ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଳାକାର ଚୟନ ଶେଷ, ଦଶମ ଥର ପାଇଁ କଂସ ଭୂମିକାରେ ନଜର ଆସିବେ ହୃଷୀକେଶ ଭୋଇ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଏହାସହିତ ୭୫ତମ ଧନୁଯାତ୍ରା କିଏ ହେବେ କଂସ ? ଏନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ଗୁରୁବାର ବିଳମ୍ବିତ ରାତିରେ ଧନୁଯାତ୍ରା ପାଇଁ କଂସ ଚୟନ ଶେଷ ହୋଇଛି। ୪୧ ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ହୃଷୀକେଶ ଭୋଇ ଆଗାମୀ ଧନୁଯାତ୍ରାର କଂସ ଚରିତ୍ରରେ ନଜର ଆସିବେ। ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ହୃଷୀକେଶଙ୍କୁ ଦଶମ ଥର ପାଇଁ କଂସ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ।

ଅମ୍ବାଭୋନା ବ୍ଲକ୍‌ ଚିଚୋଲି ଗାଁର ମୂଳ ନିବାସୀ ହୃଷୀକେଶ ପେଶାରେ ହେଉଛନ୍ତି ସ୍ବାସ୍ଥ୍ୟ ବିଭାଗର ଜଣେ ଡ୍ରାଇଭର, ହେଲେ ନିଶା ତାଙ୍କର ଅଭିନୟ। ୨୦୦୯ ମସିହାରୁ ୨୦୧୭ ପର୍ଯ୍ୟନ୍ତ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ବଳିଷ୍ଠ ଅଭିନୟ କରିଥିଲେ। ତେବେ ଚଳିତବର୍ଷ କଂସ ଭୂମିକା ପାଇଁ ୫୬ଜଣ କଳାକାର ଆବେଦନ କରିଥିଲେ। ଗୁରୁବାର ଚୟନ ପ୍ରକ୍ରିୟାରେ ୪୨ଜଣ ସାମିଲ ଥିଲେ। ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆସୁରିକ ଅଟ୍ଟହାସ୍ୟ, ଗମ୍ଭୀର ସଂଳାପରେ କମ୍ପି ଉଠିଥିଲା ସଂପୂର୍ଣ୍ଣ ପ୍ରେକ୍ଷାଳୟ। ଜଣକ ପରେ ଜଣେ ଆଶାୟୀ ମଂଚରେ ସଂକ୍ଷିପ୍ତ ଅଭିନୟ କରି କଂସ ଭୂମିକା ପାଇଁ ନିଜ ଦାବିଦାରି ଜାହିର କରିଥିଲେ। ଶେଷରେ ହୃଷୀକେଶ ବାଜି ମାରିଥିଲେ।

ସେହିପରି ଚଳିତବର୍ଷର ଧନୁଯାତ୍ରାରେ ମହାମନ୍ତ୍ରୀ ପାଇଁ ଗୋପାଳଚନ୍ଦ୍ର ଦାଶ, ସାର୍ତକୀ ପାଇଁ ସେବକ ନାୟକ, ଅକ୍ରୂର ପାଇଁ ଜଗନ୍ନାଥ ସାହୁ, ସେନାପତି ପାଇଁ ଦୟାନନ୍ଦ ମାଝୀ, ଚାଣୁର ପାଇଁ ମୁନେଶଚନ୍ଦ ଆଚାର୍ଯ୍ୟ, ମୁଷ୍ଟିକ ପାଇଁ ସୂର୍ଯ୍ୟପ୍ରକାଶ କର୍ଣ୍ଣ, ଦେବକୀ ପାଇଁ କନକ ଡନ୍‌ସେନା ଚୌଧୁରୀ, ବାସୁଦେବ ପାଇଁ ମନୋଜ ସାହୁ, ଉଗ୍ରସେନ ପାଇଁ ଆର୍ତ୍ତତ୍ରାଣ ମହାପାତ୍ର ଏବଂ ନାରଦ ପାଇଁ ଜଗନ୍ନାଥ ସାହୁଙ୍କୁ ଚୟନ କରାଯାଇଛି। ଚୟନ ପ୍ରକ୍ରିୟାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପରିଚାଳନା କରିଥିଲେ। ଲିଟୁ ମହାନ୍ତି, ଅଶୋକ ବହିଦାର, ଶିବଲାଲ ସାଗର, ହେମନ୍ତ ମହାପାତ୍ର, ଜମାଲ ଖାନ, ବ୍ରଜେନ୍ଦ୍ର ନାୟକ, ପ୍ରଦୀପ ଡି ମାଝୀ ବିଚାରକ ରହିଥିଲେ।

Related Posts