କେବଳ ୧୮ ବର୍ଷର ମହିଳାଙ୍କୁ କାହିଁକି ୧୬ ବର୍ଷର ମହିଳାଙ୍କୁ ମଧ୍ୟ ଏକ ହଜାର ଟଙ୍କା ଦିଅନ୍ତୁ କେଜ୍ରିୱାଲ: ସିଦ୍ଧୁ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆଉ ମାତ୍ର କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳମାନେ ପରସ୍ପର ମଧ୍ୟରେ ସେତିକି ବୟାନବାଜି କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ଆମ ଆଦମି ପାର୍ଟିକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ନବଜୋତ ସିଂ ସିଦ୍ଧୁ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପଚାରିଛନ୍ତି ଯେ ସେ କେବଳ ୧୮ ବର୍ଷରୁ ଅଧିକ ମହିଳାଙ୍କୁ ପ୍ରତିମାସରେ ଏକ ହଜାର ଟଙ୍କା ଦେବାକୁ କାହିଁକି ପ୍ରତିଜ୍ଞା କରୁଛନ୍ତି। କେବଳ ନିର୍ବାଚନ ପାଇଁ ହିଁ କେଜ୍ରିୱାଲ ଏପରି କହୁଛନ୍ତି ବୋଲି ସିଦ୍ଧୁ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ବରଂ ଜଣେ ୧୭ ବର୍ଷର ମହିଳାଙ୍କୁ ଏହି ସୁଯୋଗ କାହିଁକି ମିଳୁନାହିଁ?୧୬ ବର୍ଷର ମହିଳାମାନେ କୁଆଡ଼େ ଗଲେ ? କେବଳ ଭୋଟ ହାତେଇବା ପାଇଁ କେଜ୍ରିୱାଲ ୧୮ ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ଏକ ହଜାର ଟଙ୍କା ଦେବାର ଘୋଷଣା କରିଛନ୍ତି ।

ଏହା ସହ କେଜ୍ରିୱାଲଙ୍କ ସମସ୍ତ ପ୍ରତିଶୃତି ମିଥ୍ୟା ବୋଲି ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ କହିଛନ୍ତି । ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ ମଧ୍ୟ ନବଜୋତ ସିଂ ସିଦ୍ଧୁ ଆମ୍ ଆଦମୀ ଦଳର ଏହି ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ। ନବଜୋତ ସିଂ ସିଦ୍ଧୁ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଥିଲେ ଯେ ତାଙ୍କର ସରକାର ଥିବା ଦିଲ୍ଲୀରେ ସେ କାହିଁକି ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ କରୁନାହାଁନ୍ତି। ଏହା ସହିତ ସିଦ୍ଧୁ ପ୍ରଶ୍ନ କରିଛନ୍ତି ଯେ ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ କେଜ୍ରିୱାଲ କେଉଁଠାରୁ ଟଙ୍କା ଆଣିବେ ବୋଲି ସିଦ୍ଧୁ କହିଛନ୍ତି । ସେପଟେ ଅରବିନ୍ଦ କେଜ୍ରିୱାଲ ଏବଂ ଆପର ପଞ୍ଜାବ ବ୍ୟାପାର ଦାୟିତ୍ୱରେ ଥିବା ରାଘବ ଚଡ୍ଡା ମଧ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ କ୍ରମାଗତ ଭାବରେ ଆକ୍ରମଣ କରିଆସୁଛନ୍ତି । ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନ ପାଇଁ ଫେବୃଆରୀ ୨୦ ରେ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ରେ ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ଆସିବ।

Related Posts