବିରୋଧୀ ଦଳ ନେତା, କାହିଁକି ଆସୁନାହାନ୍ତି ବିଧାନସଭା ?; ଗୃହକୁ ମନ୍ତ୍ରୀ ନ ଆସିବା ପ୍ରଶ୍ନରେ ବିଜେପିକୁ ବିଜେଡିର ପାଲଟା ପ୍ରଶ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୁଆଡେ ଗଲେ ବିରୋଧୀ ଦଳ ନେତା? କାହିଁକି ବିଧାନସଭା ଆସୁନାହାଁନ୍ତି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଜୟ ନାରାୟଣ ମିଶ୍ର ? ଆଜି ଏ ପ୍ରଶ୍ନ ବିଧାନସଭା ପରିସରରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଯେତେବେଳେ ବିରୋଧୀ ଦଳର ନେତାମାନେ ଗୃହରେ ଏକାଧିକ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଶାସକ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ, ସେତେବେଳେ ଶାସକ ଦଳର ବିଧାୟକ ଅମର ଶତପଥୀ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି କଥା ଉଠାଇଥିଲେ । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ତେବେ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାନସଭାରେ ଏକାଧିକ ମନ୍ତ୍ରୀଙ୍କ ଅନୁପସ୍ଥିତି କଥା ଉଠାଇଥିଲେ । ପଦ୍ମପୁର ଉପ ନିର୍ବାଚନ ପାଇଁ ଶାସକ ଦଳର ଏକାଧିକ ନେତା, ମନ୍ତ୍ରୀ ପଦ୍ମପୁରରେ ଥିବାବେଳେ, ସେମାନଙ୍କ ସ୍ଥାନରେ କା’ ମନ୍ତ୍ରୀ ବିଧାନସଭା ଆସୁଛନ୍ତି ବୋଲି ସେ କହିଥିଲେ । ପ୍ରଶ୍ନକାଳରେ ଯେଉଁ ବିଭାଗର ପ୍ରଶ୍ନ ଯେଉଁ ମନ୍ତ୍ରୀ ଦେବା କଥା, ତାଙ୍କ ସ୍ଥାନରେ ଅନ୍ୟ ମନ୍ତ୍ରୀ ମାନେ ଉତ୍ତର ଦେଉଛନ୍ତି । ହେଲେ ଏହି ଉତ୍ତର ଠିକ୍ ନୁହେଁ ବୋଲି ମୋହନ ମାଝୀ କହିିଥିଲେ ।

ଏହାର ଜବାବରେ ବଡ଼ଚଣାର ବିଜେଡି ବିଧାୟକ ଅମର ଶତପଥୀ ବିରୋଧୀ ଦଳ ନେତାଙ୍କ କଥା ଉଠାଇ ବିଜେପି ଉପରେ ବର୍ଷିଥିଲେ । ବିଜେଡି ବିଧାୟକ କହିଥିଲେ, ବିଧାନସଭାରେ ଉତ୍ତର ରଖିବା ପାଇଁ ମନ୍ତ୍ରୀମାନେ ଅନ୍ୟ ଜଣେ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇପାରିବେ । ଏନେଇ ବିଧାନସଭାରେ ବିଧିବ୍ୟବସ୍ଥା ରହିଛି । ହେଲେ ବିରୋଧୀ ଦଳ ନେତା କିନ୍ତୁ ତାଙ୍କ କାମ ଆଉ କାହାକୁ ଦେଇପାରିବେ ନାହିଁ । ବିରୋଧୀ ଦଳ ନେତା କାହିଁକି ବିଧାନସଭା ଆସୁନାହାଁନ୍ତି ବୋଲି ପ୍ରଶ୍ନ କରି ଓଲଟା ବିଜେପି ଉପରେ ପ୍ରଶ୍ନବାଣ ମାରିଥିଲେ ବିଜେଡି ବିଧାୟକ ଅମର ଶତପଥୀ । ଆଉ ଏହାର ଜବାବରେ ବିଜେପି ଦଳର ମୁଖ୍ୟ ସଚେତକ ବିରୋଧୀ ଦଳ ନେତାଙ୍କ ଦେହ ଭଲ ନଥିବା କହି, ସେ ବିଧାନସଭା ଆସୁନାହାଁନ୍ତି ବୋଲି ଉତ୍ତର ରଖିଥିଲେ ।

ବିରୋଧୀ ଦଳ ନେତାଙ୍କୁ ଟିଭିରେ ଦେଖିଥିଲି: ତାରା

ତେବେ ଗୃହରେ ବିଜେପି-ବିଜେଡିର ଏହି କଥା କଟାକଟି ଭିତରେ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଏକ ମଜାଳିଆ ପ୍ରତିକ୍ରିୟା ଦେଇଥିଲେ। ତାରା କହିଥିଲେ ଯେ, ବିରୋଧୀ ଦଳ ନେତା ପଦ୍ମପୁରରେ ବୁଲୁଥିଲେ, ଟିଭିରେ ଦେଖାଉଥିଲା । ଜୟ ନାରାୟଣ ମିଶ୍ରଙ୍କୁ ସେ ଟିଭିରେ ଦେଖିଛନ୍ତି ବୋଲି ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି।

Related Posts