ପ୍ରଦୀପଙ୍କୁ କାହିଁକି କାଟୁଛନ୍ତି ବବି ?

ବବିଙ୍କୁ ଦଳର ଦୁଇ ନମ୍ବର ନେତା ଭାବରେ ଅଫିସିଆଲ ସ୍ୱିକୃତି ପ୍ରଦାନ ପରଠାରୁ ବିଜୁ ଜନତା ଦଳରେ ନେତୃତ୍ୱ ପରିବର୍ତନ ପ୍ରକ୍ରିୟା ବିଧିବଦ୍ଧ ଭାବରେ ଆରମ୍ଭ ହୋଇଯାଇଛି । ଉପରକୁ ଜଣାପଡୁଛି ଏବେବି ନବୀନ ସର୍ବେସର୍ବା କିନ୍ତୁ ଦଳରେ କେବଳ ଦୁଇ ଜଣଙ୍କର ଫତୁଆହିଁ କାମ ଦେଉଛି । ସେମାନେ ହେଲେ ବବି ଏବଂ ନବୀନଙ୍କ ଏକାନ୍ତ ବିଶ୍ୱସ୍ଥ T-sir । ବବିଙ୍କ ପତିଆରାକୁ ଦଳରେ ସର୍ବମାନ୍ୟ କରିବା ପାଇଁ ଭିତିରିଆ ଚାଲିଛି କଟାଛଟାର ରାଜନୀତି । ସେହିକ୍ରମରେ ନିକଟରେ ଦୁଇ ପର୍ଯ୍ୟାୟରେ ଦଳର ବିଶାଳ କାର୍ଯ୍ୟକାରିଣୀର ପୁର୍ନବିନ୍ୟାଶ କରାଗଲା । ଏହି ପ୍ରକ୍ରିୟାରେ ବାଛିବାଛି କିଛି ନେତାଙ୍କର ପକ୍ଷ ଛେଦନ କରାଯାଇଛି । ଏଥସହ ଦଳର ନେତାମାନଙ୍କୁ ଯେଉଁ ସନ୍ଦେଶଟିଏ ଦିଆଯାଇଛି ସେଇଟି ହେଲା ବବିଙ୍କ ବଶଃତା ସ୍ୱିକାର କର ନଚେତ୍ ସଫାହେବା ଥୟ ।

ଏହି ଫତୱାର ନଜୀର ହେଉଛି ଗଞ୍ଜାମର ଟାଣୁଆ ନେତା ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁରର ୩ ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିକଟରେ ବିଭିନ୍ନ ଜିଲ୍ଲାର ବିଧାୟକ ମାନଙ୍କୁ ବିଭିନ୍ନ ପଦ ପଦବୀ ଦିଆଯାଇ ଦଳରେ ଅବସ୍ଥାପିତ କରା ଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଏହି ପରିଚିତ ଚେହେରାଙ୍କୁ କିନ୍ତୁ ବାଦ୍ ଦିଆଯାଇଛି । ନିକଟରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ କୋଭିଡ୍ ହସ୍ପିଟାଲ ଉଦଘାଠନ ହେଲା ଅଥଚ ପ୍ରଦୀପଙ୍କୁ ସେଠାରେ ଦେଖିବାକୁ ମିଲିଲା ନାହିଁ । ଶୁଣିବାକୁ ମିଳୁଛି ଗତ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ପ୍ରଦୀପ ଆଉ ଗୁଡ୍ ବୁକରେ ନାହାନ୍ତି ।

