ପ୍ରତାରଣାର ନାଁ ପ୍ୟାକେଜ୍ ! ସାର୍ ବିପିୟୁଟି କଥା ମନେ ଅଛି ତ

ସତ୍ୟପାଠ ବ୍ୟୁରୋ : ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀକୁ ମୁକ୍ତ କରାଯାଉଛି । ଦେଉଳର ୭୫ମିଟର ପରିଧି ଯାଏ ଅଞ୍ଚଳକୁ ଉଚ୍ଛେଦ କରାଯାଉଛି । ମାଟିରେ ମିଶୁଛି ପୁରାତନ ମଠଗୁଡିକ । ହଟି ଯାଉଛି ଦୋକାନ ଘର । କାହାର ସମ୍ପତ୍ତି ଯାଉଛି, କାହାର ଗୁଜୁରାଣ ଯାଉଛି । ଆଉ ଏହାରି ଭିତରେ ଏହି କ୍ଷତିର ଭରଣା ପାଇଁ କୋଟି କୋଟି ଟଙ୍କାର ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି ରାଜ୍ୟ ସରକାର । ତଥାପି କାହିଁକି ସରକାରଙ୍କୁ ବିଶ୍ୱାସକୁ ନେଉ ନାହାଁନ୍ତି କ୍ଷତିଗ୍ରସ୍ତ । କାହିଁକି ସରକାରୀ ପ୍ରକଳ୍ପକୁ ପ୍ରହସନ ବୋଲି କୁହାଯାଉଛି । ତାହାର ଉତ୍ତର ଏହି ରିପୋର୍ଟରେ ଅତ୍ୟନ୍ତ ବିସ୍ତୃତ ଭାବେ ଦେବାକୁ ସତ୍ୟପାଠ ତରଫରୁ ଚେଷ୍ଟା କରାଯାଇଛି ।

ବିଗତ ଦିନରେ ଅନେକ ସ୍ଥାନରେ ଉଚ୍ଛେଦ ହୋଇଛି । କେଉଁଠି ନୂଆ ରାସ୍ତା ପାଇଁ ତ କେଉଁଠି ଶିଳ୍ପ ପାଇଁ । ପୁରୀ-ଭୁବନେଶ୍ୱର ନୂଆ ରାଜପଥ ନିର୍ମାଣ ବେଳେ ବି ଉଚ୍ଛେଦ ହୋଇଛି । କିନ୍ତୁ ଏଥର ଉଚ୍ଛେଦ ଓଡିଶାର ପରିଚୟ , ଓଡିଆ ଅସ୍ମୀତାର ପରିଚୟ ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ହୋଇଛି ।

ଦେଉଳର ୭୫ମିଟର ପରିଧି ଉଚ୍ଛେଦରେ ଯେଉଁମାନେ କ୍ଷତିଗ୍ରସ୍ତ ସେମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଅଞ୍ଚଳରେ ଥିବା ଜମି ଓ ଅନ୍ୟାନ୍ୟ ସମ୍ପତି ଅଧିଗ୍ରହଣ ପାଇଁ ‘ରାଇଟ୍ ଟୁ ଫେଆର କମ୍ପାନସେସନ୍ ଆଣ୍ଡ ଟ୍ରାନ୍ସପରେନ୍ସି ଆକ୍ଟ ୨୦୧୩ ନୀତି ଅନୁଯାୟୀ ଏକ ସ୍ୱତନ୍ତ୍ର ଥଇଥାନ୍ ଓ ପୁନର୍ବାସ ପ୍ୟାକେଜ୍ ଘେଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ଥାନାନ୍ତରିତ ହେଉଥିବା ଘର ଓ ଜମିକୁ ମୂଲ୍ୟାୟନ କରି କ୍ଷତିପୁରଣ ମିଳିବ ।ତା ସହ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା ସହାୟତା, ବିସ୍ଥାପିତଙ୍କୁ ଜମି ମିଳିବା ଯାଏଁ ମାସିକ ୧୦ ହଜାର ଟଙ୍କା ଘରଭଡ଼ା ସହାୟତା ପ୍ରଦାନ କରିବେ ସରକାର । ଏକକାଳୀନ ୩୦ଲକ୍ଷ ଟଙ୍କାର ସହାୟତା ରାଶି ବି ସରକାର ଯୋଗାଇ ଦେବାକୁ ଭରସା ଦେଇଛନ୍ତି । ମାର୍କେଟ କମ୍ପେକ୍ସରେ ଦୋକାନୀଙ୍କୁ ଦୋକାନ ମିଳିବାର ପ୍ରତିଶ୍ରୁତି ଦେଇଛନ୍ତି ସରକାର । ତଥାପି ସରକାରଙ୍କ ଉପରେ ବିସ୍ଥାପିତଙ୍କ ଭରସା ପାଉନି ।

