ଆରମ୍ଭ ହେବ ରାଜଧାନୀର ବହୁ ପ୍ରତିକ୍ଷୀତ ରିଂ ରୋଡ୍‌ ପ୍ରକଳ୍ପ କାମ; ବିଡ଼ିଏ ଯୋଗାଇବ ଜମି, ପୂର୍ତ୍ତ ବିଭାଗ ଖର୍ଚ୍ଚ କରିବ ୭୬.୩୨ କୋଟି

ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ଆରମ୍ଭ ହେବ ରାଜଧାନୀର ବହୁ ପ୍ରତିକ୍ଷୀତ ରିଂ ରୋଡ୍‌ ପ୍ରକଳ୍ପ କାମ। ସହର ମଧ୍ୟରେ ଦେଖାଯାଉଥିବା ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଟ୍ରାଫିକ ସମସ୍ୟାରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ବିଡିଏ ପକ୍ଷରୁ ରାଜଧାନୀକୁ ବଳୟ କରି ୮ବର୍ଷ ତଳେ ଯୋଜନା ହୋଇଥିବା ଏହି ରିଂ ରୋଡ୍‌ ପ୍ରକଳ୍ପ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ପ୍ରଥମେ ତମାଣ୍ଡୋ ଛକରୁ ପାଇକରାପୁର ପର୍ଯ୍ୟନ୍ତ ୬୦ମିଟର ଓସାରର ରାସ୍ତା ନିର୍ମାଣ ହେବ। ଏଥିପାଇଁ ବିଡିଏ ଜମି ଦେବ ଓ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କରିବ। ଚଳିତ ଆର୍ଥିକ ବର୍ଷରୁ ଏହି ରିଂ ରୋଡ୍‌ କାମ ଆରମ୍ଭ ହେବ। ଏହି ପ୍ରକଳ୍ପ ପାଇଁ ପୂର୍ତ୍ତ ବିଭାଗ ୭୬କୋଟି ୩୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବର୍ତ୍ତମାନ କ୍ୟାପିଟାଲ ରୋଡ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ୍‌ (ସିଆର୍‌ଡିପି)ରେ ୭କୋଟି ୧୪ଲକ୍ଷ ଟଙ୍କାର ବଜେଟ୍ ମିଳିଛି।

