ପଶ୍ଚିମବଙ୍ଗରେ ମହିଳାମାନେ ଅସୁରକ୍ଷିତ, ଆତ୍ମରକ୍ଷା ପାଇଁ ସେମାନେ ଘରେ ତ୍ରିଶୂଳ ରଖିବା ଉଚିତ୍: ବିଜେପି ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ତୃଣମୂଳ କଂଗ୍ରେସ ଶାସନ’ରେ ରାଜ୍ୟର ସାମ୍ପ୍ରତିକ ଅବସ୍ଥା ଯାହା ହେଲାଣି ଆତ୍ମରକ୍ଷା ନିମନ୍ତେ ମାଆ ଓ ଭଉଣୀମାନେ ଘରେ ତ୍ରିଶୂଳ ରଖନ୍ତୁ ବୋଲି ପଶ୍ଚିମବଙ୍ଗ ‘ବିଜେପି’ ନେତା ରାଜୁ ବାନାର୍ଜୀ କହିଛନ୍ତି। ରାଜ୍ୟରେ ନାରୀ ସୁରକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ସେ ଶାସକ ଟିଏମସି ଉପରେ ଜୋରଦାର ବର୍ଷିଛନ୍ତି।

ମଙ୍ଗଳବାର ରାତିରେ ପଶ୍ଚିମବଙ୍ଗର ବାରନଗରରେ ଆୟୋଜିତ ଜଗଧାତ୍ରୀ ପୂଜା ସମାରୋହରେ ଉପସ୍ଥିତ ଜନସମାଗମକୁ ଉଦ୍‌ବୋଧନ ଦେବା ସମୟରେ ରାଜ୍ୟରେ ଶାସନରେ ଥିବା ‘ତୃଣମୂଳ କଂଗ୍ରେସ’ (ଟିଏମସି)କୁ ତାତ୍ସଲ୍ୟ କରି ବାନାର୍ଜୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସକୁ ସମର୍ଥନ କରୁଥିବା ନାରୀମାନେ ନିଜ ନିଜ ମଧ୍ୟରେ ବିବାଦ କରି ପ୍ରାଣ ହରାଉଛନ୍ତି। ଆମ୍ଭମାନଙ୍କ ସୁରକ୍ଷା ନିମନ୍ତେ ସେମାନେ କ’ଣ କରିବେ? ରାଜ୍ୟର ସାମ୍ପ୍ରତିକ ଅବସ୍ଥା ଯାହା, ଆତ୍ମରକ୍ଷା ନିମନ୍ତେ ଆମ ମାଆ ଓ ଭଉଣୀମାନେ ନିଜ ନିଜ ଘରେ ‘ତ୍ରିଶୂଳ’ ରଖିବା ଉଚିତ।

ପଶ୍ଚିମବଙ୍ଗ ସଂସ୍କୃତିର ଅବକ୍ଷୟ ଘଟୁଥିବା କଥା କହି ସେ କହିଛନ୍ତି ଯେ, ବିଶ୍ବ ଦରବାରରେ ଆମ ସଂସ୍କୃତିର ସଂରକ୍ଷଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି, ସେଥିରେ ପଶ୍ଚିମବଙ୍ଗ ପଛେଇ ଯିବ ନାହିଁ। ବଙ୍ଗ ରାଜ୍ୟ ଅନ୍ୟ କ‌ୌଣସି ଦେଶର ରାଜ୍ୟ ନୁହେଁ। ବଙ୍ଗ ଭାରତର ଗୁରୁତ୍ବପୂର୍ଣ୍ଣ ଅଂଶ। ଏଠି କେବଳ ଭାରତ ଶାସନ ଚାଲିଥିବା ଆଇନ ହିଁ ରହିବ।ତେବେ ଏହି ସମାରୋହରେ ‘ବିଜେପି’ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ ମଧ୍ୟ ଉପସ୍ଥିତ ଥିଲେ।

ସେହି ଅଞ୍ଚଳର ଅନ୍ୟ ଏକ ଜଗଧାତ୍ରୀ ପୂଜା ସମାରୋହ ଉଦ୍‌ଘାଟନ କରୁଥିବା ‘ତୃଣମୂଳ କଂଗ୍ରେସ’ ବିଧାୟକ ତାପସ ରାୟ ଉପରୋକ୍ତ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ନେତା ମାନେ ଚାହୁଁଛନ୍ତି ଲୋକେ ଘରେ ତ୍ରିଶୂଳ ରଖନ୍ତୁ। ଆଉ କିଛି ଲୋକେ ସେମାନଙ୍କୁ ଘରେ ଆଉ କିଛି ଅସ୍ତ୍ର ରଖିବାକୁ କହିବେ। ଏହାଦ୍ବାରା ପଶ୍ଚିମବଙ୍ଗର ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଜନୀତି, ଶାନ୍ତି ଓ ଆଇନଶୃଙ୍ଖଳା ପ୍ରଭାବିତ ହେବ। ଟିଏମସି ବଙ୍ଗରେ ଶାନ୍ତି ବଜାୟ ରଖିବା ବିଷୟରେ କହୁଥିବା ବେଳେ ବିଜେପି ନେତା ମାନେ ଏଭଳି ହିଂସା ଉଦ୍ରେକକାରୀ ମନ୍ତବ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି।

Related Posts