ଆପ୍ ରେ ସାମିଲ୍ ହେବେ କି ସିଦ୍ଧୁ ? ଟ୍ୱିଟରୁ ମିଳିଲା ଇସାରା, କହିଲେ – ” ମୋ ଦୃଷ୍ଟିକୋଣକୁ ସ୍ବୀକୃତି ଦେଉଛି ଆପ୍ “

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର :   ପଞ୍ଜାବ କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜୋତ ସିଦ୍ଧୁଙ୍କ ଗୋଟିଏ ଟ୍ୱିଟକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ବେଳେ ଦଳର ଅନ୍ତଃ କନ୍ଦଳ ବର୍ତ୍ତମାନ ସୁଦ୍ଧା ସମାଧାନ ହୋଇପାରି ନାହିଁ । ଏପଟେ ସିଦ୍ଧୁ ପଞ୍ଜାବରେ କ୍ଷମତାସୀନ କଂଗ୍ରେସର ବିରୋଧୀ ଆମ ଆଦ୍‌ମୀ ପାର୍ଟି (ଆପ୍‌)କୁ ପ୍ରଶଂସା କରି ନୂତନ ରାଜନୈତିକ ସମୀକରଣ ପ୍ରତି ଏକ ସଙ୍କେତ ଦେଇଛନ୍ତି।

 ତିନି ଦିନ ପୂର୍ବେ ଆପ୍ ଉପରେ ଜୋରଦାର ବର୍ଷିଥିବା ସିଦ୍ଧୁ ବର୍ତ୍ତମାନ ପ୍ରଶଂସା କରି ରାଜନୈତିକ ଗୁଗଲି ଫିଙ୍ଗିଛନ୍ତି। ସିଦ୍ଧୁ ମଙ୍ଗଳବାର ଦିନ ଟୁଇଟ୍ କରି କହିଛନ୍ତି ଯେ, ” ଆମର ବିରୋଧୀ ଦଳ ଆମ୍ ଆଦମୀ ପାର୍ଟି ସବୁବେଳେ ମୋ କାମକୁ ଓ ପଞ୍ଜାବ ପ୍ରତି ଥିବା ମୋର ଭିଜନକୁ ସମ୍ମାନ ଏବଂ ଗୁରୁତ୍ୱ ଦେଇଛି। ୨୦୧୭ ପୂର୍ବରୁ ଗୁରୁ ଗ୍ରନ୍ଥ ସାହେବଙ୍କ ବୈଦବି ହେଉ କି ଡ୍ରଗ୍ସ, ଚାଷୀଙ୍କ ସମସ୍ୟା, ଦୁର୍ନୀତି କିମ୍ବା ପଞ୍ଜାବବାସୀ ସମ୍ମୁଖୀନ ହେଉଥିବା ବିଜୁଳି ସମସ୍ୟା ହେଉ, ସବୁ ବିଷୟ ପୂର୍ବରୁ କିମ୍ବା ମୋ ଦ୍ୱାରା ଉଠା ଯାଇଥିଲା। ଆଜି ଯେତେବେଳେ ମୁଁ ପଞ୍ଜାବ ମଡେଲ କଥା ଉଠାଉଛି ସେତେବେଳେ ଏହା ସ୍ପଷ୍ଟ ହୋଇଛି ଯେ ସେମାନେ ଜାଣିପାରୁଛନ୍ତି କିଏ ପଞ୍ଜାବ ପାଇଁ ପ୍ରକୃତିରେ ଲଢେଇ କରୁଛି ବୋଲି ସିଦ୍ଧୁ ଟ୍ୱିଟ କରିଛନ୍ତି।

