କିଏ ହେବ ମୁଖ୍ୟମନ୍ତ୍ରୀ ?; ଆଜି ହଟିବ ସସପେନ୍ସ

ଭୁବନେଶ୍ୱର,୧୧/୬(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ଆଜି ହଟିବ ସସପେନ୍ସ। ବିଜେପି ବିଧାୟକ ଦଳ ବୈଠକରେ ଆଜି ନାଁ ସ୍ପଷ୍ଟ ହେବ। ଆଜି ଓଡ଼ିଶାରେ ପହଞ୍ଚିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ। ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନେଇ ବିଧାୟକ ଦଳ ବୈଠକ ବସିବ। ବୈଠକରେ ରାଜ୍ୟରେ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ଥିବାରୁ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାବାଦ୍ ବିଜେପିର ପ୍ରଥମ ସରକାର ଆଉ ମନ୍ତ୍ରିମଣ୍ଡଳରେ କେଉଁ କେଉଁ ବିଧାୟକଙ୍କୁ ଗୁରୁତ୍ବ ମିଳୁଛି ତାକୁ ନେଇ ବି କଳ୍ପନା ଜଳ୍ପନା ଲାଗି ରହିଛି।

ସେହିଭଳି ମନ୍ତ୍ରୀ ରେସରେ ହେଭିୱେଟ ଭାବେ ସୁରେଶ ପୂଜାରୀ, କେ.ଭି ସିଂଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି। ଏହା ସହ ନୂଆ ମୁହଁ ଭାବେ ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ।

ସେପଟେ ଦିନକ ପରେ ରାଜ୍ୟରେ ପ୍ରଥମଥର ପାଇଁ ବିଜେପିର ସରକାର ଗଠନ ହେବାକୁ ଯାଉଛି । ଏହି ଶପଥ ସମାରୋହ ପାଇଁ ରାଜ୍ୟ ସରକାର ବୁଧବାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତତିରେ ବିଜେପିର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଏହି ଶପଥ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ସମସ୍ତଙ୍କୁ ଦୁଇଟି ଲେଖାଏଁ ଦୀପ ନିଜ ଘରେ ଜାଳିବାକୁ ଆହ୍ୱାନ କରାଯାଇଛି ।

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ଭୁବନେଶ୍ୱରରେ ଥିବା ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଆସନ୍ତା ୧୨ତାରିଖ ଦିନ ୧ଟାରୁ ଛୁଟି ରହିବ ।

ସୂଚନାଯୋଗ୍ୟ, ରାଜ୍ୟରେ ୨୪ବର୍ଷର ବିଜେଡି ସରକାରର ଅନ୍ତ ଘଟିଛି ଓ ଆସନ୍ତା ୧୨ତାରିଖ ଅପରାହ୍ନ ୫ଟାରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଶପଥ ସମାରୋହରେ ସାମିଲ ହେବେ । ପ୍ରଧାନମନ୍ତ୍ରୀ ମୋଦି ଉକ୍ତଦିନ ୨ଟା ୧୦ମିନିଟରେ ଭୁବନେଶ୍ୱରରେ ପହଂଚି ରାଜଭବନ ଯିବେ । ସେଠାରୁ ଜନତା ମଇଦାନରେ ଆୟୋଜିତ ଶପଥ ସମାରୋହରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Related Posts