କନକବର୍ଦ୍ଧନ, ସମୀର ନା ଆଉ କିଏ ?

ସତ୍ୟପାଠ ବ୍ୟୁରୋ : ନିର୍ବାଚନ ସରିଲା, ଦାୟିତ୍ୱ ସରିଲା । ଏବେ କିଏ ହେବ ରାଜ୍ୟ ବିଜେପି ସଭାପତି ? କାହା ଉପରେ ଭରସା କରିବେ କେନ୍ଦ୍ରୀୟ ନେତୃତ୍ୱ ? ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ପୁରି ଯାଇଥିବାରୁ ନୂଆ ସଭାପତି ଚୟନ ନେଇ ବିଜେପି ଶିବିର ଏବେ ଚଳଚଂଚଳ ହୋଇଛି ।

ସଭାପତି ଦୌଡରେ ସବା ଆଗରେ ଅଛନ୍ତି ବର୍ତ୍ତମାନର ଉପସଭାପତି ସମୀର ମହାନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର ବୋଲି ପୁରା ଦଳ ଜାଣିଛି । ଖାସ ସେଇଥିପାଇଁ ସମୀର ମହାନ୍ତିଙ୍କୁ ସଭାପତି ଚଉକିରେ ବସିବାକୁ ଚାହୁଁଛନ୍ତି ଧର୍ମେନ୍ଦ୍ର । ଜୟନାରାୟଣ ମିଶ୍ରଙ୍କ ସହ ଧର୍ମେନ୍ଦ୍ରଙ୍କ ସୁସମ୍ପର୍କ ନଥିବା କାରଣରୁ ତ ସମ୍ବଲପୁରରେ ସମୀରଙ୍କୁ ଅପମାନିତ ହେବାକୁ ପଡିଥିଲା । ହେଲେ ଧର୍ମେନ୍ଦ୍ରଙ୍କ ମୁହଁକୁ ଚାହିଁ ସବୁ ଅଭିମାନ, ଅପମାନକୁ ସହି ଯାଇଥିଲେ ସମୀର ।

ଦ୍ୱିତୀୟରେ ଆସୁଛି କନକ ବର୍ଦ୍ଧନ ସିଂଦେଓଙ୍କ ନାଁ । କୁହାଯାଉଛି ଗତଥର ଟିକିଏ ଟିକିଏରେ ସଭାପତି ପଦରୁ ବଂଚିତ ହୋଇଥିବା କେଭିଙ୍କୁ ଏଥର ପଦବୀ ମିଳିପାରେ । ହେଲେ ନିର୍ବାଚନ ହାରିବା ପରେ କେଭିଙ୍କ ଦବଦବା କମିଛି । ଏମିତିରେ ଯଦିଓ ଧର୍ମେନ୍ଦ୍ରଙ୍କୁ ସେ ଇତିମଧ୍ୟରେ ସବୁ କ୍ଷେତ୍ରରେ ସମର୍ଥନ ଯୋଗାଇଛନ୍ତି, ତଥାପି ତାଙ୍କୁ ବିଶ୍ୱାସକୁ ନେଇ ପାରୁ ନାହାଁନ୍ତି ଧର୍ମେନ୍ଦ୍ର ।

ଚର୍ଚ୍ଚା ହେଉଛି, ଧର୍ମେନ୍ଦ୍ର ଚାହୁଁଛନ୍ତି ବସନ୍ତ ପଣ୍ଡାଙ୍କ ଭଳି ଜଣେ ନରମପଂଥି ନେତାଙ୍କୁ ସଭାପତି କରିବାକୁ । ଯାହାଦ୍ୱାରା ରାଜ୍ୟ ବିଜେପିର ରିମୋର୍ଟ ତାଙ୍କ ହାତରେ ସୁରକ୍ଷିତ ରହିବ । କିନ୍ତୁ କେଭି ଝଟକା ଦେବେ ନା ଖାଇବେ ତାହା ଏବେ ବି ସନ୍ଦୀହାନ ।

ପରେ ପରେ ଆସୁଛି ଜୁଏଲ ଓରାମଙ୍କ ନାଁ । କିଛି ଜଣଙ୍କ କହିବା କଥା କେନ୍ଦ୍ରମନ୍ତ୍ରୀ ହୋଇନପାରି ଅସନ୍ତୁଷ୍ଟ ଥିବା ଜୁଏଲଙ୍କୁ ସଭାପତି କରାଯାଇପାରେ । କିନ୍ତୁ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଜୁଏଲଙ୍କ ପରଫାନ୍ସ ଏତେ ଭଲ ନୁହେଁ କିମ୍ବା ତାଙ୍କ ନେତୃତ୍ୱ ଏତେ ଦମ୍ଭିଲା ନୁହେଁ । ସରକାରକୁ ଅଙ୍ଗୁଠିରେ ଉଠବସ କଲା ଭଳି ନେତା ନୁହଁନ୍ତି ଜୁଏଲ ।

ସବୁ ପରେ ବି ଆଉ ଏକ କଥାକୁ ଅସ୍ୱୀକାର କରାଯାଇ ନପାରେ । ଏଥର ନୂଆ ଏକ ଫ୍ୟାକ୍ଟର କାମ କରୁଛି ଦଳରେ । ବୈଜୟନ୍ତ ପଣ୍ଡା ଓ ଅପରାଜିତା ମହାନ୍ତି । ଦୁହେଁ ସିନା ସଭାପତି ରେସ୍ରେ ନାହାଁନ୍ତି କିନ୍ତୁ ଏମାନେ ପଛରେ ରହି ଚାହିଁବେ ଯେ, ନିଜର ଗୁରୁତ୍ୱ ରହୁ । ଯାହାଦ୍ୱାରା ଦଳରେ ତାଙ୍କର ପତିଆରା ଥିବା ନିଜ ଲୋକଙ୍କ ପାଖରେ ବାର୍ତ୍ତା ପହଂଚି ପାରିବ ।

Related Posts