 ପ୍ରକାଶ ଥାଉକି ତିନି ଦିନ ପୂର୍ବେ ସିଦ୍ଧୁ ପଞ୍ଜାବର ଥର୍ମାଲ ପ୍ଲାଣ୍ଟ ବନ୍ଦ କରିବାକୁ ନେଇ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଥିଲେ।  ସେ କହିଥିଲେ ଯେ ପଞ୍ଜାବରେ ତାପଜ କାରଖାନା ବନ୍ଦ ହେଉ ବୋଲି AAP ଚାହୁଁଛି।  ପଞ୍ଜାବରେ ବିଦ୍ୟୁତ୍ ସଙ୍କଟ ଯୋଗୁଁ ପଞ୍ଜାବବାସୀ କ୍ଷତିଗ୍ରସ୍ତ ହେଉ ଏବଂ କୃଷକଙ୍କ ଫସଲ ନଷ୍ଟ ହେଉ ବୋଲି ଆମ୍ ଆଦମୀ ପାର୍ଟି ଚାହୁଁଛି ବୋଲି ସେ କହିଛନ୍ତି।  ସିଦ୍ଧୁ ଏହି ଟ୍ୱିଟ ସହ ଆପ୍ ସାଂସଦ ଭଗବନ୍ତ ମାନ ତାଙ୍କର ପ୍ରଶଂସା କରୁଥିବା ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସାଂସଦ ମାନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରୁଥିବା ବେଳେ ସିଦ୍ଧୁଙ୍କୁ ପ୍ରଶଂସା କରୁଛନ୍ତି। ଏହି ଟ୍ୱିଟ ଏବେ ପଞ୍ଜାବ ରାଜନୀତିକୁ ସରଗରମ କରିଛି । ଭିଡିଓରେ ଆପ୍ ନେତା ସଞ୍ଜୟ ସିଂ ତାଙ୍କୁ ପ୍ରଶଂସା କରୁଛନ୍ତି।  ସଞ୍ଜୟ ସିଂ କହିଛନ୍ତି ଯେ ସିଦ୍ଧୁଙ୍କ ସାହସିକ ପଦକ୍ଷେପ ଏବଂ ସାହସିକ ନିଷ୍ପତ୍ତିକୁ ସେ ସ୍ୱାଗତ କରୁଛନ୍ତି।  ସିଦ୍ଧୁ ଏବଂ ତାଙ୍କ ପତ୍ନୀ ଅକାଳୀ ଦଳର ଦୁର୍ନୀତି, ଡ୍ରଗ୍ ମାଫିଆ, ଚାଷୀଙ୍କ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି।  

  ପଞ୍ଜାବ କଂଗ୍ରେସରେ ଏବେ ମଧ୍ୟ ବିବାଦ ଲାଗି ରହିଛି ।  ହାଇ କମାଣ୍ଡ କମିଟି ପରେ ସିଏମ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଆସିଥିଲେ।  ଏହା ପରେ ମଧ୍ୟ କୌଣସି ସମାଧାନ ବାହାରିଲା ନାହିଁ । ସିଦ୍ଧୁଙ୍କ ବିଷୟରେ ବାରମ୍ବାର କୁହାଯାଉଛି ଯେ ସେ ବର୍ତ୍ତମାନର କ୍ୟାପଟେନ ସରକାରରେ କୌଣସି ପଦବୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି।

 ପଞ୍ଜାବର ରାଜନୈତିକ ଗଣିତକୁ ଦେଖିଲେ କଂଗ୍ରେସ ପଞ୍ଜାବର ସଭାପତି ପଦକୁ କୌଣସି ଶିଖ ଚେହେରାକୁ ଦେବାକୁ ଚାହୁଁନାହିଁ।  ଏଭଳି ପରିସ୍ଥିତିରେ ସିଦ୍ଧୁଙ୍କୁ କ୍ୟାମ୍ପେନ କମିଟିର ସଭାପତି କରିବା ପାଇଁ ଆଲୋଚନା ଚାଲିଥିଲା।  ଏହା ସତ୍ତ୍ୱେ, ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇନାହିଁ।  ଏହି କାରଣରୁ ସିଦ୍ଧୁଙ୍କ ଏହି ଟ୍ବିଟ୍ କୌଣସି ରାଜନୈତିକ ସଙ୍କେତ ହୋଇପାରେ ବୋଲି ଆକଳନ କରାଯାଉଛି। 

 ଗତ ମାସରେ ଦିଲ୍ଲୀ ସିଏମ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଗସ୍ତରେ ଆସି ଘୋଷଣା କରିଥିଲେ ଯେ ପଞ୍ଜାବରେ ଯଦି ଆପ୍ ଜିତେ ତେବେ କେବଳ ଶିଖ ମୁଖ୍ୟମନ୍ତ୍ରୀ ହେବେ। ଏହି ସମୟରେ ସେ ସିଦ୍ଧୁଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଛନ୍ତି- ସେ ଜଣେ ବରିଷ୍ଠ କଂଗ୍ରେସ ନେତା, ଆମେ ତାଙ୍କୁ ସମ୍ମାନ କରୁଛୁ।

Related Posts