
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯାଉନାହିଁ । ଏନେଇ ବାରମ୍ବାର କେନ୍ଦ୍ରକୁ ରାଜ୍ୟ ସରକାର ଚିଠିଲେଖି ଅବଗତ କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଏକ ଟାସ୍କଫୋର୍ସ ରାଜ୍ୟର ୯ଟି ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ଅନୁସୂଚିତ ଜନଜାତି ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେହିସବୁ ଜନଜାତି ଗୁଡ଼ିକ ତାଲିକାଭୁକ୍ତ ହୋଇନାହାନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି ।
ଆଜି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଚିଠି ଲେଖି ରାଜ୍ୟର ପ୍ରସ୍ତାବ ଉପରେ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ୧୯୭୮ରୁ ରାଜ୍ୟ ସରକାର ଏହାରି ଭିତରେ ୧୬୦ ଜନଜାତିଙ୍କୁ ତାଲିକାଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହିସବୁ ପ୍ରସ୍ତାବ ଅନୁସୂଚିତ ଜନଜାତି ଉପଦେଷ୍ଟା ପରିଷଦର ଅନୁମୋଦନ ପରେ କେନ୍ଦ୍ରକୁ ପଠାଯାଇଛି । ଦୀର୍ଘ ଦିନରୁ ରାଜ୍ୟ ସରକାର ଏହି ଦାବି କରିଆସୁଥିଲେ ମଧ୍ୟ ଜନଜାତି ଲୋକମାନେ ତାଲିକାଭୁକ୍ତ ହୋଇପାରୁନଥିବାରୁ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ମିଳିପାରୁନାହିଁ । ସେମାନେ ଅନ୍ୟାୟର ଶିକାର ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନିଜ ଚିଠିରେ କହିଛନ୍ତି ।