ଏକଦା ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ବିଶ୍ୱସ୍ଥ ପ୍ରଦୀପ ଦୀର୍ଘ ୧୫ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ତୁଲାଇ ଆସୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବରେ ଗଞ୍ଜାମ ରାଜନୀତିରେ ତାଙ୍କର ଗୋଟିଏ ସମୟରେ ବେଶ୍ ଦବଦବା ଥିଲା । ଗତ ୨୦୧୯ ନିର୍ବାଚନରେ ପ୍ରଦୀପ ଗଞ୍ଜାମ ଓ ଗଜପତି ଦୁଇଟି ଜିଲ୍ଲାର ଦାୟିତ୍ୱ ବୁଝୁଥିଲେ । ଗତ ନିର୍ବାଚନ ପୂର୍ବରୁ କଂଗ୍ରେସର ଚନ୍ଦ୍ରଶେଖର ସାହୁ ଏବଂ ବିକ୍ରମ ପଣ୍ଡାଙ୍କୁ ବିଜୁ ଜନତା ଦଳକୁ ଆଣିବାରେ ପ୍ରଦୀପଙ୍କ ଥିଲା ବଡ ଭୂମିକା । ଗଞ୍ଜାମରେ ବିଜେଡିକୁ ଚେକ୍ ଦେବାରେ ପ୍ରଦୀପଙ୍କର ରହିଛି ସବୁଠାରୁ ଅଧିକ ହାତ । ଠିକ୍ ନିର୍ବାଚନ ପରେପରେ ପ୍ରଦୀପଙ୍କ ବାଜି ପଲଟିଲା । ନିର୍ବାଚନର ସଫଳତା ପରେ ମଧ୍ୟ ମନ୍ତ୍ରୀପଦ ମିଳିଲା ନାହିଁ । ପ୍ରଦୀପ ଏବେ ଦଳରେ ପୁରା ପଛରେ । ପକ୍ଷ ଛେଦନ କାହିଁକି ଆଉ ପଛରେ କିଏ ଏହାକୁ ନେଇ ଗଞ୍ଜାମ ବିଜେଡି କ୍ୟାମ୍ପରେ ଚର୍ଚ୍ଚା ଜୋରଦାର । ଯେଉଁସବୁ କାରଣ କୁହାଯାଉଛି ସେଗୁଡିକ ହେଲା ପ୍ରଦୀପ ମୂଳରୁ ସିଧାସଳଖ ନବୀନଙ୍କ ସହ କାର୍ଯ୍ୟ କରିଛନ୍ତି । ବବ ଓ ଟି ସାରଙ୍କ ଅହଂକାରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପ୍ରଦୀପ୍ । ବବିଙ୍କ କ୍ୟାମ୍ପ ସୁତ୍ରରୁ କୁହାଯାଉଛି ଯେଯାବତ୍ ପ୍ରଣବଙ୍କ ଦରବାରରେ ହାଜିରା ଦେଇନାହାନ୍ତି ପ୍ରଦୀପ ।
ଆଉ ଏକ ବଡ କାରଣ କୁହାଯାଉଛି କୋଭିଡ୍ ପରିଚାଳନାରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ସାମିଲ କରାନଯିବା ନିଷ୍ପତିକୁ ପ୍ରଦୀପ ଖୁଲମ୍‌ଖୁଲ୍ଲା ବିରୋଧ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧାରାବାହିକ ଭାବରେ ପତ୍ର ଲେଖି ଜଣାଇଥିଲେ ଯାହାକୁ ନେଇ ଟି-ସାର ଅସନ୍ତୁଷ୍ଟ । ଆଉ ଏକ କାରଣ କୁହାଯାଉଛି ଗୋପାଳପୁର ବେଳାଭୂମୀ ମହୋତ୍ସବରେ ଦିଲ୍ଲୀପ୍ ରାୟଙ୍କୁ ଅତିଥିକରି ଡାକିବା ।

ସେହିପରି କୁହାଯାଏ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳ ହାରିବା ପଛର କାରଣ କାଳେ ପ୍ରଦୀପ୍ । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସ.ପିଙ୍କ ସୁପାରିଶ୍ ଅନୁସାରେ ରାଣୀ ନନ୍ଦୀନି ଦେବୀଙ୍କ ପ୍ରାର୍ଥତ୍ୱକୁ ନେଇ ପ୍ରଥମରୁ ପ୍ରଦୀପ ଅରାଜି ଥିଲେ । ଅନ୍ୟ ଏକ ବଡ କାରଣ କୁହାଯାଉଛି ଯେ ଟି-ସାରଙ୍କୁ କାଳେ ପ୍ରଦୀପବାବୁ ସାର ପରିବର୍ତେ ନାଁ ଧରି କାର୍ତିକ୍ ବୋଲି ଡାକନ୍ତି ।

ତେବେ ଘଟଣା ଯାହା ହେଉନା କାହିଁକି ବବିଭାଇଙ୍କ ଦରବାରରେ ଯେଉଁମାନେ ତାଙ୍କର ଦବଦବାକୁ ନମାନିବେ ସଫା ହେବା ଥୟ ଏକଥା ପ୍ରଦୀପ ପାଣିଗ୍ରାହୀଙ୍କ କଥାରୁ ବୁଝାପଡୁଛି । ପ୍ରଦୀପଙ୍କ ନବୀନଙ୍କ ସହ ଏଯାଏ ସମ୍ପର୍କ ଅତୁଟ ଅଛି ମାତ୍ର ପରିବର୍ତିତ ପ୍ରକ୍ରିୟାରେ ୨ ନମ୍ବର ଉଦୀତ ସୂର୍ଯ୍ୟ ଏବେ୧ ନମ୍ବରଙ୍କୁ ଗ୍ରାସ କରିବାକୁ ବସିଲେଣି ।ବବି ଏବଂ ଟି-ସାରଙ୍କ ଯୋଜନା ହେଲା ବିଜେଡିରେ ପ୍ରଦୀପ ପାଣିଗ୍ରାହୀ ଓଗେର ମାନଙ୍କ ଦେହରେ ଏବେ ହାତ ମାରିବେ ନାହିଁ । ଆଗାମୀ ପଂଚାୟତ ନିର୍ବାଚନ ପର୍ଯ୍ୟନ୍ତ ଏହିଭଳି ଝୁଲାଇ ରଖିବେ । ଯଦି ଫଳାଫଳ ବିଜେପିଠାରୁ ଯଥେଷ୍ଠ ଭଲ ହେବ ତେବେ ତୁରନ୍ତ କାର୍ଯ୍ୟକାରୀ କରାଯିବ ସଫା ଯୋଜନା ।

Related Posts