ପୂର୍ତ୍ତ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ରିଂ ରୋଡ୍‌ ପ୍ରକଳ୍ପ ପ୍ରାୟ ୬୪ କିଲୋମିଟରର ହେବାକୁ ‌ଥିବାବେଳେ ଏବେ ତମାଣ୍ଡୋ ଛକରୁ ପାଇକରାପୁର ପର୍ଯ୍ୟନ୍ତ କାମ ଆରମ୍ଭ କରିବାକୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ୫କିମି ୪୫୦ମିଟରର ରାସ୍ତା ନିର୍ମାଣ ହେବ। ଏହି ଅଞ୍ଚଳରେ ବିଡିଏ ଟାଉନ୍‌ ପ୍ଲାନିଂ (ଟିପି) ସ୍କିମ୍‌ରେ ରିଂ ରୋଡ୍‌ ପାଇଁ ଜମି ଅଧିଗ୍ରହଣ କରିଥିବାରୁ ଜମିର ସମସ୍ୟା ନାହିଁ। କିନ୍ତୁ ଆମେ ରାସ୍ତା ନିର୍ମାଣ ପାଇଁ ଯେଉଁ ନକ୍ସା ପ୍ରସ୍ତୁତ କରିଛୁ, ତାକୁ ଅନୁମୋଦନ କରିବାକୁ ବିଡିଏ ପ୍ଲାନିଂ ମେମ୍ବରଙ୍କ ନିକଟକୁ ପଠାଇଛୁ। ଟିପି ସ୍କିମ୍‌ ଅଞ୍ଚଳରେ ସମସ୍ତ ୬୦ମିଟର ଏବଂ ୩୦ମିଟରର ରାସ୍ତା ପୂର୍ତ୍ତ ବିଭାଗ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଆମେ ଚଳିତ ବର୍ଷରୁ ହିଁ କାମ ଆରମ୍ଭ କରିବୁ ବୋଲି ପୂର୍ତ୍ତ ବିଭାଗର ଡିଭିଜନ-୫ର ଅଧୀକ୍ଷଣ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦଳେଇ କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ଟିପି ସ୍କିମ୍‌ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଡିଏ ଏପର୍ଯ୍ୟନ୍ତ ସଫଳ ହୋଇନଥିବା ବେଳେ ଏହି ରିଂ ରୋଡ୍‌ ଆରମ୍ଭ ହେଲେ କେବେ ସରିବ? ଦୀର୍ଘ ୧୧ବର୍ଷ ହେଲା ଟିପି ସ୍କିମ୍‌ ଯୋଜନା ହେଉଥିଲେ ମଧ୍ୟ ଏହାର ଯେପରି ରୂପରେଖ ବର୍ଣ୍ଣନା କରାଯାଇଥିଲା ତାହା ଏପର୍ଯ୍ୟନ୍ତ ଦେଖିବାକୁ ମିଳିନି। ଏପର୍ଯ୍ୟନ୍ତ ଲୋକଙ୍କୁ ଗୋଟିଏ ଟିପି ସ୍କିମ୍‌ରେ ଜମି ପଟ୍ଟା ଦିଆଯାଇଥିଲେ ମଧ୍ୟ କେହି ଜଣେ ବି ଏହାକୁ ଦଖଲକୁ ନେଇ ପାରିନାହାନ୍ତି। ୪୫ଟି ଟିପି ସ୍କିମ୍‌ କରି ଜମି ପୁନଃଆବଣ୍ଟନ କରିବା ଏବଂ ରିଂରୋଡ୍ ନିର୍ମାଣ କରିବା କେତେଦୂର ସମ୍ଭବ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ରିଂ ରୋଡ୍‌କୁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥରେ ସଂଯୋଗ କରାଯିବ। ରିଂ ରୋଡ୍‌ ବିଜିପୁର ନିକଟରେ ଜାତୀୟ ରାଜପଥ ୧୬କୁ ଛୁଇଁବ, ଲିଙ୍ଗିପୁର ନିକଟରେ ଜାତୀୟ ରାଜପଥ ୩୧୬ (ପୁରୀ ବାଇପାସ୍‌) ଏବଂ ହାଇଟେକ୍‌ ଛକ ନିକଟରେ ପୁଣି ଜାତୀୟ ରାଜପଥ ୧୬କୁ ଛୁଇଁବ। ପ୍ରସ୍ତାବିତ ରିଂ ରୋଡ୍‌ ପାଇଁ ଘରୋଇ ଜମି ଅଧିଗ୍ରହଣ ମୁଖ୍ୟ ସମସ୍ୟା ପାଲଟିଛି। ତେଣୁ ଏବେ ଯେତିକି ଜମି ଅଧିଗ୍ରହଣ ହୋଇଛି ସେଥିରେ ଏବେ ରାସ୍ତା ନିର୍ମାଣ ହେବ ବୋଲି ଜଣାପଡିଛି। ଏହି ୬୫ କିମିର ରିଂ ରୋଡ୍‌ ପାଇଁ ମୋଟ୍‌ ୭୬୦ଏକର ଜମି ଅଧିଗ୍ରହଣ ହେବାକୁ ଥିବାବେଳେ ଏଥିରୁ ୬୯୦ଏକର ଜମି ଘରୋଇ ଜମି। ଏଥିପାଇଁ ୬୭ଟି ମୌଜାର ପ୍ରାୟ ୫୦ହଜାର ଲୋକଙ୍କ ଜମି ଅଧିଗ୍ରହଣ ହେବାକୁ ଥିବାରୁ ତରବରିଆ ଭାବେ କିଛି ନିଷ୍ପତ୍ତି ନିଆଯାଇପାରୁନି।

