ଫାଉଲ୍ ମାରିଲା କିଏ, ରାଜ୍ୟପାଳ ନା ସିଵିଆଇ ? ଗିରଫଦାରୀକୁ ନେଇ ପ୍ରଶ୍ନ ଉଠେଇଲେ ଆଇନ ବିଶାରଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ରାଜନୀତିରେ ଦିନକୁ ଦିନ ନୂଆ ମୋଡ଼ ଆସୁଛି। ନିର୍ବାଚନ ସରୁ ସରୁ ଟିଏମସି ସରକାରର ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା ମାନଙ୍କୁ ଗିରଫ କରାଯାଉଛି। ଆଉ ଗିରଫର ସାତ ଘଣ୍ଟା ପରେ ଜାମିନ୍ ବି ମିଳିଯାଉଛି। ଗତକାଲି ଦିନ ତମାମ ସିବିଆଇ ଅଫିସ୍ ଆଗରେ ହାଇଡ୍ରାମା ସାରା ଦେଶ ଦେଖିଲା। ଖୋଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇ ସିବିଆଇ ଅଫିସ୍ ଆଗରେ ଧାରଣା ଦେଲେ। ତେବେ ଆଚାନକ ସିବିଆଇର ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ସିବିଆଇ ଭଳି ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ ପାଇଁ ବିଧାନସଭାର ବାଚସ୍ପତିଙ୍କ ପରିବର୍ତ୍ତେ ରାଜ୍ୟପାଳଙ୍କୁ ଅନୁମତି ମାଗିଥିଲା । ଆଉ ଏହା ଏବେ ବିବାଦର ମୂଳ ଜଡ। ମେ 10 ତାରିଖ ଅର୍ଥାତ୍ ପଶ୍ଚିମବଙ୍ଗ ସରକାରର ନୂତନ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନଖଡ ଏକ ପ୍ରେସ ନୋଟ ଜାରି କରିଥିଲେ।  ଏଥିରେ ସେ ଟିଏମସି ନେତା ସୁବ୍ରତ ମୁଖାର୍ଜୀ, ଫିରହାଦ୍ ହାକିମ, ମଦନ ମିତ୍ର ଏବଂ ପୂର୍ବତନ ବିଧାୟକ ସୋଭାନ ଚାଟାର୍ଜୀଙ୍କ ବିରୋଧରେ ସିବିଆଇ କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କାରଣ  2016 ରେ ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ରାଜ୍ୟପାଳ ମନ୍ତ୍ରୀ ପଦର ଶପଥ ପାଠ କରାଇଥିଲେ। ସିବିଆଇ କୋର୍ଟରେ ରାଜ୍ୟପାଳଙ୍କ ଯୁକ୍ତିକୁ ଟିଏମସି କଡା ବିରୋଧ କରିଥିଲା।ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଦଳ ବେଆଇନ୍ ଓ ଅସାମ୍ବିଧାନିକ ବୋଲି କହିଥିଲା। ସିଏମ୍ ମମତା ବାନାର୍ଜୀ ମେ 5 ରେ ଶପଥ ଗ୍ରହଣ କରିବା ପରେ ଏବଂ ତାଙ୍କ ମନ୍ତ୍ରୀ ପରିଷଦ ମେ 10 ରେ ଶପଥ ନେଲା। ତେବେ ଆଇନ ବିଶେଷଜ୍ଞଙ୍କ ମତ ହେଉଛି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ଶପଥ ନେବାର ସମୟ ଅବଧିରେ ତଦନ୍ତ ନିର୍ଦ୍ଦେଶ ଦେଲେ । ଏହାକୁ ନେଇ ଏବେ ରାଜ୍ୟପାଳଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଆଇନ ବିଶେଷଜ୍ଞ। ସିବିଆଇ ତରଫରୁ ଏଭଳି ହଠାତ୍ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବମ୍ବେ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଚିତ୍ତୋଶ ମୁଖାର୍ଜୀ। ସେ କହିଛନ୍ତି ଯେ ସିବିଆଇ କୌଣସି