ସୌମ୍ୟଙ୍କ ଅହଂକାର ପ୍ରବଚନ : ଅସନ୍ତୋଷ ନା ପରାମର୍ଶ

ସତ୍ୟପାଠ ବ୍ୟୁରୋ : ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ସାଧୁବାଣୀ । ସଂଖ୍ୟାକୁ ଦେଖି ଶାସକ ଦଳ ଅହଂକାରୀ ନହେବାକୁ ପରାମର୍ଶ ଦେଲେ ସୌମ୍ୟବାବୁ । ହେଲେ ହଠାତ ସୌମ୍ୟବାଙ୍କୁ ଏ ସାଧୁବାଣୀ କାହିଁକି ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆଲୋଚନା ।

ରାଜ୍ୟରେ ବିଜେଡି ଯେବେଠୁ କ୍ଷମତାକୁ ଆସିଛି ସେବେଠୁ ତାଙ୍କ ସଂଖ୍ୟା ସବୁବେଳେ ଉପରେ । ସୌମ୍ୟବାବୁ ବିଜେଡିରେ ମିଶିବା ପୂର୍ବରୁ ବି ଯେମିତି ବିଜେଡି ଶତକ ଛୁଆଁଇଥିଲା ଏବେବି ସେଇଆ । ତେବେ ସୌମ୍ୟବାବୁଙ୍କ ଭାଷଣକୁ ଯଦିଓ ପରିପକ୍ୱ କୁହାଯାଇପାରେ କିନ୍ତୁ ତାଙ୍କର ଏହି ଅହଂକାର ପ୍ରବଚନ ପଛରେ ଯେମିତି କିଛି କ୍ଷୋଭ ବା ଅସନ୍ତୋଷ ଥିଲା ଭଳି ଲାଗିଲା ।

ନିର୍ବାଚନ ଫଳାଫଳ ଆସିବା ପରେ ଆଲୋଚନା ହେଉଥିଲା ସର୍ବାଧିକ ଭୋଟରେ ଜିତିଥିବା ସୌମ୍ୟବାବୁ ଉପ-ମୁଖ୍ୟମନ୍ତ୍ରୀ ଅଥବା ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେବେ । କିନ୍ତୁ ସେଭଳି କିଛି ହେଲାନାହିଁ । ଏହା ପରଠାରୁ ସୌମ୍ୟବାବୁ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ଯାହାର ପ୍ରତିଫଳନ ହୁଏତ ଏହି ଭାଷଣର କିୟଦଂଶ ହୋଇପାରେ ।

କିନ୍ତୁ କଥା ହେଉଛି, ସୌମ୍ୟବାବୁ ବିଜେଡିରେ କାହା ଭିତରେ ସେ ଅହଂକାରକୁ ଦେଖିଲେ? ସଂଖ୍ୟାକୁ ନେଇ କଣ ବିଜେଡି ନେତାମାନେ ଅହଂକାରୀ ହେଲେଣି କି ? ବିଜେଡିର ପାଣିପାଗ ବିଗୁଡୁଛି କି? ସୌମ୍ୟବାବୁଙ୍କୁ ଦଳରେ ଅଣଦେଖା କରାଯାଉଛି କି ? କନିଷ୍ଠ ନେତାମାନେ ତାଙ୍କୁ ଗରୁତ୍ୱ ଓ ଉପଯୁକ୍ତ ସମ୍ମାନ ଦେଉ ନାହାଁନ୍ତି କି ? ବିଜେଡି ସଂଖ୍ୟା ପାଇ ଅହଂକାର ନହେବା ନେଇ ସୌମ୍ୟବାବୁଙ୍କ ପରାମର୍ଶ ପରେ ଏଭଳି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମୁହଁରେ ।

ସେପଟେ ଗୃହରେ ସୌମ୍ୟଙ୍କ ଏହି ଭାଷଣକୁ ସିଧାସଳଖ କଟାକ୍ଷ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାୟକ ଭାବରେ ସୌମ୍ୟବାବୁ ଗୃହରେ ଗୋଟିଏ କଥା କହୁଛନ୍ତି ଆଉ ସମ୍ବାଦର ସମ୍ପାଦକ ଭାବରେ ଅଲଗା କଥା ଲେଖୁଛନ୍ତି । ଏଠି ଅହଂକାର ବାବଦରେ ଉପଦେଶ ଦେଉଛନ୍ତି ଆଉ ସେଠି ତାଙ୍କର ଲେଖାରେ ଅହାଂକର ଦେଖାଯାଉଛି । ତେଣୁ କେଉଁ ସୌମ୍ୟବାବୁ ଟି ଠିକ୍ , ସମ୍ପାଦକ ସୌମ୍ୟବାବୁ ନା ବିଧାୟକ ସୌମ୍ୟବାବୁ !