ଏହାର କାରଣ ହେଲା, ସରକାର ଅତୀତରେ ବହୁ ମିଛ କହିଛନ୍ତି । ବିଗତ ଦିନ ମାନଙ୍କରେ ଏଭଳି ଅନେକ ସ୍ଥାନରେ ବିସ୍ଥାପିତଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇ ପରବର୍ତ୍ତୀ ସମୟରେ ଲଲିପପ୍ ଧରାଇ ଦେଇଛନ୍ତି ରାଜ୍ୟ ସରକାର । ଏହାର ଏକ ଉଦାହରଣ ଭାବେ ଭୁବନେଶ୍ୱରରୁ ରାଉରକେଲାକୁ ଓଡିଶାର ସବୁଠାରୁ ବଡ ଓ ୧ନମ୍ବର ବୈଷୟିକ ବିଶ୍ୱ ବିଦ୍ୟାଳୟ ବିପିୟୁଟିର ମୁଖ୍ୟାଳୟ ସ୍ଥାନାନ୍ତରଣ ବେଳର ଘୋଷଣା ଓ ପ୍ୟାକେଜ କଥା ବିଚାରକୁ ନିଆଯାଇପାରେ ।

୨୦୧୩/୧୪ ମସିହାରେ ଏହା ଉଚ୍ଛେଦ ହୋଇଥିଲା । ସେତେବେଳେ ପ୍ରବଳ ବିରୋଧ ହୋଇଥିଲା । କ୍ୟାପିଟାଲରେ ବିପିୟୁଟି ମୁଖ୍ୟାଳୟ ରଖିବାକୁ ଦାବୀ ଜୋର ଧରିଥିଲା । କିନ୍ତୁ ସେତିକି ବେଳେ ସମାନ ଷ୍ଟାଇଲରେ ବିରାଟ ପ୍ରତିଶ୍ରୁତି ଦେଲେ ଓ ଏମିତି ଏକ ନକ୍ସା ଗଣମାଧ୍ୟମରେ ବାଂଟିଲେ ସରକାର । ସମସ୍ତଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପ୍ରଚୁର ସ୍ୱପ୍ନ ବାଂଟିଲେ । ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ୧୫୯କୋଟି ଟଙ୍କାର ପ୍ୟାକେଜ୍ ବି ଘୋଷଣା କଲେ ।

କଣ କଣ ପ୍ରକଳ୍ପ ହେବ, କିଭଳି ହେବ ସେନେଇ ବିପିୟୁଟିର ଭିସିଙ୍କୁ ୨୦୧୪ରେ ଚିଠି ଲେଖାଗଲା ଓ କୁହାଗଲା ୨୦୧୫ ସୁଦ୍ଧା ସମସ୍ତ ନିର୍ମାଣ କାମ ଶେଷ ହେବ । ଯେଉଁଥିରେ ଅଡିଟୋରିୟମ୍, ମଲ୍ଟି ଆକ୍ଟିଭିଟିଜ୍ ସେଣ୍ଟର ଓ ଇନକମ୍ବେସନ ସେଣ୍ଟର ରହିବ ବୋଲି ଚିଠିରେ କୁହାଗଲା । ବିପିୟୁଟି ଫଣ୍ଡ ବାହାରେ ଏହି ଅର୍ଥ ସରକାର ଖର୍ଚ୍ଚ କରିବେ ତେଣୁ ଭିସି ଏକ ପ୍ରୋଜେକ୍ଟ ରିପୋର୍ଟ ଦେବାକୁ ବି କୁହାଗଲା । କିନ୍ତୁ ବିଡମ୍ବନାର କଥା, ୨୦୧୫ରେ ସରିବା କଥା, ୨୦୧୯ ହେଲାଣି ସେଠାରେ ପ୍ରକଳ୍ପ ତ ଦୂରର କଥା, ଇଟାଟିଏ ବି ପଡିଲା ନାହିଁ ।

କଥା ଦେଇ କଥା କିଭଳି ରଖାଯାଏ ତାହା ସରକାର ଆଗରୁ ଦେଖାଇ ସାରିଛନ୍ତି । ଏହି ଛୋଟିଆ ଉଦାହରଣ ତାହା ବୁଝାଇବାକୁ ସମର୍ଥ । ତେଣୁ କାମ ବେଳେ ପ୍ରବଳ ମିଛ କହି ପରେ ମୁହଁ ତଳକୁ ପୋତିବା ଲକ୍ଷଣ ଦେଖାଉଥିବା ନବୀନ ସରକାର ଉପରେ ପୁରୀ ବାସୀ ଭରସା କରନ୍ତେ ବା କିପରି । ଚକ୍ ଚକ୍ ଦେଖାଯାଉଥିବା ଖୋଳ ଭିତରେ ଯେ କିଛି ନଥାଏ ତାହା ଯିଏ ଦେଖିଛି, ବୁଝିଛି ଜାଣିଛି । ତେବେ ଆଗାମୀ ଦିନରେ ଜଣାପଡିବ, ସରକାରଙ୍କ ଚକ୍ ଚକ୍ ଖୋଳ ଭିତରେ କଣ ରହିଛି ।

 

Related Posts