ବିଧାୟକ କିମ୍ବା ମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବାକୁ ହେଲେ ବିଧାନସଭା ବାଚସ୍ପତିଙ୍କଠାରୁ ଅନୁମତି ମାଗିବା ଆବଶ୍ୟକ। ସେ କହିଛନ୍ତି ଯେ ତଦନ୍ତ ନିର୍ଦ୍ଦେଶ କୁ ନେଇ ଆଇନ ଆହୁରି ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି। ଏପଟେ ବାଚସ୍ପତି ବିମନ ବାନାର୍ଜୀ ଦାବି କରିଛନ୍ତି ଯେ ସେ ସିବିଆଇ ପକ୍ଷରୁ ତାଙ୍କୁ କୌଣସି ଯୋଗାଯୋଗ କରାଯାଇନଥିଲା। ସେ କହିଛନ୍ତି ଯେ “ଯେତେବେଳେ ରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଁ ସେତେବେଳେ ଆଶ୍ଚର୍ଯ୍ୟ ହୋଇଥିଲି। କିନ୍ତୁ ଏହାକୁ ବେଆଇନ ବୋଲି ସେ କହିଛନ୍ତି। ଯଦି କୌଣସି ବିଧାୟକଙ୍କୁ ଗିରଫ କରାଯାଏ ତେବେ ବିଧାନସଭାର ବାଚସ୍ପତିଙ୍କୁ ଏ ସମ୍ପର୍କରେ ସୂଚନା ଦେବା ଆବଶ୍ୟକ। ଦୁର୍ନୀତି ନିବାରଣ ଆଇନର ଧାରା 19 ମୁତାବକ, “ପୂର୍ବ ମଞ୍ଜୁରୀ ବ୍ୟତୀତ, ଧାରା 7, 10, 11, 13 ଏବଂ 15 ଅନୁଯାୟୀ ହୋଇଥିବା ଅଭିଯୋଗ ଦଣ୍ଡନୀୟ ଅପରାଧ କି ନୁହେଁ କୌଣସି ଅଦାଲତ ଏହାକୁ ଗ୍ରହଣ କରିବେ ନାହିଁ।” ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଏହି ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁଯାୟୀ, ସାଂସଦ ଏବଂ ବିଧାୟକମାନେ ହେଉଛନ୍ତି ଜନତାଙ୍କ ସେବକ ତେଣୁ ସେମାନଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ପୂର୍ବରୁ ତଦନ୍ତକାରୀ ସଂସ୍ଥା ବିଧାନସଭା ବାଚସ୍ପତିଙ୍କ ଅନୁମତି ନେବା ଆବଶ୍ୟକ। ବେଙ୍ଗଲର ପୂର୍ବତନ ଲୋକାୟୁକ୍ତ ଜଷ୍ଟିସ ସମରେଶ ବାନାର୍ଜୀ କହିଛନ୍ତି ଯେ ଯେତେବେଳେ ପିସି ଆକ୍ଟ ଅନୁଯାୟୀ ଯଦି କୌଣସି ଜନ ପ୍ରତିନିଧୀ ସମ୍ପୃକ୍ତ ଥାଆନ୍ତି ଏବଂ ରାଜ୍ୟପାଳ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଅନୁମତି ଦେଇଥିବେ , ତେବେ ଏହାକୁ ନେଇ ବିବାଦ ହେବା ଉଚିତ ନାହିଁ।  “ଏହି ମାମଲାରେ ଯେତେବେଳେ ରାଜ୍ୟପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସେତେବେଳେ ବିଧାନସଭାରେ ବାଚ୍ଚସ୍ପତି ନଥିଲେ। ବାଚସ୍ପତି ବହୁ ପରେ ନିର୍ବାଚିତ ହୋଇଥିଲେ ତେଣୁ ଏହାକୁ ନେଇ ଆଇନ ସ୍ପଷ୍ଟ ହେବା ଆବଶ୍ୟକ। ” ସୋମବାର ସିବିଆଇ କୋର୍ଟରେ ଅଭିଯୁକ୍ତଙ୍କ ପକ୍ଷରୁ ଲଢୁଥିବା ସାଂସଦ ତଥା ଓକିଲ କଲ୍ୟାଣ ବାନାର୍ଜୀ ଦର୍ଶାଇଛନ୍ତି ଯେ ସିଏମ୍ ଶପଥ ଗ୍ରହଣ କରିବା ପରେ ରାଜ୍ୟପାଳ ତାଙ୍କ ମଞ୍ଜୁରୀ ଦେଇଛନ୍ତି।  “ସମ୍ବିଧାନ ଅନୁଯାୟୀ ରାଜ୍ୟପାଳ ମୁଖ୍ଯମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ସହାୟକ ତଥା ପରାମର୍ଶଦାତା ।  