ଅବଶ୍ୟ ଏକଥା ସତ ଯେ, ସୌମ୍ୟବାବୁ ବିଜେଡିରେ ମିଶିବା ପଛରେ ଥିଲା ଉଭୟ ନବୀନ ବାବୁ ଓ ସୌମ୍ୟବାବୁଙ୍କ ସ୍ୱାର୍ଥ ଓ ଲାଭକ୍ଷତିର ହିସାବ । ଯେତେବେଳେ ବୈଜୟନ୍ତ ପଣ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବରେ ଓଡିଶାର କିଛି ପ୍ରମୁଖ ଗଣମାଧ୍ୟମ ନବୀନ ବାବୁଙ୍କୁ ପୁରା କୋଣଠେସା କରିବାକୁ ପ୍ରୟାସ କରୁଥିଲେ ସେତିକି ବେଳେ ସମ୍ବାଦ, କନକ ଟିଭି ଓ ଇଷ୍ଟର୍ଣ୍ଣ ମିଡିଆର ଶରଣ ପଶିଥିଲେ ନବୀନ ବାବୁ । ଆଉ ସେହି ଅନୁସାରେ ହୋଇଥିଲା ମୂଲଚାଲ । ନବୀନ ବାବୁ ତାଙ୍କୁ ଆମନ୍ତ୍ରଣ କରିବେ ଆଉ ସୌମ୍ୟବାବୁ ବିଜେଡିରେ ଯୋଗଦାନ ଦେବେ । ମୂଲଚାଲ ଏମିତି ହୋଇଥିଲା ଯେ, ଯେଉଁଦିନ ମିଶିଲେ ସେଇଦିନ ରାଜ୍ୟସଭାକୁ ଗଲେ ।

ଆଉ ନିର୍ବାଚନ ପୂର୍ବରୁ ସୌମ୍ୟବାବୁଙ୍କ ଜିଦ୍ ଆଗରେ ମଧ୍ୟ ମୁଣ୍ଡ ନୁଆଁଇଥିଲେ ନବୀନ ବାବୁ । ଯେଉଁଥିପାଇଁ ଖଣ୍ଡପଡାରେ ଜିତିଥିବା ପ୍ରାର୍ଥୀଙ୍କ ବଦଳରେ ୟାଙ୍କୁ ଟିକେଟ ଦିଆଯାଇଥିଲା । ଏବେ ଜିତିବା ପରେ ସୌମ୍ୟବାବୁଙ୍କୁ ଅଣଦେଖା କରାଯାଉନି ତ ? ଦ୍ୱିତୀୟରେ ସୌମ୍ୟବାବୁଙ୍କୁ ଲାଗୁନାହିଁ ତ ତାଙ୍କୁ ବ୍ୟବହାର କରାଗଲା ଆଉ ବ୍ୟବହାର କରିବା ପରେ ଆସ୍ତେ କରି ସାଇଡ୍ ମରାଯାଉଛି । ଆଉ ତାହାର ପ୍ରତିକ୍ରିୟା ଏ ଉପଦେଶ ନା ଆଉ କିଛି ?

ଅବଶ୍ୟ ନବୀନ ବାବୁଙ୍କ କ୍ୟାରିୟରକୁ ଯିଏ ଅନୁଶୀଳନ କରିଛନ୍ତି, ସିଏ ଜାଣିଛନ୍ତି ନବୀନ ବାବୁ ବ୍ୟବହାର ପରେ କେମିତି ସାଇଡ୍ ମାରନ୍ତି । ତେଣୁ ସୌମ୍ୟଙ୍କ କ୍ଷେତ୍ରରେ ଯେ ଏଭଳି ହୋଇନଥିବା ତାହା ସୌମ୍ୟବାବୁଙ୍କ ଛଡା ଆଉ କିଏ ବା କହିବ…

Related Posts