‘୩୦ ବର୍ଷ ଦଳ ପାଇଁ କାମ କଲୁ, ଶେଷରେ ପୋକ-ମାଛି ଭଳି ଆମକୁ ଫିଙ୍ଗି ଦେଲେ’; ଦଳରୁ ବହିସ୍କାର ନେଇ କାନ୍ଦି କାନ୍ଦି କହିଲେ ବିଜେପି ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଧ୍ୟପ୍ରଦେଶର ସାଗରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନେତା ସାମ୍ବାଦିକ ସମ୍ମିଳନୀରେ ଭୋ-ଭୋ ହୋଇ କାନ୍ଦିଛନ୍ତି । ଦଳରୁ ବହିଷ୍କାର କରାଯିବା କାରଣକୁ ନେଇ ସେ ସାମ୍ବାଦିକ ସମ୍ମିଳନୀରେ କାନ୍ଦିଥିବା ଜଣା ପଡିଛି । ପୂର୍ବତନ ବିଜେପି ନେତା ରାଜକୁମାର ଧନୌରା କହିଛନ୍ତି ଯେ, ସେ ଗତ ୩୦ ବର୍ଷ ଧରି ଦଳ ପାଇଁ କାମ କରୁଥିଲେ କିନ୍ତୁ ତାଙ୍କୁ ଶେଷରେ ଦଳରୁ ପୋକ ମାଛି ଭଳି ଫିଙ୍ଗି ଦିଆଯାଇଛି । ଦଳ ରାଜକୁମାର ଧନୌରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଦଳରୁ ବହିଷ୍କୃତ ହେବା ପରେ ରାଜକୁମାର ଧନୌରା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ ଯେ ମୁଁ ସଂଗଠନ ଆଗରେ ମୋର ମତ ରଖିଛି । ମଧ୍ୟପ୍ରଦେଶର ପ୍ରଦେଶ ଅଧ୍ୟକ୍ଷ ବି.ଡି ଶର୍ମାଙ୍କୁ ଭେଟିଥିଲି। ମୁଁ ତାଙ୍କୁ କହିଥିଲି ଯେ, ଯଦି କିଛି ଭୁଲ ଅଛି, ତେବେ ମୁଁ ଦଳ ପାଇଁ କ୍ଷମା ପ୍ରାର୍ଥନା କରୁଛି । କିନ୍ତୁ ଏହା ପରେ ମଧ୍ୟ ମୋତେ ଦଳରେ ନିର୍ଯାତନା ଦିଆଯାଇଛି । ଯେଉଁ ପାର୍ଟିରେ ମୁଁ ୩୦ ବର୍ଷ ପରିଶ୍ରମ କରିଥିଲି, ସେ ଦଳ ଆଜି ମୋତେ ନିର୍ଯାତନା ଦେଇଛି । ୩୦ ବର୍ଷର କଠିନ ପରିଶ୍ରମ ସତ୍ତ୍ୱେ ପାର୍ଟି ମୋତେ ୧ ମିନିଟରେ ପୋକ ମାଛି ପରି ଫୋପାଡି ଦେଇଛି । ଏହା କହି ସେ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗିଥିଲେ ।

ସୂଚନାଯୋଗ୍ୟ ଯେ, ଯେ ରାଜକୁମାର ଧନୌରା ସୁରଖୀର ବିଜେପି ବିଧାୟକଙ୍କ ଉପରେ ଅନୁପଯୁକ୍ତ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳ ରାଜକୁମାର ଧନୌରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳର ବିଧାୟକଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ମଧ୍ୟପ୍ରଦେଶ ବିଜେପି ସଭାପତି ବି.ଡି ଶର୍ମା ରାଜକୁମାର ଧନୌରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେଇ ଦଳରୁ ବହିଷ୍କାର କରିଛନ୍ତି ।

Related Posts