ସେ ଏକପାଖିଆ ନିଷ୍ପତ୍ତି ନେଇ ପାରିବେ ନାହିଁ । ଜାନୁଆରୀ 2021 ରେ ସିବିଆଇ ପକ୍ଷରୁ ତଦନ୍ତ ପାଇଁ ଆବେଦନ କରାଯାଇଥିଲା । ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ସିବିଆଇର ପଦକ୍ଷେପ ଆକ୍ରୋଶ ମୂଳକ ଦର୍ଶାଉଛି। ସେ କହିଛନ୍ତି, “ଗିରଫ ହୋଇଥିବା ଦୁଇଜଣ ହେଉଛନ୍ତି ବଙ୍ଗଳା ସରକାରର ମନ୍ତ୍ରୀ ଏବଂ ଅନ୍ୟ ଜଣେ ବିଧାୟକ ଏବଂ ଚତୁର୍ଥ ଜଣେ ପୂର୍ବତନ ମେୟର ତଥା ପୂର୍ବତନ ମନ୍ତ୍ରୀ।  ସେମାନଙ୍କ ମଧ୍ୟରୁ କେହି ପଳାତକ ନଥିଲେ।  ଏବଂ ସିବିଆଇକୁ ଦେଖି ଖସି ପଳାଇବାକୁ ଚେଷ୍ଟା ମଧ୍ୟ କରିନଥିଲେ । ନା ସିବିଆଇ ସହ ସହଯୋଗ ନକରିବାର ଅଭିଯୋଗ ରହିଛି ?  ଯୁକ୍ତିର ପରିସରରେ ଥିବାରୁ ମୁଁ ତଦନ୍ତ ନିର୍ଦ୍ଦେଶ ଅନୁମତିର ସବିଶେଷ ତଥ୍ୟ ଭିତରକୁ ଯିବାକୁ ଚାହେଁ ନାହିଁ, କିନ୍ତୁ ମହାମାରୀ ମଧ୍ୟରେ ଗିରଫ କରାଯିବାର କୌଣସି ତର୍କ ନାହିଁ ବୋଲି ସେ କହିଛନ୍ତି।”  ଅନ୍ୟପକ୍ଷରେ ବରିଷ୍ଠ ଓକିଲ ବିକାଶ ଭଟ୍ଟାଚାର୍ଯ୍ୟ ଯୁକ୍ତି ବାଢିଛନ୍ତି ଯେ ଗିରଫ ପାଇଁ କୌଣସି ମଞ୍ଜୁରୀ ନେବାର ଆବଶ୍ୟକ ନାହିଁ। ସେ କହିଛନ୍ତି “ମୁଁ ମଧ୍ୟ 2021 ମସିହାରେ କଲିକତା ହାଇକୋର୍ଟରେ ନାରଦା ଷ୍ଟିଙ୍ଗ ଅପରେସନରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ମାମଲା ଦାୟର କରିଥିଲି । କାରଣ ପୂର୍ବରୁ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।  ମୁଁ କୋର୍ଟରେ ଏହା ସ୍ପଷ୍ଟ କରିଥିଲି ଯେ ଅଭିଯୁକ୍ତମାନେ ଅପରାଧିକ ଅପରାଧରେ ଜଡିତ ଥିବାରୁ କୌଣସି ମଞ୍ଜୁରୀ ନେଵାର ଆବଶ୍ୟକତା ନାହିଁ ତେଣୁ ଗିରଫ କରାଯାଇଛି । ” ପୂର୍ବତନ ଆଡଭୋକେଟ ଜେନେରାଲ ବିମଲ ଚାଟାର୍ଜୀ କହିଛନ୍ତି ଯେ ଯଦି ବିଧାନସଭା ପରିସର ଭିତରୁ ଯଦି ଜଣେ ବିଧାୟକଙ୍କୁ ଗିରଫ କରାଯାଏ ତେବେ ବାଚସ୍ପତିଙ୍କ ଅନୁମୋଦନ ଆବଶ୍ୟକ। ବରିଷ୍ଠ ଆଇନଜୀବୀମାନେ ଦର୍ଶାଇଛନ୍ତି ଯେ ରାଜ୍ୟପାଳ ଭାବରେ ରାଜ୍ୟପାଳଙ୍କ ଆଇନଗତ ପ୍ରାଥମିକତା ରହିଛି । ଅତୀତରେ ଏହିପରି ଅନେକ ମାମଲାରେ ହସ୍ତକ୍ଷେପ କରିଥିବାର ନଜିର ରହିଛି ।  2011 ରେ, କର୍ଣ୍ଣାଟକ ରାଜ୍ୟପାଳ ଏଚ୍ ଆର ଭରଦ୍ୱାଜ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ଦୁରପାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।  1997 ରେ, ସେତେବେଳେ ବିହାର ରାଜ୍ୟପାଳ ଏ ଆର କିଡୱାଇ ସିବି ଲାଲୁ ପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।  ଏହାପୂର୍ବରୁ, 1995 ରେ ତାମିଲନାଡୁର ରାଜ୍ୟପାଳ ଏନ ଚେନା ରେଡ୍ଡୀ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ। 

Related Posts