ବିହାରରେ କୌଣସି ବିକାଶ ହୋଇ ନାହିଁ କହିବାକୁ ପ୍ରଶାନ୍ତ କିଶୋର କିଏ: ତେଜସ୍ୱୀ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାରକୁ ନେଇ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବଡ଼ ବୟାନ ଦେଇଛନ୍ତି । ଯାହାକୁ ନେଇ ର୍ତ୍ତମାନ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ଗତ ୩୦ ବର୍ଷ ଧରି ବିହାରରେ କୌଣସି ବିକାଶ ହୋଇ ନାହିଁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ସେପଟେ ତାଙ୍କର ଏପରି ବୟାନର ଜବାବ ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ସେ କହିଛନ୍ତି, ପ୍ରଶାନ୍ତ କିଶୋର ଦେଇଥିବା ବୟାନର କୌଣସି ମହତ୍ୱ ନାହିଁ । ଏପରି କହିବା ପାଇଁ ସେ କିଏ ? ଏପରିକି ତାଙ୍କ ଠିକଣା ସମ୍ପର୍କରେ ମଧ୍ୟ ମୋ ପାଖରେ ସୂଚନା ନାହିଁ ବୋଲି ତେଜସ୍ୱୀ ଯାଦବ କହିଛନ୍ତି । କେବଳ ଏତିକି ନୁହେଁ ବରଂ ସିଏଏ-ଏନଆରସିକୁ ନେଇ ତେଜସ୍ୱୀ କହିଛନ୍ତି ଆମେ ଏହାକୁ ନେଇ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଛୁ ।

ଆମେ ଏହାକୁ ବିରୋଧ କରିଛୁ ଏବଂ ସଂସଦରେ ବିରୋଧ ଜାରି ରଖିବୁ। ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ବିହାରରେ ଏହା ପ୍ରଯୁଜ୍ୟ ହେବ ବୋଲି ସେ ଭାବନ୍ତି ନାହିଁ ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି । ଅନ୍ୟପଟେ ଗୋଟିଏ ଦିନ ପୂର୍ବରୁ ବିହାରର ରାଜଧାନୀ ପାଟନାରେ ଏକ ପ୍ରେସ କନଫରେନ୍ସରେ ପ୍ରଶାନ୍ତ କିଶୋର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରି କହିଥିଲେ ଏମାନେ ବିହାରରେ ବିକାଶ କରିପାରି ନାହାନ୍ତି । ଏପରିକି ଲାଲୁଙ୍କର ୧୫ ବର୍ଷ ଓ ନୀତିଶଙ୍କର ୧୭ ବର୍ଷର ଶାସନ ମଧ୍ୟରେ ଏମାନେ ବିହାରର କୌଣସି ବିକାଶ କରି ନାହାନ୍ତି ବୋଲି ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts