ରୋଷଘର ଚୁଲିର ମାଲିକ କିଏ ?

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରର ରୋଷଘର ଚୁଲି ଭାଙ୍ଗିବା ଘଟଣାକୁ ନେଇ ସାରା ରାଜ୍ୟରେ ବର୍ତ୍ତମାନ ମଧ୍ୟ ଚର୍ଚ୍ଚା ଲାଗିରହିଛି । ଏହା ମଧ୍ୟରେ ରୋଷଘର ଭାଙ୍ଗା ଘଟଣାରେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇସାରିଛି । ତଥାପି ରାଜ୍ୟରେ ରୋଷଘରକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ତେବେ ବର୍ତ୍ତମାନ ରୋଷଘରେ ଥିବା କେଉଁ ଚୁଲି କାହା ମାର୍ଫତରେ ରହିଛି ଓ ମହାପ୍ରସାଦ ଏବଂ ଅନ୍ୟାନ୍ୟ ଭୋଗ ପ୍ରସ୍ତୁତି ଲାଗି କାହାକୁ କିଏ କେଉଁ ଚୁଲି କେବେ ଆବଣ୍ଟନ କରିଛି ଏନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ସହ ଦୀର୍ଘବର୍ଷ ଧରି ଜଡିତ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକମାନଙ୍କ ମତରେ କୋଠଭୋଗ ପ୍ରସ୍ତୁତି ଲାଗି ଥିବା ରୋଷଘରର ଚୁଲିଗୁଡିକ ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନର ଥିବାବେଳେ ଆଉ ଅନେକ ଚୁଲି ରହିଥିଲା ବିଭିନ୍ନ ମଠମାନଙ୍କର ।

ଶ୍ରୀମନ୍ଦିରକୁ କେନ୍ଦ୍ରକରି ପୁରୀରେ ଗଢି ଉଠିଥିବା ଶହ ଶହ ବର୍ଷ ତଳର ମଠବାଡି ସବୁର ଶ୍ରୀମନ୍ଦିର ଲାଗି ନିର୍ଦ୍ଦିଷ୍ଟ ସେବାମାନ ରହିଛି । ପୂର୍ବରୁ ଅନେକ ମଠବାଡି ସେମାନଙ୍କ ଚୁଲିରେ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ ପ୍ରସ୍ତୁତି ଲାଗି ସାଜ ସରଞ୍ଜାମ ଯୋଗାଉଥିଲେ । ତେବେ ଏସବୁର ପ୍ରସ୍ତୁତି କ୍ଷେତ୍ରରେ ମହାସୁଆର, ସୁଆରଙ୍କ ସମେତ ଅନ୍ୟ କିଛି ବର୍ଗର ନିର୍ଦ୍ଦିଷ୍ଟ ସେବକଙ୍କର ଭୂମିକା ରହିଥାଏ । ମନ୍ଦିର ସୁରକ୍ଷା ଜନିତ ତ୍ରୁଟି ଯୋଗୁଁ ଶୋଧ ପରେ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ବନ୍ଦ କରାଯାଇଥିବାବେଳେ ରୋଷଘର ଦ୍ୱାର ବନ୍ଦ ନଥିଲା ଏବଂ ଶୋଧ ସତ୍ୱେ କୁଆଡେ ଅଭିଯୁକ୍ତ ରାତିରେ ମନ୍ଦିର ଭିତରେ ରହି ଚୁଲି ଭାଙ୍ଗିଥିଲା । ଭଙ୍ଗା ଯାଇଥିବା ଚୁଲିଗୁଡିକ ଯେଉଁମାନଙ୍କ ଦାୟିତ୍ୱରେ ଥିଲା ସେମାନଙ୍କ ଭିତରୁ କେହି ଥାନାରେ ଏତାଲା ଦେଇନଥିବାବେଳେ ଦୀର୍ଘସମୟ ଧରି ଖୋଳତାଡ କରିବାପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସଂକ୍ରାନ୍ତରେ ପୁଲିସ୍ର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଶ୍ରୀମନ୍ଦିରର ରୋଷଘରେ ପୂର୍ବରୁ ଅନେକ ଚୁଲି ଥିଲା ।

ଏବେ ଏହି ସଂଖ୍ୟା ୨୪୦ରେ ସୀମିତ ବୋଲି କୁହାଯାଉଛି । ତେବେ ଏଥିରୁ ଅଧିକାଂଶ ଚୁଲିରେ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ପ୍ରସ୍ତୁତି କରୁଥିବା ସେବାୟତଙ୍କ ଦାୟିତ୍ୱରେ ରହିଛି । ସେମାନେ ଚାଉଳ, ଡାଲି, ପନିପରିବା, ଘିଅ ଓ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ସଗ୍ରହକରି ସେଥିରେ ମହାପ୍ରସାଦ ପ୍ରସ୍ତୁତ କରିବାପରେ ନିର୍ଦ୍ଧାରିତ ସମୟରେ ଏହା ଶ୍ରୀଜୀଉମାନଙ୍କୁ ଅର୍ପଣ କରି ଆନନ୍ଦବଜାରରେ ବିକ୍ରୟ କରାଉଛନ୍ତି । ଆଗ୍ରହୀ ଭକ୍ତମାନେ ଆନନ୍ଦର ସହ ଆନନ୍ଦବଜାରରୁ ମହାପ୍ରସାଦ ମଧ୍ୟ ସଂଗ୍ରହ କରୁଛନ୍ତି । ତେବେ ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ପରେ ଏଠାରେ ଥିବା କେଉଁ ଚୁଲି କାହାର ଓ କାହାକୁ କିଏ କେବେ ଚୁଲି ଆବଣ୍ଟନ କରିଛନ୍ତି ଏବଂ ଯେଉଁମାନଙ୍କ ଆବଣ୍ଟନ କରାଯାଇଥିଲା ସେମାନେ ଏହି ଚୁଲିରେ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି କିମ୍ବା ତାଙ୍କ ବଦଳରେ ଅନ୍ୟ କିଏ ଏହି କାର‌୍ୟ୍ୟ କରୁଛି ସେଥିଘେନି ଏବେ ଚର୍ଚ୍ଚା ଜୋରଦାର ।

ଏମିତିକି ଚୁଲି ଭଙ୍ଗା ଘଟଣା ପରେ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ କେତେକ କ୍ଷେତ୍ରରେ ଶ୍ରୀମନ୍ଦିର ଚୁଲି ବିକ୍ରି ଓ ବନ୍ଧା ଦେଇ କିଛି ବ୍ୟକ୍ତି ବେଶ୍ ମୁନାଫା ଉଠାଉଛନ୍ତି । ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମ୍କୋରର୍ଟ ଠାରୁ ରାଜ୍ୟ ସରକାର ଏମିତିକି ସାଧାରଣ ଭକ୍ତମାନେ ଆଗ୍ରହ ପ୍ରକାଶ କରୁଥିବାବେଳେ ରୋଷଶାଳା ସମେତ ଶ୍ରୀମନ୍ଦିରର ଅନ୍ୟସବୁ ବ୍ୟବସ୍ଥାରେ ଯେଉଁମାନେ ନିୟୋଜିତ ରହିଛନ୍ତି ତାହାର ପଞ୍ଜିକରଣ ସହିତ ଚୁଲିଗୁଡିକର ମାର୍ଫତଦାର ଚିହ୍ନଟ ଲାଗି ଦାବି ଉଠୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts