କ୍ଷମତାରେ ଥିବାବେଳେ କଂଗ୍ରେସ ‘ଜାସୁସିର ଜେମ୍ସ ବଣ୍ଡ’ ଥିଲା: କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ ନାକଭି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ ସମେତ ବିଶ୍ୱର ୫୦ଟି ଦେଶର ପଚାଶ ହଜାରରୁ ଊର୍ଦ୍ଧ୍ୱ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ପେଗାସସ୍‌ ସଫ୍ଟୱେର ମାଧ୍ୟମରେ ହ୍ୟାକିଂ ଖବର ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭାରତର ଜଣାଶୁଣା ନ୍ୟୁଜ୍‌ ପୋର୍ଟାଲ୍‌ ‘ଦି ୱାଇର୍‌’ ସମେତ ୱାଶିଂଟନ୍‌ ପୋଷ୍ଟ, ଗାର୍ଡ଼ିଆନ୍‌ ପରି ବିଶ୍ୱର ୧୭ଟି ପ୍ରମୁଖ ମିଡ଼ିଆ ସଂସ୍ଥାଙ୍କୁ ନେଇ ଗଠିତ ଏକ ସାମ୍ବାଦିକ ଗୋଷ୍ଠୀ ଦ୍ୱାରା ହୋଇଥିବା ସଘନ ଅନୁସନ୍ଧାନରୁ ଏହି ତଥ୍ୟ ଖୁଲାସା ହୋଇଛି। ତେବେ ଏହି ପ୍ରସଙ୍ଗକୁ ନେଇ ଏବେ ଭାରତରେ ରାଜନୀତି ସରଗରମ ହୋଇଛି। ବିରୋଧୀ ସରକାରଙ୍କ ଉପରେ ଜୋରଦାର ହମଲା କରୁଛନ୍ତି। ବିଶେଷ କରି ମୁଖ୍ଯ ବିରୋଧୀ ଦଳ କଂଗ୍ରେସ ଏହି ପ୍ରସଙ୍ଗକୁ ମୁଦା କରି ସଂସଦରୁ ସଡକ ପର୍ଯ୍ୟନ୍ତ ସବୁଠି ଘେରିବାକୁ ପ୍ରୟାସ କରୁଛି। କିନ୍ତୁ ମୋଦୀ ସରକାର ଏହାକୁ ଏଡାଇବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ସଂସଦରେ ଜାରି ରହିଥିବା ଅଚଳାବସ୍ଥାକୁ ନେଇ ଏବେ ବିଜେପି କଂଗ୍ରେସ ପାର୍ଟିକୁ ପଲଟା ଆକ୍ରମଣ କରିଛି। ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ ନାକଭି ରବିବାର ଦିନ ପେଗାସସ୍ ବିବାଦ ମାମଲାରେ ସଂସଦରେ ଦେଖାଦେଇଥିବା ଅଚଳାବସ୍ଥାକୁ ନେଇ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ଯେତେବେଳେ କ୍ଷମତାରେ ଥିଲେ ସେମାନେ ହେଉଛନ୍ତି “ଜାସୁସିର ଜେମ୍ସ ବଣ୍ଡ” ।

ଜୁଲାଇ 19 ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ତଦନ୍ତ ଦାବି କରି ସଂସଦ ଅଚଳ କରି ଦେଇଛନ୍ତି।

ରବିବାର କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ ନକଭୀ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ପେଗାସସ୍ ପ୍ରସଙ୍ଗରେ ବିରୋଧୀ ଚର୍ଚ୍ଚା କରିବାକୁ ଆଗ୍ରହୀ ନୁହଁନ୍ତି।

ନାକଭି ଦାବି କରିଛନ୍ତି ଯେ “ବିରୋଧୀ ପ୍ରଥମେ କହିଥିଲେ ଯେ ଆମେ କରୋନା ମହାମାରୀ ଉପରେ ଆଲୋଚନା କରିବାକୁ ଚାହୁଁଛୁ କିନ୍ତୁ ପରେ ଏଥିରେ ସହମତ ହୋଇ ନଥିଲେ। ଏହା ପରେ କୃଷକଙ୍କ ସମସ୍ୟାକୁ ନେଇ ଆଲୋଚନା କରିବା ପାଇଁ କହିଥିଲେ, ସେଥିରେ ବି ରାଜି ହୋଇ ନ ଥିଲେ।ଏଵଂ ଦେଶର ବିଭିନ୍ନ ସ୍ଥାନରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି, କିନ୍ତୁ ବିରୋଧୀ ଏହି ପ୍ରସଙ୍ଗରେ ବି ଆଲୋଚନା କରିବା ପାଇଁ ଆଗ୍ରହୀ ନୁହଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନକଭୀ ପିଟିଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପରିବର୍ତ୍ତେ ପେଗାସସ୍ ଭଳି ଏକ ଫେକ୍ ଟପିକ୍ (ବିଷୟ) ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି। ନାକଭି ପିଟିଆଇକୁ କହିଛନ୍ତି ଯେ, ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ଏ ସମ୍ପର୍କରେ ଉତ୍ତର ରଖିଛନ୍ତି। କିନ୍ତୁ ସ୍ପଷ୍ଟୀକରଣ ପରେ ମଧ୍ୟ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରଖିଛନ୍ତି ଏବଂ ହିଂସାତ୍ମକ ମନୋଭାବ ପୋଷଣ କରୁଛନ୍ତି।