ଅନ୍ୟପଟେ ଏହି ଘରୋଇ ଜମି ଅଧିଗ୍ରହଣ ପାଇଁ ବିଡିଏ ପକ୍ଷରୁ ପ୍ରାୟ ୫ବର୍ଷ ତଳେ ବିଜ୍ଞପ୍ତି ଜାରି ହୋଇଥିଲା। ଯେଉଁ ଲୋକମାନେ ଜମି ଦେବେ ସେମାନଙ୍କୁ କ୍ଷତିପୂରଣ ବାବଦକୁ ଅର୍ଥ ନଦେଇ ଟ୍ରାନ୍ସଫରେବଲ୍‌ ଡେଭଲପମେଣ୍ଟ ରାଇଟ୍‌ ସାର୍ଟିଫିକେଟ (ଟିଡିଆର୍‌) ଦିଆଯିବ। ଫ୍ଲୋର୍‌ ଏରିଆ ରେସିଓ (ଏଫ୍‌ଏଆର୍‌) ୨.୧ରୁ ଅଧିକ ଯେଉଁମାନେ ଘର କରିବେ ସେମାନଙ୍କୁ ଟିଡିଆର୍‌ କିଣିବାକୁ ପଡ଼ିବ। ଯାହା ଏହି ଲୋକମାନଙ୍କଠାରୁ କିଣିବେ। ବିଭିନ୍ନ ମୌଜା ଅନୁଯାୟୀ ଟିଡିଆର୍‌ ମୂଲ୍ୟ ବଦଳିବ। ଏହି ଟିଡିଆର୍‌ ସାର୍ଟିଫିକେଟରେ ଯେତିକି ଜମି ଅଧିଗ୍ରହଣ କରାଯାଇଥିବ ତା’ର ଦୁଇଗୁଣା ବିଲ୍ଟ ଅପ୍‌ ଏରିଆ ପାଇଁ ଉକ୍ତ ଲୋକଙ୍କୁ ଅନୁମତି ଦିଆଯିବ। ହେଲେ ଏହା ଉକ୍ତ ମୌଜା ପାଇଁ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ଜମିର ବେଞ୍ଚ ମାର୍କ ମୂଲ୍ୟ ଅନୁଯାୟୀ ହେବ। ଯେଉଁମାନେ ଟିଡିଆର୍‌ ନ ନେବେ ସେମାନଙ୍କୁ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଦିଆଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିନି। ଯଦି ଜମି ଅଧିଗ୍ରହଣ ବାବଦକୁ କ୍ଷତିପୂରଣ ଅର୍ଥ ଦିଆଯିବ ତେବେ ଅଧିଗ୍ରହଣ ନେଇ ଯେବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ସେହି ତାରିଖ ଅନୁଯାୟୀ ଦିଆଯିବ।

ସୂଚନାଯୋଗ୍ୟ ଯେ, ବିଡିଏର ମାଷ୍ଟର ପ୍ଲାନ୍‌ ଅନୁଯାୟୀ ଏହି ରିଂ ରୋଡ୍‌ ୬୦ମିଟର ଓସାରରେ ପ୍ରାୟ ୬୫ କିମିର ହେବାକୁ ଥିବାବେଳେ ଏହା ରାଜଧାନୀର ଉତ୍ତରରେ ନନ୍ଦନକାନନ ନିକଟବର୍ତ୍ତୀ ଦାରୁଠେଙ୍ଗ, ରଘୁନାଥପୁର,ଶ୍ୟାମପୁରକୁ ଛୁଉଁଥିବାବେଳେ ପୂର୍ବରେ ହଂସପାଳ, ରୁଦ୍ରପୁର, ପାଣ୍ଡରା, କୋରଡ଼କଣ୍ଟାକୁ ଛୁଇଁବ। ଦକ୍ଷିଣରେ ଲିଙ୍ଗିପୁର, ଗୋପିନାଥପୁରକୁ ଛୁଇଁବ। ସେହିଭଳି ପଶ୍ଚିମରେ ତମାଣ୍ଡୋ, ପାଇକରାପୁର, ନରଗଦା, ସିଜିପୁଟ, ସହଜପୁର ଅଞ୍ଚଳ ଦେଇ ଯିବ। ଏହି ପ୍ରକଳ୍ପ ପାଇଁ ୧୨୦୦ କୋଟି ଟଙ୍କା ବ୍ୟୟବରାଦ ଥିବାବେଳେ ଏଥିପାଇଁ ମୋଟ ୭୬୦ଏକର ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ହେବ।

Related Posts