କେନ୍ଦ୍ର ଆଇଟି ମନ୍ତ୍ରୀ ସଂସଦରେ ବିବୃତ୍ତି ରଖି କହିଛନ୍ତି ଯେ ସରକାର ଏହି ସ୍ପାଇୱୟାର ବ୍ୟବହାର କରି ନାହାଁନ୍ତି। ଏହା ଭାରତକୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର। ନାକଭି କହିଛନ୍ତି ଯେ କଂଗ୍ରେସ ଅନ୍ୟ ଦଳଗୁଡ଼ିକୁ ସାଥିରେ ନେଇ ନିଜର ନକାରାତ୍ମକ ମନୋଭାବ” ପ୍ରଚାର କରିବାକୁ ଚେଷ୍ଟା କରୁଛି।

ନାକଭି ପିଟିଆଇକୁ କହିଛନ୍ତି ଯେ , “ଏହି ଲୋକମାନେ (କଂଗ୍ରେସ) କ୍ଷମତାରେ ଥିବା ସମୟରେ ଗୁପ୍ତଚରର ଜେମ୍ସ ବଣ୍ଡ ଥିଲେ। ସେ କହିଛନ୍ତି ଯେ କଂଗ୍ରେସ ଯେତେବେଳେ ସରକାରରେ ଥିଲା ସେତେବେଳେ ଜାସୁସି କରୁଥିଲା ଏବେ ଯେତେବେଳେ ବିପକ୍ଷରେ ଅଛନ୍ତି ସେତେବେଳେ ଯାଞ୍ଚ କରିବାକୁ କହୁଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଜାସୁସିର ଜାଲ ବୁଣିଛନ୍ତି।

ୟୁପିଏ ସମୟରେ ସେମାନଙ୍କର ନିଜର ଅର୍ଥମନ୍ତ୍ରୀଙ୍କ ଉପରେ ତାଙ୍କ ସରକାର ଜାସୁସି କରିଥିବା ଅଭିଯୋଗ କରିଥିଲେ ବୋଲି ନକଭୀ କହିଛନ୍ତି।

ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦାମ୍ବରମଙ୍କ ଦ୍ବାରା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କ ଫୋନ୍ ଟ୍ୟାପ୍ କରିଥିବା ଅଭିଯୋଗ କରି ଥିଲେ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୫ ଅର୍ଥାତ୍ ଗୁରୁବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବେ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ ଏନେଇ ନିଷ୍ପତ୍ତି ଶୁଣାଣି କରିବ ବୋଲି ସୂଚନା ମିଳିଛି।

ପେଗାସସ୍ ଦ୍ୱାରା ଦେଶର ଵହୁ ପ୍ରତିଷ୍ଠିତ ମନ୍ତ୍ରୀ, ସାମ୍ବାଦିକ, ଆଇନଜୀବୀ, ବିରୋଧୀ ଦଳ ନେତା, ସାମାଜିକ କର୍ମୀଙ୍କୁ ଟାର୍ଗେଟ୍ କରାଯାଇ ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ଆଶଙ୍କା କରାଯାଇଥିଲା । ତେଣୁ ବରିଷ୍ଠ ସାମ୍ବାଦିକ ଏ. ରାମ ଓ ଶଶି କୁମାର ଏନେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଥିଲେ ।

ଇସ୍ରାଇଲର କମ୍ପାନିଠାରୁ ଏହି ସ୍ପାଏଓୟାର୍ ଭାରତ ସରକାର କିଣିଛନ୍ତି କି ନାହିଁ, ତାହା ସ୍ପଷ୍ଟ କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ୟାଚିକାରେ ଦର୍ଶାଇଛନ୍ତି । ଏହା ବ୍ୟକ୍ତିର ସ୍ବତନ୍ତ୍ରତାର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ ।

Related Posts